କୋଣାର୍କ ର ଜମିଜମା ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ଆଗେଇଲେ ଯୁବପିଢ଼ି, ବିଭାଗୀୟ ଅଧିକାରୀ ଙ୍କୁ ନଟ ଫାଇନାଲ୍ର ହଟାଇବାକୁ ଦେଲେ ଦାବିପତ୍ର
କୋଣାର୍କ:-୨୦/୫ ରାଜ୍ୟ ସରକାରଙ୍କ ମନମାନି କୁ ନେଇ ଏବେ ଘୋର ଅନ୍ଧାର ମଧ୍ୟରେ ଠେଲି ହୋଇ ଯାଉଛି କୋଣାର୍କ ଅଞ୍ଚଳ ବାସୀଙ୍କ ଭାଗ୍ୟ ଓ ଭବିଷ୍ୟ।ଦିନେ କି ଦୁଇ ଦିନ ନୁହେଁ ଆଜକୁ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବର୍ଷ ଧରି ନିଜ ହକ ଓ ନିଜ ଅଧିକାର ପାଇଁ କୋଣାର୍କ ଅଞ୍ଚଳବାସୀ ନିଜ ଭବିଷ୍ୟତ ସହ ଲଢେଇ କରୁଥିଲେ ମଧ୍ୟ ରାଜ୍ୟ ସରକାର ସବୁ ଜାଣିବି ଚୁପ ବସି ରହିବା ଏବେ ଅଞ୍ଚଳବାସୀ ଙ୍କ ପାଇଁ ସମସ୍ୟା ର ଜଡ ପାଲଟିଥିବା ଦେଖିବାକୁ ମିଳୁଛି। ୧୯୬୫ ମସିହା ପରେ ସାରା ରାଜ୍ୟରେ ବନ୍ଦୋବସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସାଧାରଣ ଲୋକ ମାନଙ୍କ ନିଜ ନିଜର ଜମି କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ରେ କରିଦେବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା।ଏହି କ୍ରମ ରେ ରାଜ୍ୟ ର ସମସ୍ତ ଜିଲ୍ଲା ଗୁଡିକରେ ଏହାର ପ୍ରକ୍ରିୟା ଅତି ସୁରୁଖୁରୁରେ ଶେଷ ହୋଇଥିଲା ବେଳେ କୋଣାର୍କ ଅଞ୍ଚଳବାସୀ ଙ୍କୁ ଠକି ଦେଇଥିଲେ ରାଜ୍ୟ ସରକାର। କୋଣାର୍କ ରାଜସ୍ୱ ମୌଜା ର ସମସ୍ତ ଜମିକୁ ନଟ ଫାଇନାଲ ଘୋଷଣା କରି ରାଜ୍ୟ ସରକାର ଚୁପ ବସିରହିବା ଯୋଗୁଁ ଆଜକୁ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ବର୍ଷ ଧରି ନିଜ ଜମି ନିଜର ବୋଲି ପରିଚୟ ଦେଇ ପାରୁ ନାହାଁନ୍ତି ସ୍ଥାନୀୟ ଜନସାଧାରଣ।ଜମି ଜମା ସମସ୍ୟା ଆଜକୁ ଦୀର୍ଘ ବର୍ଷ ଧରି ଉପୁଜିଥିବା କାରଣ ରୁ ଏଠାକାର ଯୁବ ପିଢ଼ି ଠାରୁ ଆରମ୍ଭ କରି ଏ ଅଞ୍ଚଳର ପ୍ରତିଟି ସଦସ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଜମିଜମା ସମସ୍ୟା କାରଣରୁ ଶିକ୍ଷାଲାଭ ପରେ ଚାକିରୀ ଖଣ୍ଡିଏ ପାଇଁ ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣ ପତ୍ର ପରି ଅତି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପତ୍ର ପାଇବାରେ ଅନେକ ଅସୁବିଧା ଭୋଗୁଛନ୍ତି ଫଳରେ ଯୁବ ପିଢ଼ି ଚାକିରୀ ନପାଇ ନିରାଶ ହେବା କାରଣ ରୁ ବେକାରୀ ସମସ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।କୋଣାର୍କ ରେ ଜମିଜମା ସମସ୍ୟା ଯୋଗୁଁ ଅତି ଗରିବ ଶ୍ରେଣୀର ଲୋକେ ସରକାର ଙ୍କ ସମସ୍ତ ଯୋଜନା ରୁ ବଞ୍ଚିତ ମଧ୍ୟ ହେଉଛନ୍ତି।ଆବସ ଯୋଜନା ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ଏଭଳିକି ରାସନ କାର୍ଡ ପର୍ଯ୍ୟନ୍ତ କୌଣସି ସୁବିଧା ର ଲାଭ ଉଠାଇ ପାରୁ ନାହାଁନ୍ତି ଅଞ୍ଚଳବାସୀ।ଅତ୍ୟାବଶ୍ୟକ ସମୟରେ ଜରୁରୀ କାଳୀନ ପରିସ୍ଥିତି ରେ ନିଜ ଅସୁବିଧା ର ସମାଧାନ ପାଇଁ ନିଜ ଜମିକୁ ମଧ୍ୟ ବନ୍ଧକ ଆକାରେ ରଖି ପାରୁ ନାହାଁନ୍ତି କୌଣସି ଲୋକେ।ଆଜକୁ ଦୀର୍ଘ ବର୍ଷ ଧରି ସେହି ଜମିଜମା ସମସ୍ୟା ଯୋଗୁଁ କୋଣାର୍କ ର ସର୍ବ ପୁରାତନ ମହା ବିଦ୍ୟାଳୟ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି।କୋଣାର୍କ ଅଞ୍ଚଳବାସୀ ଏହି ଭଳି ଅନେକ ସମସ୍ୟା ର ସମ୍ମୁଖୀନ କରୁଥିଲେ ମଧ୍ୟ ସରକାର ଙ୍କ ବନ୍ଦୋବସ୍ତ ବିଭାଗ ମାସିକ ଦରମା ନେଇ ଚୁପ ବସି ରହିବା ନିଶ୍ଚୟ ନିନ୍ଦନୀୟ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ଯଦି ରାଜ୍ୟ ସରକାର ଯଥାଶୀଘ୍ର କୋଣାର୍କ ଅଞ୍ଚଳରେ ଥିବା ଜମିଜମା ସମସ୍ୟା ର ସ୍ଥାୟୀ ସମାଧାନ ନକରନ୍ତି ତେବେ ପରିସ୍ଥିତି ଅଣାୟତ ହେବ ବୋଲି ଚେତାବନୀ ଦେଇଛନ୍ତି।ଏହାକୁ ନେଇ ଶୁକ୍ରବାର କୋଣାର୍କ ର କିଛି ଯୁବ ପିଢ଼ି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କୁ ଦାବିପତ୍ର ଲେଖିଛନ୍ତି।ନିଜ ଅଞ୍ଚଳରେ ଥିବା ଜମି ଜମା ସମସ୍ୟା ର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। କୋଣାର୍କ ର ଯୁବ ସାମ୍ବାଦିକ ଦୁର୍ଗା ପ୍ରସାଦ ମହାପାତ୍ର, ସାମ୍ବାଦିକ ଅବନୀ ଭୂଷଣ ବାରିକ, ଛାତ୍ର କାହ୍ନୁ ଚରଣ ପାତ୍ର, ଅନିଲ କୁମାର ସ୍ୱାଇଁ, ସତ୍ୟଜିତ ସାହୁ, ସୁଭାସିଶ ଦାଶ, ବଳରାମ ପାତ୍ର ଙ୍କ ପରି ଅନେକ ଯୁବପିଢି ନିଜ ଅଞ୍ଚଳର ସମସ୍ୟା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ଦାବି ପତ୍ର ଟି ଓଡ଼ିଶା ସରକାର ଙ୍କ ମୁଖ୍ୟ ଶାସନ ସଚିବ,ରାଜସ୍ୱ ପର୍ଷଦ, ରାଜସ୍ୱ ସଚିବ, ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ ପୁରୀ, ଉପ ଜିଲ୍ଲାପାଳ ପୁରୀ, ଅତିରିକ୍ତ ଉପ ଜିଲ୍ଲାପାଳ ପୁରୀ ସମେତ ତହସିଲଦାର ଙ୍କୁ ପ୍ରଦାନ କରିଛନ୍ତି।
