ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ସୁଦର୍ଶନ ନନ୍ଦଙ୍କୁ ମଣ୍ଡଳସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଦାର୍ଦ୍ଦିଆ ପୋତାନଈ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଧାନଶିକ୍ଷକ ଗୋପବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ହନୁମାନଜୀଉ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନାଦି ଚରଣ ଖଟୁଆ ସମ୍ବର୍ଦ୍ଧନା ସଭାର ଉଦେ୍ଦଶ୍ୟ ଜ୍ଞାପନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।
ଏଥିରେ ମୁଖ୍ୟଅତିଥିଭାବେ ଗରେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଷିକେଶ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଶ୍ରୀଯୁକ୍ତ ନନ୍ଦ ଜଣେ ସୁଦକ୍ଷ, କର୍ମଠ ଓ ଆଦର୍ଶ ଶିକ୍ଷାଧିକାରୀଭାବେ ଶିକ୍ଷକମହଲରେ ବେଶ ଆଦୃତ ହୋଇପାରିଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଯେ, ସୁଦର୍ଶନ ନନ୍ଦ ଜଣେ ଶିକ୍ଷକଭାବେ କର୍ମମୟ ଜୀବନ ଆରମ୍ଭକରି ଯେଉଁ ପ୍ରତିଷ୍ଠା ଅର୍ଜନ କରିଥିଲେ ଶିକ୍ଷାଧିକାରୀ ଭାବେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇପାରିଥିଲେ ।
ତାଙ୍କ ଆଦର୍ଶରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନୁପ୍ରାଣିତ ହେବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନନୀୟ ଅତିଥିଭାବେ କୁଜଙ୍ଗ ବ୍ଲକ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ପବିତ୍ର କୁମାର କର ଓ ଅବସରପ୍ରାପ୍ତ ଶିକ୍ଷକ ନରେଶ ଚୈାଧୁରୀ ଏ ସମ୍ବର୍ଦ୍ଧନା ସଭାରେ ଭାଗ ନେଇ କୁଜଙ୍ଗ ବ୍ଲକର ମଣ୍ଡଳଶିକ୍ଷାଧିକାରୀ ଭାବେ ଶ୍ରୀଯୁକ୍ତ ନନ୍ଦଙ୍କ କାର୍ଯ୍ୟକୁଶଳତା ସବୁଦିନ ପାଇଁ ମନେ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ ଶତପଥୀ, ରୁଦ୍ରପ୍ରସାଦ ନନ୍ଦ, ଯୁଧିଷ୍ଠିର ନାୟକ, ମିହିର କୁମାର ବିଶ୍ୱାଳ, ଶିକ୍ଷୟିତ୍ରୀ ସାବିତ୍ରୀ ମହାପାତ୍ର, ସୈାଦାମିନୀ ସ୍ୱାଇଁ, କୁନ୍ତଳା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣକରି ଶିକ୍ଷାଧିକାରୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ନନ୍ଦଙ୍କୁ କୁଜଙ୍ଗ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାର ଆରମ୍ଭରେ ଚନ୍ଦାପାଟ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷକ ସବୁସ ସେନାପତି ଅତିଥିମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥିଲା ବେଳେ ଶେଷରେ ଗୋପିନାଥ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୁରୁଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଦାର୍ଦ୍ଦିଆ ପୋତାନଈ ଉଚ୍ଚ ପ୍ରାଥମିକ ବିଦ୍ୟଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହାୟତା କରିଥିଲେ ।
