କେନ୍ଦ୍ରାପଡା, ୨୪/୧୧(Rabindra Dash) : – ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବାରମାସରେ ତେର ଯାତ୍ରା ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମାରେ ରାହସ ଯାତ୍ରା ଅନ୍ୟତମ । ଏହି ରାହସ ଯାତ୍ରା ଅବସରରେ ଶ୍ରୀ ଜୀଉଙ୍କ ମନ୍ଦିର ସମ୍ମୁଖ ରଥଖଳା ଚକଡାରେ ଫୁଲରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଉକ୍ତ ଦିନ ରଥ ଖଳାରେ ନିର୍ମାଣ କରାଯାଇଥିବା ଫୁଲ ରଥକୁ ସନ୍ଧ୍ୟା ଆଳତୀ ପରେ ରାଧା କୃର୍ଷ୍ଣ ଓ ଶ୍ରୀ ବଳଦେବଜୀଉଙ୍କ ବିଜେପ୍ରତିମା ଶ୍ରୀ ଗୋବିନ୍ଦଜୀଉ ମଣୀ ବିମାନରେ ଆସି ଫୁଲରଥରେ ବିଜେ କରିଥାନ୍ତି ଏବଂ ନୀତିକାର୍ଯ୍ୟ ସମାପନ ପରେ ବିଳମ୍ବିତ ରାତିରେ ମନ୍ଦିରକୁ ବିଜେ କରିଥାନ୍ତି । ଏହା ଏକ ସ୍ୱତନ୍ତ୍ର ତଥା ବହୁ ପ୍ରଚୀନ ପରମ୍ପରା ଅଟେ ।
ଚଳିତ ବର୍ଷ ରାହସଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ଆସନ୍ତା ନଭେମ୍ବର ୩୦ତାରିଖରେ ପଡୁଥିବାରୁ କୋଭିଡ -୧୯ ନିୟମ ଅନୁଯାୟୀ ଜିଲ୍ଲାପାଳଙ୍କ ଅନୁମତି ନେଇ ଏହି ଯାତ୍ରାପାଳନ କରିବାପାଇଁ ଶ୍ରୀ ବଳଦେବଜୀଉ ଟ୍ରଷ୍ଟବୋର୍ଡର ସଭାପତି ତଥା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ବୈଠକରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ଅନୁମତି ପତ୍ର ଓ ଟ୍ରଷ୍ଟବୋର୍ଡର ପ୍ରସ୍ତାବ ସହ ଜିଲ୍ଲାପାଳଙ୍କୁ ଆବାସିକ କାର୍ଯ୍ୟାଳୟରେ ଟ୍ରଷ୍ଟବୋର୍ଡର ସଭ୍ୟ ତଥା ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ରଞ୍ଜନ କୁମାର ପୃଷ୍ଟି, ଯଯାତୀ କେଶରୀ ମହାନ୍ତି, ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଭେଟି ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରି ଆବଶ୍ୟକୀୟ ଅନୁମତି ଦେବା ନିମନ୍ତେ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏ ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରି କୋଭିଡ-୧୯ ନିୟମ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।