କୋଣାର୍କ,ସବ୍ୟୁ ଚଳିତବର୍ଷ ଦ୍ବିତୀୟ ଥର ପାଇଁ କୋଣାର୍କ ଉତ୍ସବ ଅବସରରେ ଆୟୋଜିତ ହେବାକୁଥିବା ଇକୋ ରି-ଟ୍ରିଟ ଉତ୍ସବ ପାଇଁ ବିଗତ ଦିନରେ ରାଜ୍ୟ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ଅଧିକାରୀ ମାନେ ଏନେଇ ସ୍ଥିତି ଅନୁଧ୍ୟାନ କରିଥିଲେ ।ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଲେ ଚଳିତବର୍ଷ କୋଣାର୍କ- ପୁରୀ ବେଳାମାର୍ଗର ପୁରୁଣା ବେଳାମାର୍ଗ ପାର୍ଶ୍ବରେ ଥିବା ବଙ୍ଗୋପସାଗରର ସ୍ବର୍ଣ୍ଣାଭ ବେଳାଭୂମିରେ ଗତବର୍ଷ ଠାରୁ ଚଳିତବର୍ଷ ଅଧିକ ଆକର୍ଷଣୀୟ ଭାବେ ଏହି ଉତ୍ସବ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି ।
ତେବେ ଚଳିତବର୍ଷ ଉତ୍ସବ ଆୟୋଜନ ନିମନ୍ତେ ଅତ୍ୟାବାଶ୍ୟକୀୟ ଥିବା ପ୍ରସ୍ତୁତି କାର୍ଯ୍ୟ ଗୁଡ଼ିକ ଯଥେଷ୍ଟ ପୂର୍ବରୁ ସମାପ୍ତ କରିବା ଲାଗି ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି ।ଏହି କ୍ରମରେ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ କୋଣାର୍କ- ପୁରୀ ବେଳାମାର୍ଗ ଜାତୀୟ ରାଜପଥରୁ ଉତ୍ସବସ୍ଥଳକୁ ଲମ୍ବିଥିବା ପୁରୁଣା ବେଳାମାର୍ଗ ରାସ୍ତା ଓ ସୁରକ୍ଷା ପାଚେରୀ ମରାମତି ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ ଆରମ୍ଭ ହୋଇଥିବାର ଜଣାପଡ଼ିଛି ।
ଆଜି ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ବିଶ୍ବାଳ ଇକୋ ରିଟ୍ରିଟ ଆୟୋଜନ ହେବାକୁଥିବା ସ୍ଥାନ ପରିଦର୍ଶନ କରିଥିଲେ ।ବେଳାଭୂମି ପାର୍ଶ୍ବରେ ଥିବା ସୁରକ୍ଷା ପାଚେରୀ ବିଭିନ୍ନସ୍ଥାନ ଭୁସୁଡ଼ି ଯାଇଥିବାରୁ ତାହାର ମରାମତି ପାଇଁ ସେମାନେ ଭିତ୍ତିଭୂମି ପରଖିଥିଲେ ।ଉତ୍ସବ ଆୟୋଜନ ପୂର୍ବରୁ ରାସ୍ତା ମରାମତି ଓ ସୁରକ୍ଷା ପାଚେରୀ ମରାମତି ସହିତ ପୂର୍ତ୍ତ ବିଭାଗ ଅଧିନରେ ରହିଥିବା ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ସମାପ୍ତ କରାଯିବ ବୋଲି ସୂଚନା ମିଳିଛି ।ତେବେ ମହାମାରୀ କରୋନା ର ସ୍ଥିତି ଉପରେ ଉତ୍ସବ ଆୟୋଜନ ନିର୍ଭର କରୁଥିବାର ଜଣାପଡ଼ିଛି ।
