ପୁରୀ :ବଡଦାଣ୍ଡର ରଥଖଳାରେ ଶେଷ ହୋଇଛି ୩ରଥର ଚକଡେରା କାର୍ଯ୍ୟ । ଚକଗୁଡିକ ଗଡି ନଯିବା ଲାଗି ଉଭୟ ପାଶ୍ୱର୍ରେ କାଠ ଆଡି ଦିଆଯାଇଛି । ମୁଖ୍ୟମହାରଣା ସେବକମାନଙ୍କ ପରାମର୍ଶ କ୍ରମେ ୩ରଥର ଚକ, ଅଖ ଠାରୁ କେତେ ବ୍ୟବଧାନରେ ରହିବ ତାହା ମାପ ଅନୁସାରେ କରାଯିବ । ଏହାପରେ ଅଖକୁ ପତନରେ ରଖାଯାଇ ତାହର ତଳଭାଗରେ ଖଣ୍ଡେ ଲେଖାଏଁ କାଠ ଦିଆଯିବ । କାମ ସମୟରେ ଅଖ ଉପରେ ଚାପ ନ ପଡିବା ପାଇଁ ଦିଆଯାଉଥିବା ଏହି କାଠକୁ ମେଣ୍ଢିକାଠ କୁହାଯାଇଥାଏ । ରଥର କଳସ ଉଠିବା ପରେ ଏହି ମେଣ୍ଢିକୁ କାଢ଼ି ଦିଆଯାଇଥାଏ ।
ପ୍ରତିଦିନ ପରି ଶନିବାର ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଚକଡ଼େରା ଶେଷ ହେବ ସହ ଭୂଇଁ ଚଉତା କାର୍ଯ୍ୟ କରାଯାଉଛି । ପ୍ରଥମ ଭୂଇଁ ଚଉତା କାଠ ଚଉପଟ ହୋଇ ସାଲ ଓ ବିନ୍ଧ କାମ କରାଯାଇଥିଲା । ଆଜି ଆବଶ୍ୟକ ହେଉଥିବା ଭୂଇଁ ଚଉତା କାଠ ମିଲ୍ରୁ ଚଉପଟ ହୋଇ ଆସିଛି । ରଥ ଅମୀନ ଭୋଇ ସେବକଙ୍କ ମାଧ୍ୟମରେ ୩ରଥର ମୁଖ୍ୟ ମହାରଣାଙ୍କୁ ଭୂଇଁ ଚଉତା କାଠ ଯୋଗାଇ ଦେଇଛନ୍ତି । ଏହି କାଠରେ ମହାରଣା ସେବକମାନେ ସାଲ ଓ ବିନ୍ଧ କାର୍ଯ୍ୟ କରୁଛନ୍ତି ।
ଏହି ଭୂଇଁ ଚଉତା କାଠ ଚାରିନାହାକା ଉପରେ ଲାଗିଥାଏ । ଚାରିନାହାକା ଚାରିପଟେ ୧୪ନାହାକା ରହି ତାହା ଉପରେ ଭୂଇଁ ଏବଂ ଏହି ଭୂଇଁ ଉପରେ ୩ଥାକ ବା ୩ଟି ଭୂଇଁ ରଖାଯାଇଥାଏ । ୩ରଥର ଭୂଇଁ ଚଉତା କାଠ ଭିନ୍ନ ଭିନ୍ନ ଆକାରର । ପ୍ରଥମ ଭୂଇଁ ୬ଟି କାଠି ଓ ତୃତୀୟ ଭୂଇଁ ପାଇଁ ୪ଟି କାଠି ବ୍ୟବହୃତ ହୋଇଥାଏ । ତାଳଧ୍ୱଜ ରଥର କାଠି ଆକାର ସାଢ଼େ ୯ ହାତ ହୋଇଥିବା ବେଳେ ନନ୍ଦିଘୋଷ ରଥର ଭୂଇଁ କାଠି ଆକାର ୧୦ ହାତ । ସେହିପରି ଦେବଦଳନ ରଥର ଭୂଇଁ କାଠିର ଆକାର ୯ ହାତ । ଦ୍ୱିତୀୟ ଭୂଇଁ ପାଇଁ ତାଳଧ୍ୱଜ ରଥରେ ସାଢ଼େ ୮ହାତ, ଦେବଦଳନ ରଥରେ ୮ ହାତ ଓ ନନ୍ଦିଘୋଷ ରଥରେ ୯ହାତ କାଠି ଲାଗିଥାଏ ।
ତୃତୀୟ ଭୂଇଁ ୪କାଠିର ଆକାର ତାଳଧ୍ୱଜ ରଥର ସାଢ଼େ ୭ ହାତ, ନନ୍ଦିଘୋଷ ରଥର ୮ ହାତ ଓ ଦେବଦଳନ ରଥର ୭ ହାତ । ରଥଖଳାରେ ଭୂଇଁ ଚଉତା କାର୍ଯ୍ୟ ଚାଲିଥିବା ବେଳେ ରୂପକାରମାନେ ନାଟ ଗୋଡରେ ରାହୁମୂର୍ତ୍ତି ଖୋଦେଇ କାର୍ଯ୍ୟ କରୁଛନ୍ତି । ଏସବୁ କାର୍ଯ୍ୟ ସହିତ ୩ରଥର ମହାରଣା ସେବକମାନେ ପୋଲ ଗୟଳ ଓ ଛନ୍ଦାଗୟଳ ବାରିସିରେ ଚା‚ି ଚଉପଟ ଚଳାଇଛନ୍ତି । ଦୋଳବେଦୀ ପରିସରରେ କରତି ସେବକମାନେ ଦେବଦଳନ ରଥର ବଡ ପୋଲ ଗୟଳ ଚିରଟ କାର୍ଯ୍ୟ ଶେଷ କରିଛନ୍ତି । ଏହା ଚଉପଟ ପାଇଁ ରଥଖଳାକୁ ଅଣାଯିବ । ଦୋଳବେଦୀ ପରିସରସ୍ଥ ଅସ୍ଥାୟୀ ଶାଳରେ ଓଝା ସେବକମାନେ ରଥ ପାଇଁ ଆବଶ୍ୟକ ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା ଓ ଗୋଡି ଛାଲ କଣ୍ଟା ପ୍ରସ୍ତୁତି ଚଳାଇଛନ୍ତି ।