ମୃତ୍ୟୁର ୪ଦିନ ପରେ ବି ଉଠୁନି ମା’ ଝିଅଙ୍କ ଶବ , ନ୍ୟାୟ ପାଇଁ ଗ୍ରାମବାସୀଙ୍କ ଧାରଣା : ଦୁର୍ଗନ୍ଧରେ ଫାଟି ପଡୁଛି ନାକ , ଅପୂଜା ରହିଛନ୍ତି ଗାଁ ଠକୁର
କେନ୍ଦ୍ରାପଡା,୨୩/୯ (ରବୀନ୍ଦ୍ର ଦାଶ )- ଜିଲ୍ଲାର ରାଜନଗର ବ୍ଲକ୍ ଅର୍ନ୍ତଗତ ମହୁଲିଆ ପଂଚାୟତର ମାଣପଡା ଗ୍ରାମରେ ପଡି ରହିଥିବା ମା’ ଝିଅଙ୍କ ଶବକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ତା’ର ପରିବାର ଲୋକେ ଓ ଗ୍ରାମବାସୀ ମାନେ ଶବ ସତ୍କାର କରୁନାହାଁନ୍ତି । ମା’ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଅଟଳ ରହିଛନ୍ତି ।
ପ୍ରକାଶ ଯୋଗ୍ୟ ଯେ , ଗତ ୧୯ ତାରିଖରୁ ମାଣପଡା ଗ୍ରାମର ପତିତପାବନ ନାଥଙ୍କ ସ୍ତ୍ରୀ ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟା ନାଥ ନିଖୋଜ ଥିଲେ ।୪ ଦିନ ତଳେ ପ୍ରମିଳା ହଂସୁଆ ନଦୀର ଗୋବର୍ଦ୍ଧନପୁର ଗାଁ ନିକଟରୁ ମିଳଥିବା ବେଳେ ତାଙ୍କ ବଡ ଝିଅ ସତ୍ୟପ୍ରିୟାଙ୍କ ଶବ ମାମୁଁ ଘର ପୋଖରୀରୁ ଉଦ୍ଧାର ହୋଇଥିଲା । ଏହି ଦୁଇ ହତ୍ୟାକଣ୍ଡ ଧାର ଟଙ୍କା ଦେଣ ନେଣକୁ ନେଇ ଘଟିଛି ବୋଲି ପ୍ରମିଳାଙ୍କ ସ୍ୱାମୀ ପତିତପାବନ ଅଭିଯୋଗ କରିଥିଲେ । ଏଥି ସହିତ ସତ୍ୟପ୍ରିୟା ୮ମାସର ଗର୍ଭବତୀ ଥିଲେ ବୋଲି ଶବ ବ୍ୟବଚ୍ଛେଦରେ ଜଣା ପଡିଛି । ସତ୍ୟପି୍ରୟା ଙ୍କ ଶବ ମାମୁଁ ଘର ଦୁଆରରେ ପଡି ରହିଥିବା ବେଳେ ପ୍ରମିଳା ଙ୍କ ଶବ ଆମ୍ବୁଲାନ୍ସ ରେ ରହିଛି ।
ଗାଁ ଦାଣ୍ଡରେ ଶବ ପଡି ରହିଥିବାରୁ ଦୁର୍ଗନ୍ଧରେ ସ୍ଥାନୀୟ ଲୋକଙ୍କ ନାକ ଫାଟି ପଡୁଥିବା ବେଳେ ୪ ଦିନ ହେଲା ଗାଁ ଠାକୁର ଅପୂଜା ରହିଛନ୍ତି । ମାମୁଁ ଘର ଲୋକ ଫେରାର ଥିବାରୁ ଏ ସବୁ ତାଙ୍କୁ ସନେ୍ଦହରେ ପକାଇଛି । ଏଘଟଣାକୁ ଏସ୍ ପିି ନୀତି ଶେଖର ଗୁରୁତ୍ୱର ସହ ନେବା ସହିତ ନିଜେ ଘଟଣା ସ୍ଥଳକୁ ଯାଇ ଘଟଣାାକୁ ଅନୁଧ୍ୟାନ କରିଛନ୍ତି । ରାଜନଗର ବିଡିଓ , ତହସିଲ୍ଦାର ଓ ଥାନା ଅଧିକାରୀ ଆଜି ଗ୍ରାମବାସୀଙ୍କୁ ଯାଇ ବୁଝାସୁଝା କରିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘେରି ରହିବା ସହିତ ଅଟକ ରଖିଛନ୍ତି । । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।
