ବୋମା ବିସ୍ଫୋରଣରେ ନାବାଳକ ମୃତ୍ୟୁ ଘଟଣାକୁ ପୁରିଲା ଦେଢବର୍ଷ, ଗିରଫ ହେଉନାହାନ୍ତି ଆଉ ୪ ଅଭିଯୁକ୍ତ : ସୋସିଆଲ ମିଡିଆରେ ଗୁହାରି କଲେ ମା
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : ବୋମା ବିସ୍ଫୋରଣରେ ଜଣେ ୭ ବର୍ଷର ନାବାଳକ ପ୍ରାଣ ହରାଇଥିବା ଘଟଣାକୁ ଦେଢବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ୍ ଏ ଘଟଣାରେ ସବୁ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି ।ଯାହାକୁ ନେଇ ମୃତ ନାବାଳକର ମା ଶାନ୍ତି ସେଠୀ ସୋସିଆଲ ମିଡିଆରେ ଅତ୍ଯନ୍ତ କ୍ଷୋଭର ସହ ଓଡିଶା ପୋଲିସ ନିକଟରେ ଗୁହାରି କରିଛନ୍ତି। ଘଟଣାରୁ ଜଣାଯାଏ ଯେ, ଗତ ୧୯ ଫେବୃୟାରୀ ୨୦୧୯ ରେ ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ଜଣେ ନାବାଳକ ଖେଳୁଥିବା ସମୟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ନାବାଳକ ପୁତ୍ର ନାରାୟଣ ସେଠୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଘଟଣାଟି ସେତେବେଳେ ବହୁ ଚର୍ଚ୍ଚିତ ଘଟଣା ପାଲଟିଥିବା ବେଳେ ସବୁ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା।
ଗ୍ରାମକୁ ବୋମା କେମିତି ଆସିଲା, କିଏ ଆଣିଥିଲା, କାହିଁକି ଆଣିଥିଲା ସେ ନେଇ ପୋଲିସ ଛାନଭିନ୍ କରିଥିଲା। ମୃତ ନାବାଳକର ମା ଶାନ୍ତି ସେଠୀ ଏନେଇ କୋଦଳା ଥାନାରେ ୫ ଜଣଙ୍କ ନାମରେ ଏତଲା ଦେଇଥିଲେ। ବୋମା ଆଣିବା ଏବଂ ରଖିବା ସହ ସେହି ଗ୍ରାମର ଦିଲ୍ଲୀପ ପୋଲାଇ ପୂର୍ବରୁ ମୃତ ନାବାଳକର ପରିବାର ପ୍ରତି ଶତୃତା ଥିବା ଘଟଣା ସାମ୍ମାକୁ ଆସିଥିଲା। ଦିଲ୍ଲୀପ ପୋଲାଇ ବମ୍ କୁ ନାବାଳକ ପୁତ୍ର ହାତରେ ଧରାଇ ଦେଇ ଚାଲିଯାଇଥିଲେ ଏବଂ ଅନ୍ୟ ଚାରିଜଣ ବ୍ଯକ୍ତି ପ୍ରତାପ ତରେଇ, ରମେଶ ତରେଇ ଓ ଅନ୍ୟ ଅଚିହ୍ନା ଦୁଇଜଣ ବ୍ଯକ୍ତି ଏ ଘଟଣାରେ ଥିବା ନେଇ ଅଭିଯୋଗ ଆଣିଥିଲେ ମୃତ ନାବାଳକର ମା।
ତେବେ ବହୁ କଷ୍ଟରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ ପୋଲାଇକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୪ ଅଭିଯୁକ୍ତକୁ ପୋଲିସ ଗିରଫ କରୁନଥିବା ନେଇ ଅଭିଯୋଗ କରିଛନ୍ତି ଶାନ୍ତି ସେଠୀ। ମୋ ସରକାର ପକ୍ଷରୁ ଉକ୍ତ ମାମଲାକୁ ନେଇ ଶାନ୍ତିକଂ ମତାମତ ଫୋନ୍ ମାଧ୍ୟମରେ ନିଆଯାଇଛି। ପୋଲିସ ର କାର୍ଯ୍ୟ କଳାପ ତଥା ସମସ୍ତ ଘଟଣା ସଂପର୍କରେ ଶାନ୍ତି କହିଛନ୍ତି। କିନ୍ତୁ ଏଯାବତ ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଛନ୍ତି ବୋଲି ଅଭିଯୋଗ ହେଉଛି। ଘଟଣା ଏତିକିରେ ସରିନି, ଏଯାବତ୍ ସରକାରଙ୍କ କୌଣସି କ୍ଷତିପୂରଣ ସଂପୃକ୍ତ ପରିବାରକୁ ଦିଆଯାଇନାହିଁ। ଏନେଇ ଶାନ୍ତି ସେଠୀ ଗଂଜାମ ଜିଲ୍ଲା ମୁଖ୍ୟ ପୋଲିସ ଅଧିକାରୀ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସାରିଛନ୍ତି।
ମୁଖ୍ୟମନ୍ତ୍ରୀ, ରାଜ୍ଯପାଳ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ପାଖକୁ ମଧ୍ଯ ପତ୍ର ଲେଖି ସାରିଲେଣି। ତଥାପି କୌଣସି ସୁଫଳ ମିଳିପାରୁନାହି ।ଶେଷରେ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ଗୁହାରି କରିଛନ୍ତି ଶାନ୍ତି। ଆଶା ରଖିଛନ୍ତି ଘଟଣାକୁ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ଏବଂ କ୍ଷତିପୂରଣ ପାଇବା ପାଇଁ ଆଶା ରଖିଛନ୍ତି ପରିବାର।