ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଚଳଚଞ୍ଚଳ ହୋଇଛି ମଧ୍ୟପ୍ରଦେଶ ରାଜନୀତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ସିନ୍ଧିଆ ଇସ୍ତଫା ପତ୍ର ପଠାଇଛନ୍ତି । ଖୋଦ୍ ସିନ୍ଧିଆ ଟ୍ୱିଟ୍ କରି ନିଜ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି।
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏହି ନିଷ୍ପତ୍ତି ପରେ ପୂରା ପରିବାର ତାଙ୍କ ସହ ଛିଡା ହୋଇଛି । ଏପରିକି ପୁଅ ମହାଆର୍ଯ୍ୟମାନ ଟ୍ୱିଟ୍ କରି କହିଛନ୍ତି, ଏଭଳି ନିଷ୍ପତ୍ତି ପାଇଁ ସାହସ ଦରକାର ଓ ବାପାଙ୍କର ନିଷ୍ପତ୍ତି ପାଇଁ ମୁଁ ଗର୍ବିତ । ଇତିହାସ ସାକ୍ଷୀ ଅଛି ଯେ, ମୋର ପରିବାର କେବେ କ୍ଷମତାର ଲୋଭ ରଖିନାହିଁ । ତେବେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଭାରତ ଓ ମଧ୍ୟପ୍ରଦେଶରେ ବଡ ଧରଣର ପରିବର୍ତ୍ତନ ଅଣାଯିବ।
ସେହିଭଳି ଜ୍ୟୋତିରାଦିତ୍ୟଙ୍କ ପିଉସୀ ଯଶୋଧରା ସିନ୍ଧିଆ କହିଛନ୍ତି, ମୁଁ ବହୁତ ଖୁସି ଓ ଏଥିପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଏହା ଜ୍ୟୋତିରାଦିତ୍ୟଙ୍କ ଘର ବାହୁଡା ବୋଲି ସେ କହିଛନ୍ତି। ଜ୍ୟୋତିରାଦିତ୍ୟଙ୍କ ବାପା ମାଧବରାଓ ସିନ୍ଧିଆ ନିଜର ରାଜନୀତିକ କ୍ୟାରିୟରର ଆରମ୍ଭ ଜନସଂଘରୁ କରିଥିଲେ। ତେଣୁ ଜ୍ୟୋତିରାଦିତ୍ୟଙ୍କ ବିଜେପିରେ ଯୋଗଦାନକୁ ବାପାଙ୍କ ପୁରୁଣା ଦଳକୁ ପ୍ରତ୍ୟାବର୍ତ୍ତନ ବୋଲି କୁହାଯିବ।
ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କ ସହ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଜ୍ୟୋତିରାଦିତ୍ୟ । ଏହାପରେ ସୋନିଆଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି ଜ୍ୟୋତିରାଦିତ୍ୟ । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକ ୨୨ ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । ୨୨ ବିଧାୟକ ରାଜ୍ୟପାଳଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ସୂଚନା ମିଳିଛି। ଏହି ଇସ୍ତଫା ପରେ ମଧ୍ୟପ୍ରଦେଶରେ କମଳନାଥ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ସିନ୍ଧିଆଙ୍କ ଇସ୍ତଫାକୁ ବିଶ୍ୱାସଘାତକତା ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ।