କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : କରୋନାର ଦିତୀୟ ଲହରକୁ ନେଇ ଗଂଜାମ ଜିଲ୍ଲାପାଳଙ୍କ ଭିଡିଓ ବାର୍ତ୍ତା ଜାରି ହୋଇଛି ।ଜିଲ୍ଲାରେ ଦଣ୍ଡଯାତ୍ରା ଓ ଦୋଳଯାତ୍ରାକୁ ନେଇ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଦଳା ତହସିଲଦାର ଅବନୀ କୁମାର ସାହୁ ଅଞ୍ଚଳର ଦଣ୍ଡଯାତ୍ରା ଓ ଦୋଳଯାତ୍ରା କମିଟି ମାନଙ୍କୁ ନେଇ ମଂଗଳବାର ଏକ ବୈଠକ କରିଥିଲେ। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ କରୋନା ବେକାବୁ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଏଥିପାଇଁ ସମସ୍ତେ ବ୍ଯାପକ ସଚେତନତା ସୃଷ୍ଟି କରାଇବା ସହ ଆଗାମୀ ଦଣ୍ଡଯାତ୍ରା ଓ ଦୋଳଯାତ୍ରାକୁ ନେଇ କଟକଣା ସଂପର୍କରେ ବିସୃତ ଭାବେ ଆଲୋଚନା କରିଥିଲେ ତହସିଲଦାର। ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦଣ୍ଡଯାତ୍ରା ଓ ଦୋଳଯାତ୍ରା ପାଇଁ ଯେଉଁ ସବୁ କଟକଣା ଜାରି କରାଯାଇଛି ତାହାକୁ କିଭଳି ଭାବେ ପାଳନ କରାଯିବ ସେ ନେଇ ଏହି ବୈଠକ ରେ ଆଲୋଚନା ହୋଇଥିଲା। ଦଣ୍ଡଯାତ୍ରା ଓ ଦୋଳଯାତ୍ରା କେବଳ ରୀତିନୀତି ଅନୁସାରେ ହିଁ କରାଯିବ ଏବଂ କୌଣସି ପ୍ରକାରର ଜନଗହଳି ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ ବୋଲି କୁହାଯାଇଥିଲା। ସୀମିତ ଦଣ୍ଡୁଆକୁଂ ନେଇ ପରମ୍ପରା ଅନୁସାରେ ପାଳିତ ହେବ ଦଣ୍ଡଯାତ୍ରା। ସେହିପରି ଦୋଳଯାତ୍ରାରେ ମେଳଣ ପର୍ବ, ଆତସବାଜିକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଯଥା ସମ୍ଭବ ସୀମିତ ଲୋକକୁଂ ନେଇ ଏହିସବୁ ଯାତ୍ରା କରାଯିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟା ପରଠାରୁ କୌଣସି ସ୍ଥାନରେ ମାଇକ୍, ଡିଜେ ନ ବଜାଇବାକୁ ପରାମର୍ଶ ଦିଆଯାଇଛି। ଭୋଜିଭାତ ଓ ନାଚଗୀତକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏଥିରେ ଖିଲାପ ହେଲେ କୋଭିଡ୍ ଆଇନ ଅନୁଯାୟୀ ସଂପୃକ୍ତ ଯାତ୍ରାର ମୁଖ୍ୟ କର୍ମକର୍ତ୍ତା ମାନଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ବୋଲି କୁହାଯାଇଛି। ବେଗୁନିଆପଡ଼ା ବ୍ଳକ, କୋଦଳା ଏନଏସି ଅନ୍ତର୍ଗତ ବିଭିନ୍ନ ଯାତ୍ରା କମିଟିର ମୁଖିଆ, ସ୍ଥାନୀୟ ଜନପ୍ରତିନିଧିକୁଂ ନେଇ ଆୟୋଜିତ ଏହି ବୈଠକରେ ତହସିଲଦାରଙ୍କ ସମେତ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଏନ୍ ଏ ସି କାର୍ଯ୍ଯ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ ଉପସ୍ଥିତ ଥିଲେ।
Comments are closed.