Odisha news

ଗଛରୁ ପଡି ଶ୍ରମିକ ମୃତ୍ୟୁ ଘଟଣା ଜାତୀୟ ମାନବାଧିକାର କମିଶନରେ ମାମଲା

0
କୋଣାର୍କ – ଗତ ୨୦ ତାରିଖ ପବିତ୍ର ରଥଯାତ୍ରା ଅବସରରେ କୋଣାର୍କ – କାକଟପୁର ରାସ୍ତାର ରମେଶ ସାହୁ ମାଲଗୋଦାମ ସମ୍ମୁଖରେ ରଥ ଟଣା ପାଇଁ ଗଛ କାଟୁଥିବା ବେଳେ ତଳେ ପଡି କୋଣାର୍କ ଥାନା ଅଧିନସ୍ଥ ଖରାଗାଁ ଗ୍ରାମର ସୁଦର୍ଶନ ମଲ୍ଲିକ (୬୦) ବର୍ଷ ବ୍ଯକ୍ତିଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ରୁଜୁ ହୋଇଛି। ଖବରରୁ ପ୍ରକାଶ ଯେ ଗତ ୨୦ ତାରିଖ କୋଣାର୍କ ଠାରେ ରଥଯାତ୍ରା ଅବସରରେ କୋଣାର୍କ – କାକଟପୁର ମୁଖ୍ୟ ରାସ୍ତାର ରମେଶ ସାହୁ ମାଲଗୋଦାମ ସମ୍ମୁଖରେ ଏକ ଗଛରେ ଚଢି କୋଣାର୍କ ଥାନା ଅଧିନସ୍ଥ ଖରାଗାଁ ଗ୍ରାମର ସୁଦର୍ଶନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ଗଛରୁ ଡାଳ ସଫା କାର୍ଯ୍ୟ କରୁଥିଲେ। ଏହି ସମୟରେ ସୁଦର୍ଶନ ମଲ୍ଲିକ ତଳେ ପଡି ଯିବାରେ ପ୍ରାଥମିକ ଚିକିତ୍ସା ନିମନ୍ତେ କୋଣାର୍କ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ କୋଣାର୍କ ଥାନା ପୋଲିସ ଡାକ୍ତରଖାନାରୁ ମୃତ ଦେହ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗଛରୁ ପଡି କେଉଁ ପରିସ୍ଥିତିରେ ଶ୍ରମିକ ସୁଦର୍ଶନ ମଲ୍ଲିକଙ୍କ ମୃତ୍ୟୁ ଘଟିଲା ଏବଂ ଏହା ବିଦ୍ୟୁତ ଆଘାତ ଜନିତ କି ନୁହେଁ ଏହାର ସତ୍ଯତା ଅନୁସନ୍ଧାନ କରିବା ପାଇଁ କୋଣାର୍କ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ମାନବାଧିକାର କର୍ମୀ ଏନ ଏ ଶାହା ଅନସାରୀ ଜାତୀୟ ମାନବାଧିକାର କମିଶନ ରେ ଅଭିଯୋଗ କରିବା ପରେ କମିଶନ ପକ୍ଷରୁ ୨୬୧/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଖୁବଶୀଘ୍ର ଜାତୀୟ ମାନବାଧିକାର କମିଶନ ପକ୍ଷରୁ ଏକ ଟିମ କୋଣାର୍କ ଆସି କେଉଁ ପରିସ୍ଥିତିରେ ଶ୍ରମିକ ସୁଦର୍ଶନ ମଲ୍ଲିକଙ୍କ ମୃତ୍ୟୁ ଘଟିଲା ତାର ଛାନଭିନ କରିବ ବୋଲି ମାନବାଧିକାର କର୍ମୀ ଶ୍ରୀ ଆନସାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ମାନବାଧିକାର କର୍ମୀ ଶ୍ରୀ ଆନସାରୀ ରାଜ୍ୟ ଶକ୍ତି ବିଭାଗ ଓ ଟାଟା ପାୱାର କେନ୍ଦ୍ରୀୟ କର୍ତ୍ତୁପକ୍ଷଙ୍କ ଦାୟିତ୍ବ ହୀନତା ନୀତି ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଜାତୀୟ ମାନବାଧିକାର କମିଶନକୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର  କ୍ଷତିପୂରଣ ପ୍ରଦାନ ସହ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ମାନବାଧିକାର କର୍ମୀ ଶ୍ରୀ ଆନସାରୀ।
Leave A Reply