ଜମନକିରା,୧୮/୫: ଭାରତ ଏକ ଭକ୍ତି ଓ ସଂସ୍କୃତି ପରମ୍ପରା ବହୁଳ ଦେଶ ଏଠି ପିତାମାତାଙ୍କୁ ଭଗବାନଙ୍କ ଦରଜା ଦେଇ ପୂଜାର୍ଚ୍ଚନା କରାଯାଇଥାଏ। ଉଦାହରଣ ସ୍ଵରୁପ ଶ୍ରବଣ କୁମାର ଯିଏ କି, ନିଜ ଅନ୍ଧ ବୃଦ୍ଧ ପିତା ମାତାଙ୍କୁ ନିଜ କାନ୍ଧରେ ବୋହି ସଂସାର ଭ୍ରମଣ ପାଇଁ ବାହରି ପଡ଼ିଥିଲେ ଏବଂ ପର୍ଶୁରାମ ଯିଏ କି ନିଜ ପିତାଙ୍କ ଆଜ୍ଞା କୁ ଅବଜ୍ଞା କରୁନଥିଲେ। କିନ୍ତୁ ଯୁଗ ବଦଳିବା ସହ ଏବେ ସମସ୍ତ ସଂସ୍କୃତି ଓ ପରମ୍ପରା ବଦଳିବାରେ ଲାଗିଛି କେହି କାହାରିକୁ ମାନୁନଥିବା ଦେଖିବକୁ ମିଳୁଛି। ଏମିତି ଜଣେ ପୁଅ ପାଇଁ ବୃଦ୍ଧ ମାତାପିତା ଅଲୋଡ଼ା ହୋଇ ପଡିଛନ୍ତି। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ସଦର ମହକୁମାରେ। ପରିଣତ ବୟସରେ ଗ୍ରାମର ଭାସ୍କର ବଗର୍ତ୍ତି (୭୮) ଓ ସ୍ତ୍ରୀ ପଦ୍ମାବତୀ ବଗର୍ତ୍ତିଙ୍କୁ(୭୫)ପୁଅ ନିର୍ଯାତନା ଦେଇ ଘରୁ ତଡିଦେଇଥିବା ଅଭିଯୋଗ ହୋଇଛି।
ସୁଚନା ଯେ କିଛିବର୍ଷ ତଳେ ବୃଦ୍ଧ ଭାସ୍କରଙ୍କ ନାମରେ ଏକ ପକ୍କା ଘର ଆସିଥିଲା ହେଲେ ଘରଟି ପୂରଣ ହେବା ପରେ ତାଙ୍କ ପୁଅ ସେ ଘରକୁ ନିଜ ଘର ବୋଳି ଦି ବୃଦ୍ଧ ଦମ୍ପତି ଙ୍କୁ ତଦିଦେଲା। ଏହି ଅସହାୟ ବୃଦ୍ଧ ଦମ୍ପତି ଏବେ ଗାଁ ମୁଣ୍ଡରେ ଏକ ଝାଟିମାଟି ଭଙ୍ଗା କୁଡ଼ିଆରେ କପଡା ଟାଣି ରହୁଥିବା ଦେଖିବକୁ ମିଳୁଛି। ଯେଉଁଠି କି ସବୁ ସମୟରେ ସାପ ସରୀସୃପର ଭୟ ରହୁଥିବା ସହ ଟାଣୁଆ ଖରା ଏବଂ ବର୍ଷାରେ ପାଣି ଗଲିଯାଉଥିବା କହିଛନ୍ତି।ପିତା ଭାସ୍କର ନିଜ ତଥା ସ୍ତ୍ରୀର ପେଟ ପୋଷିବା ପାଇଁ ବାଧ୍ୟ ହୋଇପଡିଛନ୍ତି। ଉଭୟ ଏହି ବୟସରେ ମଜୁରୀ କରି ରୋଜଗାର କରିବା ସମ୍ଭବ ହେଉନଥିବାରୁ ଏକ ଶିବ ପ୍ରତିମା ଧରି ଘରଘର ବୁଲି ଭିକ୍ଷାବୃତ୍ତି କରି ପେଟ ପୋଷୁଛନ୍ତି। ପୁଅମାନେ ଅନ୍ୟତ୍ର ପରିବାର ଧରି ବେଶ ଆରାମରେ ଚଳୁ ଥିବାବେଳେ ବାପା ମା’ ମୁଠାଏ ଦାନା ପାଇଁ ସଙ୍ଘର୍ଷ କରୁଛନ୍ତି। ପୂର୍ବରୁ ଗୋଟିଏ ଘରେ ଭାସ୍କରଙ୍କ ପୁରା ପରିବାର ରହୁଥିଲେ। ହେଲେ ଗତ ଚାରିମାସ ତଳୁ ବଡ଼ପୁଅ ନିର୍ଯାତନା ଦେଇ କୁଆଡେ ଘରୁ ତଦିଦେଇଥିଲା। ଉପାୟ ଶୂନ୍ୟ ହୋଇ ଭାସ୍କର ନିଜ ବୃଦ୍ଧା ପତ୍ନୀଙ୍କୁ ନେଇ ଗାଁ ଶେଷମୁଣ୍ଡ ମଶାଣି ନିକଟରେ ଥିବା ଏକ ଭଙ୍ଗା କୁଡ଼ିଆରେ ଆଶ୍ରୟ ନେଇଛନ୍ତି। ତଥାପି ବାପା ମା ପୁଅର ସୁ ଜୀବନ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ହେଲେ ଏବେ ଭାସ୍କରଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ହୋଇଯାଇଛି। ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ଓ ଖାଇବା ପାଇଁ ଚାଉଳ ମୁଠାଏ ବ୍ୟବସ୍ଥା କରିବାକୁ ଗାଁ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜମନକିରା ବିଡ଼ିଓ ଟୁନୂ ମେହେରଙ୍କୁ ଯୋଗାଯୋଗ କରି ପଚାରିବାରୁ ଉଭୟଙ୍କୁ ଥଇଥାନ କରାଯିବା ସହ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।