ପାଂଚ ପୀଢ଼ ,୧୬/୧କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଳାଶୟରେ ବନବିଭାଗ ପକ୍ଷରୁ ୧୦ ତାରିଖରେ ପକ୍ଷୀ ଗଣନା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଜାନୁଆରୀ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ହେଉଥିବା ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ବିଦେଶାଗତ ପକ୍ଷୀ ଙ୍କ ସମେତ ବହୁ ଦେଶୀୟ ପକ୍ଷୀଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇ ଗଣନା କରାଯାଇଥାଏ। ସୁଦୂର ରୁଷ, ସାଇବେରିଆ, ତଥା ଅନ୍ୟାନ୍ୟ ଦେଶରୁ ଆମ ଦେଶକୁ ବହୁ ପ୍ରଜାତିର ପକ୍ଷୀ ଆସି ସମାଗମ କରିଥାନ୍ତି। ବନବିଭାଗ ତରଫରୁ ସାତକୋଶିଆ ଅଭୟାରଣ୍ୟ ଠାରୁ ଘାଗରବେଡା ପର୍ଯ୍ୟନ୍ତ ବିଭିନ୍ନ କର୍ମଚାରୀଙ୍କୁ ପକ୍ଷୀ ଗଣନା ପାଇଁ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିଲା। କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନେତୃତ୍ୱରେ ଏହାର ଅଧିନରେ ଥିବା ବିଭିନ୍ନ ଜଳାଶୟ, ବନ୍ଧ,ନାଳ, ନଦୀ ଗୁଡ଼ିକରେ ପକ୍ଷୀ ଗଣନା କରାଯାଇଥିଲା। ନିଷ୍ପତ୍ତି ଅନୁଯାୟୀ ବନବିଭାଗ ଅଧିକାରୀ ଓ ପାରା କର୍ମଚାରୀଙ୍କୁ ନେଇ ୨୭ଟି ଟିମ୍ ଗଠନ କରାଯାଇ ସକାଳୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ କରାଯାଇଥିଲା।ବନଖଣ୍ଡରେ ଥିବା ବନାଞ୍ଚଳ ମାନଙ୍କରେ ସମୁଦାୟ ୨୭ ଟି ଜଳାଶୟ ଠାକୁରମୁଣ୍ଡା ୪, କରଞ୍ଜିଆ ୧୦,ଦୁଧିଆଣି ୧୧ ଏବଂ ସାତକୋଶିଆରେ ଥିବା ୨ଟି ଜଳାଶୟରେ ଗଣନା କରାଯାଇଥିଲା।ଏଥର କରଞ୍ଜିଆ ବନାଞ୍ଚଳର ପ୍ରଦୀପ ସାଗର ବନ୍ଧକୁ ନୂତନ ଭାବେ ପକ୍ଷୀ ଗଣନା ପାଇଁ ଅନ୍ତର୍ଭୁକ୍ତ କରାଯାଇଥିଲା ଏଵଂ ଏଠାରେ କିଛି ଆସିଥିବା ଦେଖିବାକୁ ମିଳିଥିଲା। ତେବେ ସୂଚନାଯୋଗ୍ୟ ଯେ ଗତବର୍ଷ ଠାକୁରମୁଣ୍ଡା, କରଞ୍ଜିଆ,ଦୁଧିଆଣୀ ଓ ସାତକୋଶିଆ ବନାଞ୍ଚଳରେ ଯଥାକ୍ରମେ ୮୭ ଟି,୧୦୮୩ ଟି,ଦୁଧିଆଣୀରେ ୩୪୦୪ଟି ଓ ସାତକୋଶିଆରେ ୧୪୩୪ ଟି ପକ୍ଷୀ ଆସିଥିଲେ। ଗତବର୍ଷ ୬୦୦୮ ଟି ପକ୍ଷୀ ଆସିଥିଲେ।ତେଵେ ଏଥର ଠାକୁରମୁଣ୍ଡା ୧୫୭, କରଞ୍ଜିଆ ୧୨୫୫, ଦୁଧିଆଣୀରେ ୨୨୭୧ ଓ ସାତକୋଶିଆରେ ୧୨୯୦ଟି ଏହିପରି ସମୁଦାୟ ୪୯୭୩ ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ଗଣନା କରାଯାଉଛି। ଚଳିତ ବର୍ଷ ବହୁ ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ହୋଇଥିବାରୁ ପକ୍ଷୀ ସଂଖ୍ୟା କମିଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ସୂଚନା ଦେଇଥିଲେ। ପକ୍ଷୀ ଗଣନା ସମୟରେ ୟୁରୋପ, ସାଇବେରିଆ ଅଞ୍ଚଳରୁ ଆସିଥିବା ବିଭିନ୍ନ ବିଦେଶାଗତ ପକ୍ଷୀଙ୍କୁ ଠାବ କରାଯାଇଥିଲା।ରୁଷିଆରୁ ଆସିଥିବା ଓପନବିଲ୍ ଷ୍ଟର୍କ,କିଙ୍ଗଫିସର, ଲିଟିଲଗ୍ରାବ,କଟନ ପିଗମି ଗୁଜ୍, ପ୍ରଭୃତି ପ୍ରଜାତୀର ପକ୍ଷୀ ଦେଖିବାକୁ ମିଳିଥିଲା। ସେମାନେ ହଜାର ହଜାର କିଲୋମିଟର ଉଡ଼ି ଲଦାଖ ସମେତ ଭୁଟାନ,ମାଇନାମର,ପାକିସ୍ତାନ, ବାଙ୍ଗ୍ଲାଦେଶ ପ୍ରଭୃତି ଦେଶ ତଥା ସ୍ଥାନରେ ଶୀତ ଋତୁ କାଟିବା ପାଇଁ ଆସିଥାନ୍ତି। ଏହି ପକ୍ଷୀ ମାନେ ଆମ ଦେଶରେ ପ୍ରାୟ ଦୁଇ ମାସ ଅତିବାହିତ କରିଥାନ୍ତି। ଏହି ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀ ଙ୍କ ସମେତ ଆଞ୍ଚଳିକ ପକ୍ଷୀ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ବନପାଳ ସମେତ ବନକର୍ମଚାରୀ ଏବଂ ପାରା ବନକର୍ମଚାରୀ ଅଂଶ ଗ୍ରହଣ କରିଥିଲେ