ଗୋଡିବନ୍ଧ/ସମଲ : ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ସମଲରେ ଥିବା କହ୍ନେଇ ଜେନା ପାହାଡ଼ ଦିନରାତି ଜଳିବାରେ ଲାଗିଛି। ଫଳରେ ପ୍ରଦୂଷଣ ଓ ତାପମାତ୍ରାରେ ଅଂଚଳ ଏକ ଅପ୍ରାକୃତିକ ଅନ୍ଧାରରେ ଛାଇ ହେଇରହିବା ଲକ୍ଷ କରାଯାଉଛି।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପାହାଡ଼ରେ ଇକୋ ଟୁରିଜିମ ପାର୍କ ହେବାର ଯୋଜନାକୁ ବର୍ଷାଧିକ ସମୟ ବିତିଗଲାଣି। ପ୍ରସାଶନିକ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବରୁ ଇକୋ ଟୁରିଜିମ ପାର୍କର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇପାରୁନି। ସମଲ ଆନିକଟର ଉପରମୁଣ୍ଡରେ ଥିବା ଜଳ ଭଣ୍ଡାରରେ ବିଦେଶୀ ପକ୍ଷୀ ମାନଙ୍କ ଆଗମନ,ସୂର୍ଯ୍ୟାସ୍ତ ସମୟର ମନୋରମ ଦୃଶ୍ୟ,ଡ଼ଙ୍ଗା କୈବର୍ତ୍ତ ମାନଙ୍କର ମାଛ ଧରିବା ପ୍ରଣାଳୀ,ଦୂର ଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କ ସହ ପାତି ମାଙ୍କଡ଼ଙ୍କ ମସ୍ତି ଏହି ପାହାଡ଼ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ମାତ୍ର ଜଙ୍ଗଲରେ ହୁତୁହୁତୁ ନିଆଁ ଜଳୁଥିବାରୁ ଏହି ସୌନ୍ଦର୍ଯ୍ୟ ଦୃଶ୍ୟମାନ ସ୍ବପ୍ନ ହେଇଯାଇଛି। ଜଙ୍ଗଲ ବିଭାଗକୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଆରମ୍ଭ ହେଇନାହିଁ। ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଭାପତି,ବନାଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନାହିଁ। ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାରୁ ବନ୍ୟଜନ୍ତୁଙ୍କ ଆର୍ତ୍ତନାଦ ସ୍ଥାନୀୟ ଜନସାଧାରଣଙ୍କୁ ବ୍ୟଥିତ କରିଛି। ନିଆଁ ଲିଭା କାର୍ଯ୍ୟ ତ୍ୱରିତ କରିବାକୁ ସାଧାରଣରେ ଦାବି ହୋଇଛି