ନାଟ୍ୟସାରଥି ଅଭୟ କୁମାର ଦାସ : କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ହେଉନାହିଁ । ମହାପ୍ରଭୁଙ୍କୁ କୋଟି କୋଟି ଭକ୍ତଜନ ବଡ଼ଦାଣ୍ଡରେ ଆଉ ପାଇବେନି । ତେବେ ରଥଯାତ୍ରା ହେଉ କି ନହେଉ କିନ୍ତୁ ଏହି ସମୟରେ ମନେପଡ଼ନ୍ତି କିଛି ଅଣ ଓଡ଼ିଆ ଜଗନ୍ନାଥଙ୍କ ଶ୍ରଦ୍ଧାଳୁ ଭଜନ ଗାୟକ ଯେଉଁମାନଙ୍କ ହୃଦୟସ୍ପର୍ଶୀ ଭଜନ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଆନନ୍ଦ ଓ ଭକ୍ତିରସରେ ବୁଡ଼ାଇ ଦିଏ । ସେମାନେ ହେଲେ ଅନୁପ ଜଲୋଟା : ଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ହେଉ ଅବ ସ୍ମରଣ କରିବା ବେଳେ କାନରେ ବାରମ୍ବାର ଶୁଣାଯାଏ ଅରୁଣ ମନ୍ତ୍ରୀଙ୍କ ରଚିତ ତଥା ବେଶ୍ ଲୋକପ୍ରିୟ ଭଜନ “ମାଧବ ହେ ମାଧବ ମୁଠେ ଚାଉଳରେ ପେଟ ପୂରେ ମୋର ଖଣ୍ଟୁଆ ପାଟରେ ନାହିଁ ମୋ ଲୋଭ’ । ଭଜନ ପାଇଁ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆସନ ଅଧିକାର କରିଥିବା ଅନୁପ ଜଲୋଟା ଏହି ଭଜନ ପାଇଁ କଣ୍ଠଦାନ କରିଥିଲେ । ଗୀତଟି ଏ ପର୍ଯ୍ୟନ୍ତ ମଧ୍ୟ ଲୋକପ୍ରିୟ ହୋଇ ରହିଛି ।
ପ୍ରାୟ ଭଜନ ସନ୍ଧ୍ୟାରେ ଏହି ଗୀତ ଶୁଣିବାକୁ ମିଳିଥାଏ । ଅନୁପ ଗାଇଥିବା ଅନ୍ୟ କେତୋଟି ଲୋକପ୍ରିୟ ଓଡ଼ିଆ ଜଗନ୍ନାଥ ଭଜନ ମଧ୍ୟରେ ରହିଛି, ପାପର ମଇଳା ଚାଦର ଘୋଡ଼ି, କାଳିଆ ଠାକୁର ମୋ କାଳିଆ ଠାକୁର, ରାଧା ପଚାରିଲେ କହରେ ମୁରଲୀ ଆଦି ଭଜନ । ଭଜନ କ୍ଷେତ୍ରରେ ନିଜର ସ୍ମରଣୀୟ ଅବଦାନ ପାଇଁ ଅନୁପଙ୍କୁ ଭଜନ ସମ୍ରାଟ ଭାବରେ ଅଭିହିତ କରାଯାଇଥାଏ । ଭଜନ ଏବଂ ଗଜଳ ଗାଇ ନିଜର ସ୍ୱାତନ୍ତ୍ର ସୃଷ୍ଟି କରିଥିବା ଏହି ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।
ସୋନୁ ନିଗମ : କେବଳ ହିନ୍ଦୀ ନୁହେଁ, ବଙ୍ଗଳା, କନ୍ନଡ, ଗୁଜୁରାଟୀ, ତାମିଲ, ମରାଠୀ, ତୁଲୁ, ଅସମୀୟା, ନେପାଳୀ, ଆଦି ବିଭିନ୍ନ ପ୍ରାନ୍ତୀୟ ଭାଷାରେ ଗୀତ ଗାଇ ବେଶ ଲୋକପ୍ରିୟ ହୋଇଛନ୍ତି ସୋନୁ ନିଗମ । ଆଶ୍ଚର୍ଯ୍ୟର କଥା ହେଲା ଯେ ତାଙ୍କୁ ଯେତେବେଳେ ମାତ୍ର ୪ ବର୍ଷ ହୋଇଥିଲା ସେତେବେଳେ ସେ ଷ୍ଟେଜ୍ରେ ଗୀତ ଗାଇବା ଆରମ୍ଭ କରିଥିଲେ । ଅନେକ ହିନ୍ଦୀ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିବା ଏହି ଗାୟକ ମଧ୍ୟ ବେଶ କେତୋଟି ହିଟ୍ ଜଗନ୍ନାଥ ଭଜନ ଲାଗି ସ୍ୱର ଦେଇ ଶ୍ରୋତାଙ୍କୁ ପ୍ରଭାବିତ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ତୋ ଆଗରେ କିଛି ଧୂପ, ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ ମରିବି ମୁଁ ବାହୁଡ଼ାରେ, ଚନ୍ଦନ ମାଖିଲେ ଗୋରା ହୋଇଯିବ କି, ସୁନା ଖଡ଼ିକା ମୋ କି ହେବ କାଳିଆ ଏବଂ ଆଲୋ ମିତଣି ପରି ଭଜନ ।
ମହମ୍ମଦ ଅଜିଜ୍ : ଅଣ ଓଡ଼ିଆ ହୋଇ ମଧ୍ୟ ଓଡ଼ିଆ ଭାଷାରେ ସେ ଜଣେ ପରିଚିତ କଣ୍ଠଶିଳ୍ପୀ ଭାବରେ ପରିଚିତ । ସେ ଗାଇଥିବା କେବଳ ଓଡ଼ିଆ ଚଳଚ୍ଚିତ୍ର ଗୀତ ନୁହେଁ ଭଜନଗୁଡ଼ିକ ଶ୍ରୋତାଙ୍କ ମନରେ ଏବେ ମଧ୍ୟ ସତେଜ ହୋଇ ରହିଛି । ତାଙ୍କ କଣ୍ଠରେ ଦିନରେ ସୁରୁଜ ରାତିରେ ତାରା, ତୋ ରଥ ଟାଣୁ ଟାଣୁ, ତୋ ବାହୁଡ଼ାରେ କାଳିଆରେ, ତୋ ଭଙ୍ଗା ଦେଉଳ ଭାଙ୍ଗିଗଲା ପରେ, ମୋତେ କରିଦେ କରିଦେ ନନ୍ଦ ଲାଲା ପରି ଭଜନ ବେଶ ଲୋକପ୍ରିୟ । ତେବେ ଅଜିଜ୍ଙ୍କ ପ୍ରକୃତ ନାମ ହେଲା ସୟଦ ମହମ୍ମଦ ଅଜିଜ୍ । ସେ ମଧ୍ୟ ମୁନ୍ନା ଅଜିଜ୍ ଭାବରେ ପରିଚିତ । ଏହି ଗାୟକ ପ୍ରଥମେ ବଙ୍ଗଳା ଗୀତ ପାଇଁ କଣ୍ଠଦାନ କରିଥିଲେ । କଲ୍ୟାଣଜୀ ଆନନ୍ଦଜୀ, ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଆର.ଡ଼ି.ବର୍ମନ, ନୌସାଦ, ଓ.ପି.ନାୟାର, ବାପି ଲାହିରି, ରାଜଶେ ରୋସନ, ଉଷା ଖାନ୍ନା, ଆନନ୍ଦ ମିଲିନ୍ଦ, ନଦିମ ଶ୍ରବଣ, ଜତିନ ଲଳିତ, ଅନୁ ମଲ୍ଲିକ ଏବଂ ଆଦେଶ ଶ୍ରୀବାସ୍ତବଙ୍କ ପରି ନାମୀ ସଙ୍ଗୀତ ନିଦେ୍ର୍ଦଶକଙ୍କ ଦ୍ୱାରା ସ୍ୱର ହୋଇଥିବା ଗୀତ ପାଇଁ କଣ୍ଠଦାନ କରି ମହମ୍ମଦ ଅଜିଜ୍ ଭାରତରେ ମଧ୍ୟ ନିଜ ଲୋକପ୍ରିୟତାକୁ ଏବେ ମଧ୍ୟ ବଜାୟ ରଖିଛନ୍ତି ।
ସୁରେଶ ୱାଡ଼େକର : ସୁରେଶ ୱାଡ଼େକର ଜଣେ ଅନ୍ୟତମ ଲୋକପ୍ରିୟ ଗାୟକ । କେବଳ ହିନ୍ଦୀ ନୁହେଁ, ମରାଠୀ ଏବଂ ଅନ୍ୟ ପ୍ରାନ୍ତୀୟ ଭାଷାରେ ରଚିତ ଗୀତ ପାଇଁ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ଓଡ଼ିଆ ଗୀତର ଲୋକପ୍ରିୟତା ମଧ୍ୟ କିଛି କମ୍ ନୁହେଁ । ଓଡ଼ିଆ ଭାଷାରେ ରଚିତ ଜଗନ୍ନାଥ ଭଜନ ପାଇଁ କଣ୍ଠଦାନ କରି ସୁରେଶ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ । ସେ କଣ୍ଠଦାନ କରିଥିବା ହିଟ୍ ଜଗନ୍ନାଥ ଭଜନ ମଧ୍ୟରେ ରହିଛି ତୋ ଭକତ ତାଲିକାରୁ ମୋ ନାମଟି କାଟିଦେ, ଲୋ ରାଧା ଲୋ ରାଧା, ସିନ୍ଦୁର ନାଉଚି ରାଧା ଆଇନା ଦେଖି, ମୋ ଚାଳ ଛପର ଉଡିବା ପୂର୍ବରୁ, ସକାଳ ପ୍ରଣାମ ଘେନ ହେ ଚକା ନୟନ, ନେ ରେ କାଳିଆ ନେ ଆଦି ଭଜନ ।
ଅନୁରାଧା ପୋଡ଼ୱାଲ୍ : କେରି କେରି ସୁନା ଦୁବ ଲୋ ସଜନୀ, କେରି କେରି ସୁନା ଦୁବ, ଶ୍ରୀଜଗନ୍ନାଥଙ୍କୁ ସୁମରଣ କଲେ ସବୁ ଅନୁକୂଳ ହୁଏ ଶୁଭ । ସରୋଜ ନନ୍ଦଙ୍କ ଦ୍ୱାରା ସ୍ୱର କରାଯାଇଥିବା ଏହି ଭଜନ ଅନୁରାଧା ପୋଡ଼ୱାଲ୍ଙ୍କୁ କେତେ ଯେ ଲୋକପ୍ରିୟ କରାଇଛି ତାହା କହିବା ବାହୁଲ୍ୟ । ଏହି ଭଜନ ଏବେ ବି ଶୁଣିଲେ ନୂଆ ନୂଆ ଲାଗିଥାଏ । ଲତା ମଙ୍ଗେସକରଙ୍କ ପରେ ସଙ୍ଗୀତରେ ଡି.ଲିଟ୍ ହାସଲ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ପ୍ରଚ୍ଛଦପଟ ଗାୟିକା । ଅନୁରାଧା ପ୍ରାୟ ୯୦୦୦ ପାଖାପାଖି ହିନ୍ଦୀଗୀତ ପାଇଁ କଣ୍ଠ ଦାନ କରିଛନ୍ତି । କେବଳ ସେତିକି ନୁହେଁ, ସହସ୍ରାଧିକ ଭଜନ ଗାଇ ସେ ନିଜକୁ ଜଣେ ଲୋକପ୍ରିୟ ଭଜନ ଗାୟିକା ଭାବରେ ଦେଶବିଦେଶରେ ପରିଚିତ କରାଇ ପାରିଛନ୍ତି । ସେ ଗାଇଥିବା ଜଗନ୍ନାଥ ଭଜନଗୁଡ଼ିକ ଏବେ ମଧ୍ୟ ଅନେକ ଶ୍ରୋତା ଗୁଣୁଗୁଣେଇ ହୋଇଥାଆନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି – କାଳିଆ ମୋ ଦେହେ ବୋଲିଦେ ତୋ ଦେହ କଳା, କାଳିଆରେ ମନ ବୋଲି କିଛି ନାହିଁ, ଆଖି ଦୁଇ ଯଦି ହବୁରେ, ଏ ପାଖେ ଭାଇ ସେ ପାଖେ ଭାଇ, ବରଷକ ବାର ମାସ, ଛଅ ଖଣ୍ଡ କାଠରେ ହେବ ସବାରି, କଳା ଠାକୁର, କାଳିଆ ପାଖକୁ ଯାଇଥିଲି ଏବଂ ମୁଁ ଯେ ଲାଜରେ ଚାହିଁ ପାରୁନି ତୋ କଳା ମୁହଁକୁ ଆଦି ଭଜନ ।