ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ବିଗତ ବିଛି ବର୍ଷ ଧରି ବେପରୁଆ ଢ଼ଙ୍ଗରେ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟ କରି ଚାଲିଥିବା ଅଭିଯୋଗ ହେଉଛି । ଫଳରେ ଅନେକ କ୍ଷେତ୍ରରେ ଜିଲ୍ଲାରେ ଲୋକଙ୍କ ସମସ୍ୟା ଅଣଦେଖା ହେଉଛି । ପ୍ରଶାସନିକ ବ୍ୟବସ୍ଥାରେ ଲାଗି ରହିଥିବା ଏପରି ଅବ୍ୟବସ୍ଥା ପଛର କାରଣ ବେପରୁଆ ଭାବ, ଅନଭିଜ୍ଞତା ଅବା ଅନାଗ୍ରହ ଆଦି ଯାହା ହେଉ ପଛେ; ଏହା ଜନସାଧାରଣଙ୍କ ସ୍ୱାର୍ଥ କ୍ଷୂର୍ଣ୍ଣ କରୁଥିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ସରଳ ପ୍ରଶାସନିକ ବ୍ୟବସ୍ଥା ଜନହିତ କାର୍ଯ୍ୟ ସାଧନରେ ସକ୍ଷମ ରଖୁଥିବା କାରଣରୁ ସରକାର ପ୍ରଶାସନିକ ବ୍ୟବସ୍ଥାକୁ ଜନତାଙ୍କ ନିକଟତର କରାଇବା ଏବଂ ସରକାରୀ କର୍ମଚାରୀ ତଥା ଅଧିକାରୀମାନେ ଉତ୍ତର ଦାୟୀତ୍ୱ ରକ୍ଷା କରିବା ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ହେଲେ ନୟାଗଡ଼ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାରେ ଏସବୁ ପରିଲ୍ଳଖିତ ନ ହେବା ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
କୃଷିବହୁଳ ନୟାଗଡ଼ ଜିଲ୍ଲାରେ ଚାଷ ଛଡ଼ା ଲୋକଙ୍କ ପାଇଁ ଅନ୍ୟ କୌଣସି ପ୍ରକାର ଜିବିକା ନିର୍ବାହର ସୁଯୋଗ ସୃଷ୍ଟି ହୋଇପାରି ନାହିଁ । ଏଠାରେ କାର୍ଯ୍ୟ କରୁୁଥିବା ଏକ ମାତ୍ର କୃଷିଭିତ୍ତିକ ଚିନି କାରଖାନା ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ବନ୍ଦ ହୋଇଯାଇଛି । ଫଳରେ ଜିଲ୍ଲାର ଆଖୁଚାଷ ଶୋଚନୀୟ ଅବସ୍ଥାରେ ଗତି କରୁଛି । ଜଳସେଚନର ବିଶେଷ ସୁବିଧା ନ ଥିବା ଉକ୍ତ ଜିଲ୍ଲାରେ ଲୋକଙ୍କ ଅର୍ଥନିତୀ ସମ୍ବଳ କହିଲେ କେବଳ ଖରିଫ ଧାନ, ମୁଗ, ଓ କିଛି ମାତ୍ରାରେ ପନିପରିବା ଫସଲ ଚାଷ । ତାହା ପୁଣି ପ୍ରାକୃତିକ ଜଳବାୟୁ ଉପରେ ନିର୍ଭରଶୀଳ । ଉପଯୁକ୍ତ ସମୟରେ ଓ ସଠିକ୍ ପରିମାଣର ବର୍ଷା ନ ହେଲେ ଏଠାରେ ଚାଷି ହତାଶ ହେଉଛନ୍ତି । ଜିଲ୍ଲାରେ କୃଷି ଉନ୍ନୟନ ଯୋଜନାରେ ବହୁ ଅନିୟମିତତାର ଗୁରୁତର ଅଭିଯୋଗ ହୋଇ ଆସୁଛି । ଜିଲ୍ଲାରେ ପ୍ରକୃତ ଚାଷୀକୁ ଧାନ, ରବି, ଫଳ ଓ ପନିପରିବା ଚାଷ ଲାଗି ସରକାରୀ ବିହନ ମିଳୁନାହିଁ । କୃଷି ସାର ପିଡ଼ିଆ ଯୋଗାଣରେ କଳାବଜାରି ଚାଷୀଙ୍କୁ ହତାଶ କରୁଛି ।
ଏପରି ସ୍ଥିତିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚଳିତ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମଧ୍ୟ ସଠିକ କାର୍ଯ୍ୟ କରୁ ନାହିଁ । ସ୍ୱଚ୍ଛତାର ଅଭାବ ଓ ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତର ଦାୟୀତ୍ୱହିନତା ଅନେକାଂଶରେ ସରକାରୀ ଯୋଜନା କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଯେମିତି ଜିଲ୍ଲାରେ ମନରେଗା କାର୍ଯ୍ୟରେ ଦୁଃର୍ନୀତିର ଅଭିଯୋଗ ସାଧାରଣ କଥାରେ ପରିଣତ ହୋଇଛି । ସେହିପରି ଜଳସେଚନ ର ଉନ୍ନତିକରଣ ନାମରେ ଜିଲ୍ଲାରେ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ମାତ୍ର କୃଷି କ୍ଷେତକୁ ଜଳସେଚନର ବ୍ୟବସ୍ଥା ହୋଇ ପାରି ନାହିଁ । କେବଳ ଉନ୍ନତି କରଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ଚାଷୀଙ୍କ ଅଭିଯୋଗ ବିଭାଗୀୟ ସଚ୍ଚୋଟ୍ଟତା ଉପରେ କଳା ଦାଗ ଲଗାଇଛି । ସାମାଜିକ ସୁରକ୍ଷା ଯୋଜନାକୁ ଲକ୍ଷ୍ୟକଲେ ଅନୁରୂପ ସ୍ଥିତି ଦେଖିବାକୁ ମିଳୁଛି । କେଉଁଠି ଲୋକଙ୍କୁ ଖତରା ଚାଉଳ ଯୋଗାଣ ହେଉଛି ତ କେଉଁ ବ୍ଲକ ଅଙ୍ଗନୱାଡ଼ି କେନ୍ଦ୍ରରେ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କୋମଳମତି ଶିଶୁଙ୍କ ଶରୀର ଘଠନ ପାଇଁ ହାନିକାରକ ହୋଇଥିବା ଅଭିଯୋଗ ଉଠୁଛି । ଯୋଗ୍ୟ ହିତାଧିକାରୀଙ୍କ ଲାଗି ଉଦ୍ଦିଷ୍ଠ ସରକାରୀ ଆବାସ ଥିଲାବାଲା ହାତେଇ ନେଉଥିବାରୁ ଅନେକ ଦୁଃଖି ଅଭାବି ପରିବାର ଭଙ୍ଗା କୁଡ଼ିଆରେ ଦିନ କାଟୁଥିବା ଦେଖିବାକୁ ମିଳୁଛି ।
ଜିଲ୍ଲାକୁ ରେଳ ସଂଯୋଗୀକରଣ ପରେ ଜିଲ୍ଲାରେ ଶିଳ୍ପ ବିକାଶ ଦ୍ୱାରା ଲୋକଙ୍କ ଅର୍ଥନୈତୀକ ଉନ୍ନତି ସମ୍ଭାବନା ସୃଷ୍ଟି ହୋଇଛି । ହେଲେ ଯୋଜନାବଦ୍ଧ ଭାବେ ଶିଳ୍ପର ଉନ୍ନତିକରଣ ଲାଗି ଉଲ୍ଲେଖନୀୟ କାର୍ଯ୍ୟ ହାତକୁ ନିଆଯାଇ ନାହିଁ । ଏସବୁ ପ୍ରସଙ୍ଗ ଜିଲ୍ଲାରେ ଏକ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଜିଲ୍ଲାରେ ପ୍ରଶାସନିକ ବ୍ୟବସ୍ଥାଦ୍ୱାରା ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ ସ୍ପଷ୍ଟ ଆଭିମୂଖ୍ୟ ଓ ଯୋଜନାବଦ୍ଧ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେଉ ନଥିବାରୁ ଜିଲ୍ଲାରେ ସାମଗ୍ରୀକ ବିକାଶ ଦିଗହରା ହୋଇ ପଡ଼ିଥିବା ବୁଦ୍ଧିଜୀବୀ ମତ ଦେଉଛନ୍ତି । ଫଳରେ ସାଧାରଣ ଲୋକଙ୍କ ସମସ୍ୟା ଅଣଦେଖା ହୋଇଛି । ଏଥିରେ ଜିଲ୍ଲାରେ କି ପ୍ରକାର ବିକାଶ ଚାଲିଛି ତାହା ବୁଝା ପଡ଼ୁ ନ ଥିବା ଲୋକେ ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ଲଘୁଜାତ ଖଣିଜ ସଂପଦ ମଧ୍ୟରେ ବାଲି, ମୋରମ, ମାଙ୍ଗଡ଼ା ପଥର, ଏବଂ କଳାମୁଗୁନି ପଥର ଆଦି ନିୟମିତ ଚୋରା ଚାଲାଣ ହେଉଥିବା ଅଭିଯୋଗ ଉଠୁଛି । ବିଭିନ୍ନ ତହସିଲ ଅଞ୍ଚଳରେ ଏକାଧିକ ବେଆଇନ କ୍ରସର କଳ ଚାଲୁଛି ।
ବେଆଇନ କ୍ରସର କଳ ଚାଷ କ୍ଷେତକୁ ନଷ୍ଠ କରି ପକାଉଛି । ଏହା ପ୍ରାକୃତିକ ଜଂଗଲ ନଷ୍ଟ, ପରିବେଷ ପ୍ରଦୁ୍ୟଷଣ ଏବଂ ସାଧାରଣ ଯାତାୟତ ରାସ୍ତାକୁ ନଷ୍ଟଭ୍ରଷ୍ଟ କରି ପକାଉଛଇ । କେତେକ ସ୍ଥାନରେ କ୍ରସର ମାଲିକଙ୍କ ନାଲିଆଖିରେ ଭୟଭିତ ଲୋକେ ପ୍ରତିବାଦର ସ୍ୱର ଉଠାଇ ପାରୁ ନାହାନ୍ତି । ପୁଣି ତେକେକ କ୍ଷେତ୍ରରେ ଲୋକେ ଏକାଠି ହୋଇ ବେଆଇନ କ୍ରସର କଳ ବନ୍ଦ କରିବାକୁ ଜିଲ୍ଲାପାଳ କାର୍ଯ୍ୟାଳୟର ଦ୍ୱାରସ୍ତ ହେଉଥିଲେ ମଧ୍ୟ ବେଆଇନ କ୍ରସର କଳ ଓ ଲଘୁଜାତ ଖଣିଜ ସଂପଦ ଆଦି ଚୋରା ଚାଲାଣ ବନ୍ଦ ନହେବା ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ଏପରି ଘଟଣା ପ୍ରଶାସନିକ ନୀରବତା ସଂପର୍କରେ ଇଙ୍ଗିତ କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥା ମୁଖ୍ୟ ଜିଲ୍ଲାପାଳ ଏ ଦିଗରେ ମୁହଁ ନ ଖୋଲିବା କଳାସାମ୍ରାଜ୍ୟ ବିସ୍ତାରବାଦୀଙ୍କୁ ସୁହାଉ ଥିବା ଆଇନ୍ଜୀବୀ ତଥା କମୁ୍ୟନିଷ୍ଟ୍ ବିଚାରଧାରା ନାଗରୀକ ଅମିୟ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଖାଲି ସେତିକି ନୁହଁ, ଜିଲ୍ଲାର କେତେକ ସମ୍ବେଦନଶୀଳ ଘଟଣାର ଦୃଷ୍ଟାନ୍ତ ଦେଇ ଆଇନ୍ଜୀବୀ ପଟ୍ଟନାୟକ ଜିଲ୍ଲା ପୋଲିସ୍ ଓ ପ୍ରଶାସନ ବ୍ୟବସ୍ଥାର ଭୟଙ୍କର ନୀରବତା ଅନେକ ସତ୍ୟକୁ ଲୁଚାଇବାରେ ସକ୍ଷମ ହୋଇଥିବା କହିଛନ୍ତି ।
ସେଥି ମଧ୍ୟରେ ନୟାଗଡ଼ ବ୍ଲକ ନୋତର ଗାଁର ରବି ସ୍ୱାଇଁଙ୍କ ନବଜାତ ଶିଶୁ ବିକ୍ରି ଘଟଣା, ଜିଲ୍ଲାରେ ନାବାଳିକା ବିବାହ ନିରୋଧ ଅଭିଯାନ ବିଫଳତା, ସହରାଚଂଳରେ ଆଇନ ସୃଙ୍ଖଳା ଓ ଟ୍ରାଫିକ ଅବ୍ୟବସ୍ଥା ଏବଂ ବହୁଳ ନିଶା କାରବାର ଚିନ୍ତା ଜନକ ସ୍ତିତିରେ ପହଞ୍ଚିଛି । ଜିଲ୍ଲାରେ ସରକାରୀ ଚାଉଳ ସଂଗ୍ରହ କାର୍ଯ୍ୟରେ ପ୍ରଶାସନିକ ମୁଖ୍ୟଙ୍କ ସ୍ୱଚ୍ଛତାକୁ ନେଇ ନିର୍ଦ୍ଧିଷ୍ଠ ଏକ ରାଜନୈତିକ ଦଳର ଅଭିଯୋଗ ଘଟଣାରେ ମଧ୍ୟ ପ୍ରଶାସନିକ ମୁଖ୍ୟଙ୍କ ନୀରବତା ଅନେକ ସତ୍ୟ କୁ ଚପାଇ ରଖିଥିବା ଓକିଲ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯେଉଁଠି ଏତେସବୁ ଅବ୍ୟବସ୍ଥା ଓ ନୀରବତା ମଧ୍ୟରେ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟ କରେ ସେଠାରେ ଜନହିତକର ତଥା ବିକାଶ ମୂଳକ କାର୍ଯ୍ୟ କେତେ କ୍ରିୟାଶୀଳ ତାହା ବୁଝିବା ବୋଧ ହୁଏ କଷ୍ଠସାଧ୍ୟ ନୂହେଁ; ବଂର କଥିତ ମୁକ ଓ ବଧିରରୂପୀ ପ୍ରଶାସନିକ ବ୍ୟବସ୍ଥା ସାଧାରଣ ଜନତାଙ୍କ ବିଶ୍ୱାସ ହରାଇବା ସ୍ୱାଭାବିକ କଥା ବୋଲି ଆଇନ୍ଜୀବୀ ଅମିୟ ପଟ୍ଟନାୟକ ପ୍ରକାଶ କରିଛନ୍ତି । କିନ୍ତୁ ଏନେଇ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥା ଉତ୍ତର ଦାୟୀତ୍ୱ ବହନ କରୁଥିବା ଜିଲ୍ଲାପାଳଙ୍କ ମତାମତ ଜାଣିବାକୁ ଚେଷ୍ଠା କରା ଯାଇଥିଲେ ମଧ୍ୟ ତା’ଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ ।
ନିଶିକାନ୍ତ ରଥ
