କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଶ୍ରମ ସ୍କୁଲ ପରିସରରେ ୩୪ତମ କୋଣାର୍କ ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ପର୍ଯ୍ୟଟନ ସାହିତ୍ୟ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ସଭାପତି ପ୍ରଦୀପ କୁମାର ଛାଟୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ, କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅବତାର ମିଶ୍ର, ବିଶିଷ୍ଟ ବ୍ୟଙ୍ଗ କବି ହାସ୍ୟ କୁମୁଦ ସମ୍ପଦ କୁମାର ରଥ, କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ବିଧୁଭୁଷଣ ନାୟକ ଓ ଶିକ୍ଷାବିତ ଓ ସମାଜସେବୀ ଶଶଧର ପଣ୍ଡା ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ପର୍ଯ୍ୟଟନ ସ୍ଥଳୀ ଓ ଐତିହ୍ୟ କୀର୍ତୀରାଜି ସମୂହର ସୁରକ୍ଷା ଓ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ଦିଗରେ ପର୍ଯ୍ୟଟନ ସାହିତ୍ୟ ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର କରିବା ଦିଗରେ ସାମୁହିକ ପ୍ରଚେଷ୍ଟା ଜରୁରୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦର ସଂପାଦକ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଲଷ୍ମ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପର୍ଯ୍ୟଟନ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ କପ, ସିଲ ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କାକଟପୁର ବ୍ଲକ ବିଡିଓ ଡଃ ତୁଷାର ଜ୍ୟୋତି ରଂଜନ ଓ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅବତାର ମିଶ୍ରଙ୍କ ସମେତ ୪ଜଣଙ୍କୁ ଉପଢୈାକନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଭାଗୀରଥୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।