କଣାସ ତା-୨୯/୦୫/୨୦୨୦: କଣାସ ଥାନା ଅନ୍ତର୍ଗତ ଭାଟପଡା ଗ୍ରାମରେ ଗତକାଲି ଗୁରୁବାର ସନ୍ଧ୍ୟା ୭ଟା ସମୟରେ ବୃକ୍ଷରୋପଣ ଦୁର୍ନୀତି ଅଭିଯୋଗ କରିଥିବା ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ସହିତ ତାଙ୍କ ପରିବାରର ସଦସ୍ୟଙ୍କୁ ଗାଁ ଭିତରେ ପଶି ଆକ୍ରମଣ। ପ୍ରକାଶ ଥାଉକି କଣାସ ବ୍ଲକ ଅନ୍ତର୍ଗତ ପାଣ୍ଡିଆକେରା ଗ୍ରାମ ପଞ୍ଚାୟତ ତରଫରୁ ପାଣ୍ଡିଆକେରା ଗ୍ରାମ ଠାରୁ ବେହେଣ୍ଟା ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଦୁଇ କଡରେ ସରକାରୀ ଅର୍ଥ ବିନିଯୋଗ କରାଯାଇ ନଡ଼ିଆ ଗଛ ଲଗାଯାଇଥିଲା।
ମାତ୍ର ବିଡ଼ମ୍ବନାର ବିଷୟ ଏହାର ଦାଇତ୍ୱରେ ଥିବା ବ୍ୟକ୍ତିମାନେ ବିଧିବଦ୍ଧ ଭାବେ ଗଛ ନ ଲଗାଇ ସରକାରୀ ଅର୍ଥ ଆତ୍ମସାତ କରିବାପାଇଁ ଯୋଜନା କରୁଥିବାରୁ ଉକ୍ତ ଅଞ୍ଚଳର କିଛି ଯୁବ ସାମାଜିକ କର୍ମୀ ଏହାର ପ୍ରତିବାଦ କରିଥିଲେ। ଫଳରେ ଗଛ ଲଗାଇବା ପାଇଁ ଆସିଥିବା ଅର୍ଥ ନପାଇବାରୁ ପ୍ରାୟ ଏକ ବର୍ଷ ପରେ ପାଣ୍ଡିଆକେରା ଗ୍ରାମର କିଛି ଦୁର୍ବୁତ୍ତ ଗତକାଲି ସଙ୍ଗବଦ୍ଧ ଭାବରେ ଭାଟପଡା ଗ୍ରାମର ଯୁବ ସାମାଜିକ କର୍ମୀ ଅକ୍ଷୟ କୁମାର ମାନ୍ଟୁ ଙ୍କ ପରିବାର କୁ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ପାଣ୍ଡିଆକେରା ଗ୍ରାମର ୨୦ ରୁ ଉର୍ଦ୍ଧ୍ଵ ଯୁବକ ମାରଣାଅସ୍ତ୍ର ସହ ଅକ୍ଷୟ ଙ୍କ ଭାଇ ତ୍ରିଲୋଚନ ମାନ୍ଟୁ ଙ୍କୁ ପାଣ୍ଡିଆକେରା ଗ୍ରାମର ଶିବ ପ୍ରସାଦ ସାମନ୍ତରାୟ ଭୁଜାଲି ରେ ମୁଣ୍ଡକୁ ଚୋଟ ଉପରେ ଚୋଟ ମାରି ତଳେ ପକାଇ ଦେଇଥିଲେ ବର୍ତ୍ତମାନ ଅକ୍ଷୟ ଙ୍କ ଭାଇ କଣାସ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି।
ସତ୍ୟବ୍ରତ ସାମନ୍ତରାୟ , ସ୍ମୁତି ରଞ୍ଜନ ମାର୍ଥା ଓ ଅଜିତ ସାମନ୍ତସିଂହାର ପ୍ରମୁଖ ଅକ୍ଷୟ ର ପରିବାରର ତିନିଜଣ ସଦସ୍ୟ ଙ୍କୁ ଆକ୍ରମଣ କରିବା ସହିତ ଗାଳି ଗୋଲଜ କରି ଭବିଷ୍ୟତରେ ଯଦି କୌଣସି ଏଭଳି ପଦକ୍ଷେପ ନିଆଯାଏ ତାହାଲେ ଜୀବନରୁ ମାରିଦେବେ ବୋଲି କହିବା ସହିତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ର ତୀବ୍ର ବିରୋଧ କରି ଭାଟପଡା ଗ୍ରାମର ଲୋକେ ତଥା ଅକ୍ଷୟ ପରିବାର ଲୋକେ ନିକଟସ୍ଥ କଣାସ ଥାନା କୁ ଜଣାଇଥିଲେ। ଖବର ପାଇ କଣାସ ଥାନା ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ କୌଣସି ଆସାମୀ ଏ ପର୍ଯ୍ୟନ୍ତ ଧରା ପଡିନାହାନ୍ତି। ବାରମ୍ବାର ଏହିଭଳି ଭାଟପଡା ଗ୍ରାମ ବାସୀଙ୍କ ସହିତ ଆକ୍ରମଣ କରାଯାଉଥିବାରୁ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଦୋଷୀ କୁ ଦଣ୍ଡବିଧାନ କରିବାପାଇଁ ଭାଟପଡା ଗ୍ରାମବାସୀ ତଥା ଅକ୍ଷୟ ପରିବାର ଲୋକେ କଣାସ ଥାନା ଅଧିକାରୀଙ୍କ ଦ୍ୱାରସ୍ତ ହୋଇଛନ୍ତି।