କଣ୍ଟାପଡ଼ା : କଣ୍ଟାପଡ଼ା ବ୍ଲକରେ ରବିବାର ରେକର୍ଡ଼ ସଂଖ୍ୟକ ସ୍ୱାବ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ଓ ବ୍ଲକ ପ୍ରଶାସନର ଉଦ୍ୟମରେ ଏହା ସମ୍ଭବ ହୋଇଥିବା କୁହାଯାଉଛି । ଆଜି ସୁନ୍ଦରଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ଦ୍ୱାରିକାନାଥ ଦାଶଙ୍କ ନେତୃତ୍ୱରେ ରେକର୍ଡ଼ ସଂଖ୍ୟକ ୨୮୨ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଥିଲାବେଳେ ପାଟସୁନ୍ଦରପୁର ସରପଞ୍ଚ ଦିଲୀପ ସ୍ୱାଇଁଙ୍କ ସହଯୋଗରେ ମୋଟ ୧୧୯ ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିଲା । ଅଡ଼ଶପୁର ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବିନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ କର୍ମଚାରୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମନ୍ତକୁମାର ଦାଶ ଓ ବ୍ଲକ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, କଣ୍ଟାପଡ଼ା ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତଭାବେ ବୃଦ୍ଧି ପାଉଥିଲାବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ୧୪ଟି ପଞ୍ଚାୟତର ସରକାରୀ କର୍ମଚାରୀ, ଶିକ୍ଷକ, ଶିକ୍ଷିକା, ସ୍ୱାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସମେତ ବିଭିନ୍ନ ମନ୍ଦିର ପୂଜକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାବ ପରୀକ୍ଷା ନିମିତ୍ତ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲାବେଳେ ଜନ ସଚେତନତା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି । ଏ ପର୍ଯ୍ୟନ୍ତ ସୁଦ୍ଧା ୮ଟି ପଞ୍ଚାୟତର ସ୍ୱାବ ସଂଗ୍ରହ ଅଭିଯାନ ସମ୍ପନ୍ନ ହୋଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।