ନୂଆଦିଲ୍ଲୀ : କିଛିଦିନ ପୂର୍ବରୁ କିମ ଜୋଙ୍ଗ ଙ୍କ ରୁଷ ଗସ୍ତରେ ଯାଇଥିବାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା l ଏହି ସମୟରେ ତାଙ୍କ ସହିତ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗ ତାଙ୍କ ସହିତ ରହିଥିଲେ l ଏହି ନର୍ଥ କୋରିଆର ଲେଡି ଲିଡର ଙ୍କୁ ମଧ୍ୟ ତାଙ୍କ ଭାଇଙ୍କ ଠାରୁ ଅଧିକ ଭୟଙ୍କର ପ୍ରକୃତିର ବୋଲି କୁହାଯାଇଥାଏ l ସେ ଅନେକ ସମୟରେ ନିଜ ଶତ୍ରୁ ମାନଙ୍କୁ ନ୍ୟୁକ୍ଲିୟର ଆକ୍ରମଣ ର ଧମକ ଦେଇ ଥାଆନ୍ତି l ନିକଟରେ ପ୍ରକାଶିତ ଗୋଟିଏ ପୁସ୍ତକ ଅନୁସାରେ କିମ ୟୋ ଜୋଙ୍ଗ କେବଳ ଉତର କୋରିଆ ନୁହେଁ, ସାରା ବିଶ୍ୱର ଗୋଟିଏ କଠୋର ଓ ଭୟଙ୍କର ମହିଳା ଭାବରେ ଜଣାଶୁଣା l
ଉତର କୋରିଆର ବିଶ୍ୱର ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କ ଖୁବ ସୀମିତ, ତଥାପି ଏଠାକାର କୌଣସି ନା କୌଣସି କଥା ଲୋକଲୋଚନ କୁ ଆସିଥାଏ l ଏହାକୁ ଗୋଟିଏ ପୁରୁଷ ପ୍ରଧାନ ଏକଛତ୍ରବାଦ ଶାସନ ଥିବା ଦେଶ ଭାବରେ ସମସ୍ତେ ଜାଣି ଥାଆନ୍ତି l ଯେଉଁଠି ମହିଳାମାନେ ରାଜନୀତିରେ ସଂଶ୍ଲିଷ୍ଟ ରହିବା ସାଧାରଣ କଥା ନୁହେଁ l ଏପରି ସ୍ଥିତିରେ କିମ ଜୋଙ୍ଗ ଙ୍କ ଭଉଣୀ ଜଣେ ସାଧାରଣ ଝିଅ ରୁ ରାଜନୀତି ରେ ନିଜର ଗୋଟିଏ ସୁଦୃଢ଼ ବ୍ୟକ୍ତିତ୍ୱ ତିଆରି କରିଛନ୍ତି ତାହା ସତରେ ଖୁବ ଆଶ୍ଚର୍ଯ୍ୟକର l ବିଶେଷ ଭାବରେ ୟୋ ଜୋଙ୍ଗ ଙ୍କ କ୍ରୁରତା କୁ ନେଇ ମଝିରେ ମଝିରେ ଅନେକ କଥା ଶୁଣିବାକୁ ମିଳିଥାଏ l
କରୋନା ମହାମାରୀ ସମୟରେ ଯେତେବେଳେ ଦୀର୍ଘଦିନ ପର୍ଯ୍ୟନ୍ତ କିମ ଜୋଙ୍ଗ ଲୋକ ଲୋଚନ କୁ ଆସିନଥିଲେ, ସେହି ସମୟରେ କିମ ଙ୍କ ମୃତ୍ୟୁ ର ମିଥ୍ୟା ପ୍ରଚାର ହୋଇଥିଲା ଏବଂ ଏହି ସମୟରେ ବିଦେଶୀ ଗଣମାଧ୍ୟମ ୟୋ ଜୋଙ୍ଗ ଙ୍କୁ ଗୁରୁତ୍ୱ ଦେଇ କହିଥିଲା ଯେ କିମ ଜୋଙ୍ଗ ଙ୍କ ପରିବର୍ତେ ତାଙ୍କ ଭଉଣୀ ଉତର କୋରିଆ କୁ ସମ୍ଭାଳିବେ l
‘ଦି ସିଷ୍ଟର : ଏକ୍ସଟ୍ରା ଅର୍ଡିନାରି ଷ୍ଟୋରି ଅଫ କିମ ୟୋ ଜୋଙ୍ଗ’ ର ଲେଖକ ସଙ୍ଗ -ୟୁନ ଲି ଙ୍କର ଉତର କୋରିଆ ସହିତ ଖୁବ ନିବିଡ଼ ସମ୍ପର୍କ ରହିଛି l ସେ ସେଠାକାର ରାଜନୀତି କୁ ଖୁବ ନିକଟରେ ଦେଖିଛନ୍ତି, ସେ ନିଜ ପୁସ୍ତକ ରେ ଲେଖିଛନ୍ତି ଯେ ସମୟ ଆସିଲେ ଅତି ନିରୀହ ଦେଖାଯାଉଥିବା ଭଉଣୀ ମଧ୍ୟ ନିଜ ଭାଇ ଠାରୁ ଅଧିକ ଭୟଙ୍କର ହୋଇପାରେ l ସେ କୌଣସି ନିଷ୍ପତି ନେବା ପୂର୍ବରୁ କଦାପି ସଂକୋଚ କରନ୍ତି ନାହିଁ l ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ l
ସବୁବେଳେ ନିଜ ଭାଇ ଠାରୁ କିଛିପାଦ ଦୂରେଇ ରହୁଥିବା, ଚୁପଚାପ ପଛରେ ରହି ସ୍ମିତ ହାସ୍ୟ ବଦନରେ ଦେଖୁଥିବା ଏବଂ କ୍ୟାମେରା ଠାରୁ ଲଗାତାର ଦୁରେଇ ରହିବାକୁ ପସନ୍ଦ କରୁଥିବା ଏହି ପତଳା ଝିଅ କିମ ୟୋ ଜୋଙ୍ଗଙ୍କ ବିଷୟରେ ଏହି କଥାଟି ଗ୍ରହଣ କରିବା କଷ୍ଟକର ଯେ ଖୁବ ସାଧାରଣ ଦେଖାଯାଉ ଥିବା ଗୋଟିଏ ଝିଅ ମଧ୍ୟରେ ଗୋଟିଏ କ୍ରୁର ଜଟିଳ ମଣିଷ ରହିଛି l କିନ୍ତୁ ପଡୋଶୀ ଦେଶ ଦକ୍ଷିଣ କୋରିଆ ଲଗାତାର କହି ଚାଲିଛି ଯେ ନିଜ ଭାଇ କୁ ସାଇଡ କରି କିମ ୟୋ ଜୋଙ୍ଗ ଖୁବ ଶକ୍ତିଶାଳୀ ହୋଇ ସାରିଛି l
୧୯୮୭ ରେ ଜନ୍ମିତ କିମ ୟୋ ଜୋଙ୍ଗ ନିଜର ସରଳ ଶାନ୍ତ ମୁହଁ ତଳେ ଗୋଟିଏ କଠୋର ଭୟଙ୍କର ଶାସକ କୁ ଲୁଚାଇ ରଖିଛନ୍ତି ଏହା ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ l କିମ ୟୋ ଜୋଙ୍ଗ ସ୍ୱିଜରଲ୍ୟାଣ୍ଡ ର ଗୋଟିଏ ସ୍କୁଲ ରେ ପାଠ ପଢୁଥିଲେ, ସେଠାରେ ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ଗୋପନୀୟ ରଖା ଯାଇଥିଲା l ସ୍ୱିଜରଲ୍ୟାଣ୍ଡ ରୁ ଫେରିବା ପରେ ସେ ଉତର କୋରିଆରେ କମ୍ପ୍ୟୁଟର ସାଇନ୍ସ ରେ ଶିକ୍ଷା ଗ୍ରହଣ କରିଥିଲେ l କିମ ୟୋ ଜୋଙ୍ଗ ଙ୍କ ଉପରେ ଲିଖିତ ଏହି ପୁସ୍ତକ ରେ ଏହା ମଧ୍ୟ କୁହାଯାଇଛି ଯେ ମହିଳା ରୂପରେ ୟୋ ଜୋଙ୍ଗ ଜଣେ ସୈତାନ ଯିଏକି ରକ୍ତ ପିପାସୁ l ଉତର କୋରିଆରେ ମୃତ୍ୟୁଦଣ୍ଡ ଗୋଟିଏ ସାଧରଣ କଥା ଯାହାକୁ କରିବା ପାଇଁ ୟୋ କଦାପି ପଛାଇ ନଥାଆନ୍ତି l
ଏହି ପୁସ୍ତକର ସୂଚନା ଅନୁସାରେ ୟୋ ଜୋଙ୍ଗ ଏତେ ଭୟଙ୍କର ଯେ ଯଦି କେହି ବ୍ୟକ୍ତି ତାଙ୍କ ରାଜନୈତିକ ଦଳ ବିରୁଦ୍ଧରେ ସ୍ୱର ଉଠାଇ ଥାଏ ତାକୁ ହତ୍ୟା କରିବାକୁ ପଛାଇ ନଥାଆନ୍ତି l ଏପରିକି ନିଜ ପିଉସା ଓ ଦାଦା ଙ୍କ ହତ୍ୟା ପଛରେ ମଧ୍ୟ ୟୋ ଜୋଙ୍ଗ ଙ୍କ ହାତ ରହିଛି ଏହି ସୂଚନା ଦକ୍ଷିଣ କୋରିଆ ଓ ଆମେରିକାର ଗୁଇନ୍ଦା ବିଭାଗ ଦେଇଥିଲେ l
ୟୋ ଜୋଙ୍ଗଙ୍କୁ ଦୁନିଆ ପ୍ରଥମଥର ୨୦୦୯ ରେ ଦେଖିଲା, ଯେତେବେଳେ ତାଙ୍କ ପିତାଙ୍କ ର ହାର୍ଟ ଆଟାକ ଆସିଥିଲା ଓ ସେ ସାର୍ବଜନିକ ସ୍ଥାନକୁ ନିଜ ପିତା ଙ୍କ ସହିତ ଯାଇଥିଲେ l ଏହି ସମୟରେ ତାଙ୍କୁ ଏତେ ଗୁରୁତ୍ୱ ଦିଆଯାଇ ନଥିଲା, ପିତାଙ୍କ ମୃତ୍ୟୁପରେ ଭାଇ ସହିତ ଓ ଖୁବ ଶୀଘ୍ର ୨୦୧୪ ରେ ମିଡ଼ିଆ ଡିପାର୍ଟମେଣ୍ଟ ସମ୍ଭାଳିବା ପରେ ତାଙ୍କ ହାତକୁ ଧୀରେ ଧୀରେ ଅନେକ ଦାୟିତ୍ୱ ନେଇଥିଲେ l ଧୀରେ ଧୀରେ ଭାଇ ଙ୍କ ରାଜନୈତିକ ଜୀବନ ରୁ ନେଇ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଯେପରିକି ଭାଇ କେଉଁ ପୋଷାକ ପିନ୍ଧି କେଉଁଠିକୁ ଯିବେ ତାହା ମଧ୍ୟ ୟୋ ନିର୍ଣ୍ଣୟ କରି ଥାଆନ୍ତି l
ୟୋ ଜୋଙ୍ଗ ଙ୍କ ଭାଇ ମଧ୍ୟ ତାଙ୍କ କାର୍ଯ୍ୟ ଦକ୍ଷତା କୁ ନେଇ ଏତେ ଭୟଭୀତ ଯେ ତାଙ୍କୁ ଡିଫେନ୍ସ କମିଶନ ରେ କୌଣସି ପଦବୀ ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି l ୟୋ ଙ୍କ ବିବାହ ୨୦୧୪ ରେ ଜଣେ ସରକାରୀ ଅଧିକାରୀ ଙ୍କ ପୁଅ ଚାଓ ଙ୍କ ସହିତ ହୋଇଥିଲା l କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବିଶେଷ କିଛି ଏହି ପୁସ୍ତକ ରେ ଲେଖାଯାଇ ନାହିଁ l