Odisha news

ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

0
ଜଗତସିଂହପୁର୧୯/୦୨ : ଶିକ୍ଷାର ବିକାଶରେ ସମାଜର ବିକାଶ। ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ୫ଟି ଉପକ୍ରମରେ ବିଭିନ୍ନ ପ୍ରୟାସ ଜାରିରହିଛି। ସେହି ପରିପ୍ରେକ୍ଷୀରେ ଆଜି ଜଗତସିଂହପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଆହ୍ଵାନ  ‘ମିଳିବ ସମ୍ମାନ, ବଢିବ ଉତ୍ସାହ, ଆଣିବ ଆଗ୍ରହ’ ନାରା ରେ ଜିଲ୍ଲା ର ୧୪୭୫ ଜଣ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନକୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ ଶୁଦ୍ର ମୁନି ସାରଳାଦାସଙ୍କ ମାଟି ଜଗତସିଂହପୁର ଜିଲ୍ଲା ସବୁବେଳେ ଶିକ୍ଷା କ୍ଷେତ୍ରରେ ଆଗୁଆ  ।ଶ୍ରୀ ମୁଦୁଲି କହିଥିଲେ ଜଣେ ନେତା କେବଳ ଆଗାମୀ ନିର୍ବାଚନ କଥା ଭାବିଥାଏ, କିନ୍ତୁ ଜଣେ ସୁଯୋଗ୍ୟ ଜନନାୟକ ଆଗାମୀ ପୀଢି କଥା ଭାବିଥାଏ। ସେଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମ ରେ ବିଦ୍ୟାଳୟ ଗୁଡିକର ରୁପାନ୍ତରିକରଣ କରି ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ଯାହା ଓଡିଶାର ସୁଯୋଗ୍ୟ ଶିକ୍ଷାର୍ଥୀ ମାନଙ୍କୁ ନିଜ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ସହାୟ ହୋଇଛି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗତସିଂହପୁର ସାଂସଦ ଡା.ରାଜଶ୍ରୀ ମଲ୍ଲିକ ଶିକ୍ଷା କ୍ଷେତ୍ରରେ ମହିଳା ମାନଙ୍କ ଉନ୍ନତିର ପ୍ରସଂଶା କରି ମା ମାନଙ୍କୁ ପିଲାର ପ୍ରଥମ ଗୁରୁ ଭାବେ ଅଭିହିତ କରିଥିଲେ। ଗୋଟିଏ ଛାତ୍ରର ସାମଗ୍ରିକ ବିକାଶ ଦିଗରେ  ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଅଭିଭାବକ ମାନଙ୍କର ମଧ୍ୟ ଗୁରୁଦାୟିତ୍ବ ରହିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ପାରୁଲ ପଟାୱରି ଜିଲ୍ଲା ରେ ୫ଟି ଅନ୍ତର୍ଗତ ବିଦ୍ୟାଳୟ ରୁପାନ୍ତରିକରଣ ଉପରେ ଆଲୋକପାତ କରି ଏହି ରୂପାନ୍ତରିତ ରୂପକୁ ଯତ୍ନବାନ୍ ହୋଇ ଆଗାମୀ ପୀଢି ପାଇଁ ସାଇତି ରଖିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ପ୍ରଯୁକ୍ତି ବିଦ୍ୟା ଆଧାରରେ ଦିଆଯାଇଥିବା ସ୍ମାର୍ଟ କ୍ଲାସରେ ଶିକ୍ଷା ଦାନ ନିମନ୍ତେ ସର୍ବଦା ନିଜକୁ ଅପଡେଟ ରଖି ଏହାର ସଦୁପଯୋଗ କରିବାକୁ ଜିଲ୍ଲାପାଳ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଗାମୀ ମାଟ୍ରିକ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିବାକୁ ଶ୍ରୀମତୀ ପଟାୱରି ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଶିକ୍ଷା କ୍ଷେତ୍ରରେ ଜିଲ୍ଲା ର ଅଭୁତପୂର୍ବ ସଫଳତା ନିମନ୍ତେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ  ଶିକ୍ଷା ପୁରସ୍କାର ଉତ୍ସବ ରେ ଜିଲ୍ଲା ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗ ରେ ୯୩ ଜଣ, ବ୍ଲକ୍ ଷ୍ଟୁଡେଣ୍ଟ ଏକାଡେମିକ ପୁରସ୍କାର ବର୍ଗ ରେ ୮୧୪ ଜଣ, ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପାଇଁ ୪୮୬ ଜଣ, ବ୍ଲକ୍ ସ୍ତରୀୟ ଶ୍ରେଷ୍ଠ ଉଚ୍ଚ ବିଦ୍ୟାଳୟ ୨୪ ଟି, ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ୮ ଟି, ବ୍ଲକ୍ ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରେ ୫ ଜଣ,ବ୍ଲକ୍ ସ୍ତରୀୟ ପୁରାତନ ଛାତ୍ର ପରିଷଦ ବର୍ଗ ରେ ୭ ଜଣ ,ବ୍ଲକ୍ ସ୍ତରୀୟ ଏଲିମେଣ୍ଟାରୀ ବିଦ୍ୟାଳୟ ବର୍ଗରେ ୨୩ ଟି ବିଦ୍ୟାଳୟ, ବ୍ଲକ୍ ସ୍ତରୀୟ ଗ୍ରାମପଞ୍ଚାୟତ ବର୍ଗରେ ୭ ଜଣ ,ବ୍ଲକ୍ ସ୍ତରୀୟ ଏଲିମେଣ୍ଟାରୀ ଶିକ୍ଷକ ବର୍ଗ ରେ ୮ ଜଣ ଏହିପରି ମୋଟ ୧୪୭୫ ଜଣ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର ମନୋନୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ସଭାର ଆଭିମୁଖ୍ୟ ବିଷୟ ରେ ବିବରଣୀ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ଯଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଅନ୍ଯମାନଙ୍କ ମଧ୍ଯରେ ବିଭିନ୍ନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ସମେତ ପଦରଜ ଉମାକାନ୍ତ ନାୟକ, ତ୍ରୈଲୋକ୍ୟ ନାଥ ବିଶ୍ବାଳ,ସୌଭାଗ୍ୟ ପ୍ରସାଦ ମିଶ୍ର, ତପନ କୁମାର ନନ୍ଦ, ଅମୂଲ୍ୟ କୁମାର ମିଶ୍ର ଏବଂ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ  ଙ୍କ ସହଯୋଗରେ ଆଜି ଏହି ପୁରସ୍କାର ପ୍ରଦାନ ସମାରୋହ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ, ସରପଞ୍ଚ, ସହରର ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply