କେନ୍ଦୁଝର : ୨୦ ନମ୍ବର ଜାତୀୟ ରାଜପଥ ଅଧାଗଢ଼ା ହୋଇ ରହିଥିବାରୁ ଦୈନନ୍ଦିନ ବ୍ୟାପକ ଦୁର୍ଘଟଣା ଘଟିଥିବାରୁ ବହୁ ଧନ ଜୀବନ ନଷ୍ଟ ହେଉଛି ।ରାସ୍ତାକଡ଼ରେ ବେଆଇନ ଭାବେ ଟ୍ରକ୍ପାର୍କିଂ କରାଯାଉଛି। ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି ବାଲିଯୋଡ଼ି ଦୁର୍ଘଟଣା ପରେ ଆଜି କେନ୍ଦୁଝର ଏସ୍ପି ନୀତିନ କୁଶଳକର ଡାଗୁଡ଼ ୨୦ ନମ୍ବର ଜାତୀୟ ରାଜପଥର ଘସିପୁରା ଥାନା ଶାଳପଡ଼ାସ୍ଥିତ ବ୍ଲାକ୍ସ୍ପଷ୍ଟ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଠାରେ ୫ବର୍ଷ ହେଲା ରାସ୍ତା ଅସମ୍ପୂର୍ଣ୍ଣ ରହିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏହି ଦୃଷ୍ଟିରୁ ୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲ୍ଲା ବାସୀଙ୍କ ପାଇଁ ଅଭିଶପ୍ତ ହୋଇପଡିଛି । ଶାଳପଡ଼ାଛକ କେନ୍ଦୁଝର ଜିଲ୍ଲା ସହ ପଡ଼ୋଶୀ ଯାଜପୁର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି। ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡ଼ି ଚଳାଚଳ କରୁଛି। ଶାଳପଡ଼ା ଓଭରବ୍ରିଜ୍ ଉପରେ ଏକ କିମି ରାସ୍ତା ଅସମ୍ପୂର୍ଣ୍ଣ ରହିଛି। ଗୋଟିଏ ପାର୍ଶ୍ଵ ରାସ୍ତାରେ ଗାଡ଼ିମୋଟର ଚଳାଚଳ କରୁଥିବାରୁ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ୫ବର୍ଷ ହେଲା ରାସ୍ତା ଅସମ୍ପୂର୍ଣ୍ଣ ରହିଥିଲେ ମଧ୍ୟ ଏନ୍ଏଚଏଆଇ କୌଣସି ତତ୍ପରତା ପ୍ରକାଶ କରୁନାହିଁ। ଶାଳପଡ଼ା ଆଇଟିଆଇ ଛକରେ ଏକ ଗଳିପୋଲ ନିର୍ମାଣ କରିବାକୁ ଜନସାଧାରଣ ଦାବି କରି ଆସୁଛନ୍ତି । ପ୍ରଶାସନ କିମ୍ବା ଏନ୍ଏଚ୍ଏଆଇ ଏନେଇ ଥରେ ଲୋକଙ୍କ ସହ ଆଲୋଚନା କରିନାହାନ୍ତି। ୫ବର୍ଷ ମଧ୍ୟରେ ଅଧାଗଢ଼ା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ୧୫ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ବିଶେଷକରି ଲୁହାପଥର ବୋଝେଇ ଟ୍ରକ୍ ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି।
ଗତ ୩ ତାରିଖରେ ବାରିଗାଁ ଡାଇଭର୍ସନ ନିକଟରେ ବାଇକ୍ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ସହ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଭାଇଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୭ ତାରିଖ ଅପରାହ୍ଣରେ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ସାଇକଲରେ ଯାଉଥିବା ଦେଓଗାଁ ପଞ୍ଚାୟତ ତିହସାହି ଗ୍ରାମର କଣ୍ଠବାସ ନାୟକ (୭୦)ଙ୍କୁ ଟ୍ରକ୍ ଧକ୍କା ଦେବା ସହ ଘୋଷାରି ନେବାରୁ ସେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁଇଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ଶାଳପଡ଼ା ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ୍ ରାସ୍ତାରୁ ୩୦ ଫୁଟ ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭର ଅସ୍ତରଙ୍ଗ ଅଞ୍ଚଳର ବିଷ୍ଣୁ ବାରିକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଏନ୍ଏଚ୍ଏଆଇ, ପରିବହନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ଡାଇଭର୍ସନକୁ ବନ୍ଦ କରାଯାଇଛି। ଦୀର୍ଘ ୫ବର୍ଷ ଧରି ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ ଏନେଇ ପ୍ରଶାସନ କିମ୍ବା ଏନ୍ଏଚ୍ଏଆଇ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିଲା। ଗତକାଲି ବାଲିଯୋଡି ନିକଟରେ ଦୁର୍ଘଟଣା ପରେ ଏସପି ନୀତିନ କୁଶଲକର ଡାଗୁଡ଼ଙ୍କ ସମେତ ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ, ଜିଲ୍ଲା ସଡ଼କ ସୁରକ୍ଷା ଅଧିକାରୀ ରାକେଶ ସେଠୀ, ଏନ୍ଏଚ୍ଏଆଇ ପିତି ମହେଶ ଗାମୀ, ସାଇଡ୍ ଇଞ୍ଜିନିୟର ଅରୁଣ କୁମାର ଦାସ, ରେସିଡେଣ୍ଟ ଇଂଜିନିୟର ଲକ୍ଷ୍ମୀଧର ନାୟକ ପ୍ରମୁଖ ଖପରାଖାଇରୁ ଶାଳପଡ଼ା, ବାରିଗାଁ, ବେଲବାହାଳି ପର୍ଯ୍ୟନ୍ତ ରାସ୍ତାର ଅନୁଧ୍ୟାନ କରିଛନ୍ତି। ଏପଟେ ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ସର୍ବାଧିକ ଲୁହାପଥର ବୋଝେଇ ଟ୍ରକ୍ ଜାତୀୟ ରାଜପଥ ଉପରେ ପାର୍କିଂ କରୁଛନ୍ତି । ଏନେଇ ଗତକାଲିଠାରୁ ପଦକ୍ଷେପ ଗ୍ରହଣ କରାଯାଉଛି । ବେଆଇନ ଭାବେ ପାକିଂ କରୁଥିବା ଟ୍ରକ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଘସିପୁରା ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥଗୁଡ଼ିକୁ ଉଚ୍ଚ ଗୁଣବତ୍ତାଯୁକ୍ତ କରିବା ସହ ଯାତ୍ରୀଙ୍କୁ ଆରାମଦାୟକ ଓ ସୁରକ୍ଷିତ ଯାତ୍ରା ଅନୁଭୂତି ପ୍ରଦାନ କରିବା ଉପରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗୁରୁତ୍ବ ଦେଉଛି। ୨୦ ନମ୍ବର ଜାତୀୟ ରାଜପଥ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଏନ୍ଏଚ୍ଏଆଇ କେବଳ ଟୋଲ୍ ଆଦାୟରେ ବ୍ୟସ୍ତ ରହିଛି। ଏଭଳି ସ୍ଥିତିରେ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥ ୨୦ର ଗୁଣବତ୍ତା ପରୀକ୍ଷଣ କରିବା ଜରୁରୀ ହୋଇପଡିଛି। ବ୍ଲାକସ୍ପଟ ମରାମତି ଅଭାବ, ତ୍ରୁଟିପୂର୍ଣ୍ଣ ନିର୍ମାଣ, ତଦାରଖର ଅଭାବ, ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି I ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ୨୦ ନମ୍ବର ଜାତୀୟ ରାଜପଥର ଗୁଣବତ୍ତା ଯାଞ୍ଚ କରି ସ୍ଥିତିରେ ସୁଧାର ଆଣିବାକୁ ଦାବି ହେଉଛି।