Odisha news

ରଥଯାତ୍ରାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : କୋଣାର୍କ ସାମ୍ବାଦିକ ମହାସଂଘ ପକ୍ଷରୁ ନିନ୍ଦା ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଦାବି।

0

କୋଣାର୍କ – ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଖବର ସଂଗ୍ରହ କାର୍ଯ୍ୟରେ ନିୟୋଜିତ ପୁରୀ ଜିଲ୍ଲାର ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ଦୁଇଜଣ ବରିଷ୍ଠ ସାମ୍ବାଦିକଙ୍କୁ ୨ଜଣ ସେବାୟତଙ୍କ ମରଣାନ୍ତକ ଆକ୍ରମଣ ଘଟଣାକୁ କୋଣାର୍କ ସାମ୍ବାଦିକ ମହାସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଆକ୍ରମଣ କାରୀ ମାନଙ୍କୁ ଗିରଫ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଗୁରୁବାର ଯାତ୍ରୀ ନିବାସ ଠାରେ ମହାସଂଘର ଆବାହକ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାରେ ଅହେତୁକ ବିଳମ୍ବ ଯୋଗୁଁ ଖବର ସଂଗ୍ରହ କରିବା ସମୟରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କ ଜୀବନ ସୁରକ୍ଷିତ ନୁହେଁ ବୋଲି ମହାସଂଘର ବୈଠକରେ  ଉଦବେଗ ପ୍ରକାଶ ପାଇଥିଲା। ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀ ରେ ପବିତ୍ର ରଥଯାତ୍ରା ସମୟରେ ଖବର ସଂଗ୍ରହ କରୁଥିବା ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ମହାନ୍ତି ଓ ସହଯୋଗୀଙ୍କୁ ୨ଜଣ ସାମ୍ବାଦିକ ମରଣାନ୍ତକ ଆକ୍ରମଣ କରିବା ଘଟଣା ସମଗ୍ର ଓଡ଼ିଶାରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିବା ସେବାୟତ ଦ୍ବୟଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପୋଲିସ ଡିଜି ଓ ପୁରୀ ଏସପି ହସ୍ତକ୍ଷେପ କରିବା ପାଇଁ କୋଣାର୍କ ସାମ୍ବାଦିକ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଯଦି ଯୁଦ୍ଧକାଳୀନ ଭିତ୍ତିରେ ଆକ୍ରମଣକାରୀ ସେବାୟତ ଦ୍ବୟଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଆଗାମୀ ଦିନରେ କୋଣାର୍କ ସାମ୍ବାଦିକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଗୁରୁବାର ଅନୁଷ୍ଠିତ ମହାସଂଘର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ସାମ୍ବାଦିକ ମାନସ ରଞ୍ଜନ ପାତ୍ର, ମନୋରଞ୍ଜନ ପଣ୍ଡା, ଅବନୀ ଭୂଷଣ ବାରିକ, ଜ୍ଯୋତିରାଜ ମହାନ୍ତି, ଅଜିତ କୁମାର ମଲ୍ଲିକ, ସନ୍ତୋଷ କୁମାର ରାୟ, ସୁକାନ୍ତ କୁମାର ବିଶ୍ବାଳ, ରୀତାରାଣୀ ସେଠ, ପ୍ରଦୀପ୍ତ କୁମାର ଛାଟୋଇ, ରୋଜାଲିନ ପ୍ରଧାନ, ସ୍ବାଧିନ କୁମାର ନାୟକ, ପ୍ରମୋଦ ଗୋଛାୟତ, ଅରୁଣ କୁମାର ବିଶ୍ବାଳ, ଗଣେଶ ଚନ୍ଦ୍ର ବେହେରା ଓ ଆଶିଷ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଘଟଣାର ଦୃଢ ନିନ୍ଦା କରିବା ସହିତ ଆକ୍ରମଣକାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଗିରଫ କରିବା ପାଇଁ ଦାବି କରିଛନ୍ତି।

Leave A Reply