Odisha news

ରାଜଘାଟଠାରେ ସୁବର୍ଣ୍ଣରେଖା ସତର୍କସ୍ତର ନିକଟତର : ଉପର ମୁଣ୍ଡରେ ବର୍ଷା, ବନ୍ୟା ସମ୍ଭାବନା

0

ଜଳେଶ୍ୱର : ଲଘୁଚାପ ଜନିତ ବର୍ଷାଯୋଗୁଁ ବହୁ ବିଳମ୍ବରେ ଚଳିତବର୍ଷ ସୁବର୍ଣ୍ଣରେଖା ନଦୀରେ ଦେଖା ଦେଇଛି ପ୍ରଥମ ବନ୍ୟା । ସତର୍କସ୍ତରର ନିକଟତର ହୋଇଛି ରାଜଘାଟଠାରେ ନଦୀର ଜଳପତ୍ତନ । ଅନ୍ୟପକ୍ଷରେ ସୁବର୍ଣ୍ଣରେଖାରେ ବନ୍ୟା ଆସିବାପୂର୍ବରୁ ବିଭିନ୍ନ ଅଂଚଳ ଉଦ୍ବୃତ୍ତ ବର୍ଷାପାଣିଯୋଗୁଁ ବୁଡି ରହିଛି । ଆଜି ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୯.୧୫ ମିଟର ଥିବା ବେଳେ ଏଠାରେ ସତର୍କସ୍ତର ୯.୪୫ ଓ ବିପଦ ସଂକେତ ୧୦.୩୬ ମିଟର ଅଟେ ।

ଆଜି ଦିନରେ ନଦୀ ପ୍ରାୟ ୨ ମିଟର ଉଚ୍ଚତାରେ ବଢିଥିବା ବେଳେ ଏବେ ବଢିବାହାର କମିଛି । କିନ୍ତୁ ଉପର ମୁଣ୍ଡର କେତେକ ସ୍ଥାନରେ ବର୍ଷା ଲାଗିଥିବାରୁ ଆସନ୍ତାକାଲି ନଦୀରେ ବନ୍ୟା ସମ୍ଭାବନା ରହିଛି । ଗତ ୩ ଦିନ ଧରି ଘାଟଶିଳାରେ ୬୩ ମିମି, ଚାନ୍ଦିଲିରେ ୧୧୨ ମିମି, କରକାଇରେ ୮୫ ମିମି, ଜାମସେଦପୁରରେ ୧୫୯, ଆଦିତ୍ୟପୁରରେ ୯୧ ମିମି, ମୁରୀରେ ୩୮ ମିମି, ଫେକଘାଟରେ ୫୧ ମିମି, ଜାମଶୋଳାରେ ୬୭ ମିମି, ଗୋପିବଲ୍ଲଭପୁରରେ ୭୬ ମିମି ଓ ରାଜଘାଟରେ ୭୬.୫ ମିମି ବର୍ଷା ହୋଇଥିବା ସରକାରୀଭାବେ ଜଣାଯାଇଛି ।

ବର୍ଷାପାଣି ଏଠାରେ ପହଞ୍ଚିବାକୁ ଅନ୍ୟୁନ ୩୦ ଘଣ୍ଟା ଲାଗିଥାଏ । ତେଣୁ ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଆସିବାର  ଦେଖା ଦେଇଥିବାରୁ ଏବଂ ବିଭିନ୍ନ ତଳିଆ ଅଂଚଳ ବର୍ଷା ପାଣିରେ ବୁଡି ରହିଥିବାରୁ ପରିସ୍ଥିତି ଗମ୍ଭୀର ରହିଛି । ଏବେ ନଦୀକୁ ଲାଗିଥିବା ଖାଳ, ନାଳରେ ପାଣି ସମତଳ ଅଞ୍ଚଳକୁ ପ୍ରବାହିତ ହେଉଛି । ପୂର୍ବରୁ ବର୍ଷା ହେଉଥିଲେ ମଧ୍ୟ ନଦୀରେ ବନ୍ୟାପାଣି ନଥିବାରୁ ପଶ୍ଚିମବଂଗ ସହିତ ଉତ୍ତର ବାଲେଶ୍ୱରରେ ହୋଇଥିବା ବର୍ଷାପାଣି ସୁବର୍ଣ୍ଣରେଖାକୁ ଗଡି ଯାଉଥିଲା । ଆଜି ସକାଳଠାରୁ ନଦୀର ପାଣି ସମତଳ ଅଂଚଳକୁ ବହିଯାଉଥିବାରୁ ଧୋୟା ଅଂଚଳରେ ପାଣିସ୍ତର ବୃଦ୍ଧିପାଇବାରେ ଲାଗିଛି । ଏ ସବୁ ଘଟଣା ମୁଣ୍ଡ ବ୍ୟଥାର କାରଣ ହୋଇଛି ।

Leave A Reply