Odisha news

ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା : ମୁକେଶ ଅମ୍ବାନୀ

0

– ଜିଓର ଇନହାଉସ୍ ୫ଜି ପ୍ରଯୁକ୍ତି ବିଶ୍ୱର ସର୍ବୋତ୍ତମ ପ୍ରଯୁକ୍ତି ମଧ୍ୟରୁ ଅନ୍ୟତମଅମ୍ବାନୀ

– ରିଲାଏନ୍ସ ଏକ ଡିପ୍ ଟେକ ଏବଂ ଆଡ଼ଭାନ୍ସଡ଼ ମାନୁଫାକଚରିଂ କମ୍ପାନୀ ହେବାକୁ ଯାଉଛି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରର ଜିଓରେ ବିପୁଳ ନିବେଶ କରିବା ତାଙ୍କ କ୍ୟାରିୟରର “ସବୁଠାରୁ ବଡ଼ ରିସ୍କ” ଥିଲା। ସେତେବେଳେ ଅନେକ ବିଶ୍ଳେଷକ ଏହାର ସଫଳତା ବିଷୟରେ ସନ୍ଦେହ କରୁଥିଲେ। ସେମାନେ କହିଥିଲେ ଯେ ଭାରତ ଏପରି ଉନ୍ନତ ଡିଜିଟାଲ୍ ପ୍ରଯୁକ୍ତି ପାଇଁ ପ୍ରସ୍ତୁତ ନୁହେଁ। ସେ କହିଥିଲେ ଯେ “ଯଦିଓ କୌଣସି କାରଣରୁ ଜିଓରେ ନିବେଶ ଆଶାନୁରୂପ ଲାଭ ଦେଇପାରିବ ନାହିଁ, ତଥାପି ଏହା ଭାରତକୁ ଡିଜିଟାଲ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯିବ।” ମ୍ୟାକିନ୍ସେ ଏଣ୍ଡ କମ୍ପାନୀକୁ ଦେଇଥିବା ଏକ ସାକ୍ଷାତକାରରେ ଅମ୍ବାନୀ ଏହା ପ୍ରକାଶ କରିଛନ୍ତି।

ରିଲାଏନ୍ସ ଜିଓରେ ନିବେଶ କରିବାର ନିଷ୍ପତ୍ତି ସହଜ ନଥିଲା। “ସେତେବେଳେ, ଆମେ ଆମର ନିଜସ୍ୱ ଟଙ୍କା ବିନିଯୋଗ କରୁଥିଲୁ ଏବଂ ମୁଁ ନିଜେ ଅଧିକାଂଶ ସେୟାରଧାରକ ଥିଲି। ଆମେ ବଡ଼ ରିସ୍କ ନେଇଥିଲୁ କାରଣ ବ୍ୟାପକତା ବା ସ୍କେଲ୍ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଲକ୍ଷ୍ୟ ମଧ୍ୟ ବହୁତ ଉଚ୍ଚ ଥିଲା।”

୫ଜି ପ୍ରଯୁକ୍ତି ସମ୍ପର୍କରେ ମୁକେଶ ଅମ୍ବାନୀ କହିଥିଲେ ଯେ “ଜିଓର ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ଭିତ୍ତିଭୂମି ପୂର୍ଣ୍ଣ ଭାବରେ ଇନହାଉସ ବା କମ୍ପାନୀ ମଧ୍ୟରେ ବିକଶିତ ହୋଇଛି। ଆମେ ପ୍ରତ୍ୟେକ ଉପାଦାନ – କୋର୍, ହାର୍ଡୱେର୍, ସଫ୍ଟୱେର୍ ନିଜେ ପ୍ରସ୍ତୁତ କରିଛୁ। ଆମେ କେବଳ ୨୦ ପ୍ରତିଶତ ଭାଗରେ ଏରିକସନ ଏବଂ ନୋକିଆକୁ ସାମିଲ କରିଥିଲୁ, ଯାହା ଦ୍ଵାରା ଆମେ ଆମର ନିଜର ସିଷ୍ଟମ ବା ବ୍ୟବସ୍ଥାକୁ ବିଶ୍ୱ ମାନଦଣ୍ଡରେ ପରୀକ୍ଷା କରିପାରିବା। ମୁଁ ମୋ ଟିମକୁ କହିଥିଲି, ତୁମକୁ ସେମାନଙ୍କଠାରୁ ଭଲ ହେବାକୁ ପଡିବ। ଏବଂ ସେମାନେ ଏହା କରି ଦେଖାଇଲେ, ଆଜି ଆମେ ପ୍ରକୃତରେ ସେମାନଙ୍କଠାରୁ ଭଲ ରହିଛୁ।”

ଭବିଷ୍ୟତ ଯୋଜନା ବିଷୟରେ ମୁକେଶ ଅମ୍ବାନୀ କହିଥିଲେ ଯେ “ମୁଁ ସବୁବେଳେ କହୁଥିଲି ଯେ ଆମକୁ ଟେକ୍ନୋଲୋଜି ବା ପ୍ରଯୁକ୍ତିର କେବଳ ବ୍ୟବହାରକାରୀ ନୁହେଁ, ଆମକୁ ପ୍ରଯୁକ୍ତିର ମାଲିକ ହେବାକୁ ପଡିବ। ରିଲାଏନ୍ସ ଆଜି ଏକ ଡିପ୍ ଟେକ ଏବଂ ଆଡ଼ଭାନ୍ସଡ଼ ମାନୁଫାକଚରିଂ କମ୍ପାନୀ ହେବା ଆଡ଼କୁ ଗତି କରୁଛି। ଦୂରସଂଚାର କ୍ଷେତ୍ର ସହିତ ଆମେ ଏହାର ଆରମ୍ଭ କରିଛୁ।”

ନିଜ ପିତା ଧୀରୁଭାଇ ଅମ୍ବାନୀଙ୍କୁ ମନେ ପକାଇ ସେ କହିଥିଲେ, “ମୋ ବାପା କହୁଥିଲେ – ରିଲାଏନ୍ସ ଏକ ପ୍ରକ୍ରିୟା, ଏକ ସଂସ୍ଥା ଯାହା ଆମ ପରେ ମଧ୍ୟ ଜାରି ରହିବା ଉଚିତ। ମୁଁ ଚାହେଁ ଯେ ରିଲାଏନ୍ସ ଆମ ପରେ ମଧ୍ୟ ବଞ୍ଚି ରହୁ। ରିଲାଏନ୍ସ ୨୦୨୭ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ, ମୋର ସ୍ୱପ୍ନ ହେଉଛି ଯେ ରିଲାଏନ୍ସ  ୧୦୦ ବର୍ଷ ଭାରତ ଏବଂ ମାନବତାର ସେବା କରିଚାଲିବ।”

Leave A Reply