Odisha news

ଟାଟା ଷ୍ଟିଲ ପକ୍ଷରୁ ଡେଙ୍ଗୁ ସଚେତନତା

0

କେନ୍ଦୁଝର :  ଡେଙ୍ଗୁ ରୋଗର ଦମନ ଓ ଏହାର ନିରାକରଣ ବିଷୟରେ ଗୋଷ୍ଠୀ ସମୁଦାୟରେ ସଚେତନତା ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଯୋଡ଼ା ମୁନିସିପାଲିଟି ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଜଳହରୀ, ଜୁରୁଡ଼ି ଓ ଜଜଓଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥ‌ିବା ଗ୍ରାମଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଧୂଆଁ ଦେବା,ଆଂଟି-ଲାର୍ଭା ସ୍ପ୍ରେ କରିବା, ସାର୍ବଜନୀନ ଘୋଷଣା ଏବଂ ଡେଙ୍ଗୁକୁ ନେଇ କ’ଣ କରିବେ ଓ କ’ଣ କରିବେ ନାହିଁ- ସେ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ଥ‌ିବା ପ୍ରଚାରପତ୍ର ବଣ୍ଟନ ଜରିଆରେ ସଚେତନ କରାଯାଇଛି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଏକ ଉତ୍ସର୍ଗୀକୃତ ଦଳ ଗଠନ କରାଯାଇ  ଏହି ସମସ୍ତ ଅଞ୍ଚଳରେ ମଶା ବଂଶ ବୃଦ୍ଧି ସ୍ଥଳଗୁଡ଼ିକୁ ଚିହ୍ନଟ କରାଯାଉଛି ଏବଂ ମଶା ଲାର୍ଭା ସଂଖ୍ୟା କମ୍ କରିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଯୋଡ଼ା ଓ ଏହାର ଆଖପାଖର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ପରିଚାଳିତ ହେଉଥ‌ିବା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ୍ ଗୁଡ଼ିକ ଜ୍ଵର ଓ ପ୍ରାଥମିକ ଚିକିତ୍ସା ପାଇଁ ଗୋଷ୍ଠୀ ସମୁଦାୟର ସ୍କ୍ରିନିଂ କରାଯାଉଛି । ରୋଗ ବ୍ୟାପିବାକୁ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ସ୍ଵଚ୍ଛତା ବଜାୟ ରଖିବା ପାଇଁ ବାସିନ୍ଦା ଓ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଉଛି । ଭେକ୍ଟର ବାହିତ ରୋଗର କୌଣସି ଲକ୍ଷଣ ଥିଲେ କିମ୍ବା ଜ୍ଵର ହେଉଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେମାନଙ୍କୁ କୁହାଯାଉଛି। ସାମାଜିକ ଦାୟିତ୍ୱବୋଧର ଅଂଶ ଭାବେ ଟିଏସ୍ଏଫ୍ ପକ୍ଷରୁ ନିକଟରେ ୧୨ହଜାର ମଶାରି ଆଖପାଖ ଗ୍ରାମ ଯଥା ସରଗିତଳିଆ, ଗୁରୁଡ଼ା, ବେଣୁଆପାଣି, କୁଣ୍ଡାପଶି, ବାମେବାରୀ, ପଳସା କ ଓ ଖ, ନମ୍ବିରା, ଖଣ୍ଡବନ୍ଧ, କୁରୁଡ଼ି ଓ ଜଜାଙ୍ଗରେ ବଂଟନ କରାଯାଇଛି । ସୂଚନାଯୋଗ୍ୟ, ଯୋଡା ଏବଂ ଏହାର ଆଖପାଖ ଅଞ୍ଚଳର ଡେଙ୍ଗୁ ଭୟଙ୍କର ଭାବେ, ତାହାର କାୟା ବିସ୍ତାର କରିବାରେ ଲାଗିଛି । ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ଜିଲ୍ଲାରେ ପ୍ଲେଟଲେଟ୍ ସେପାରେସନ୍ ଯନ୍ତ୍ର ନଥିବାରୁ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜାମସେଦପୁର, କଟକ କିମ୍ବା ଭୁବନେଶ୍ବରକୁ ସ୍ଥାନାନ୍ତରିତ କରାଯାଉଛି ।

Leave A Reply