ପ୍ରଫେସର ବିଷ୍ଣୁ ନାରାୟଣ ମହାପାତ୍ର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଚାମର ସେବା ସୁଦୀର୍ଘ ୪୦ବର୍ଷ ଉତ୍ସର୍ଗ କରିଥିବା ପୁରୀ ଗଉଡ଼ବାଡ଼ ସାହିର ସ୍ୱର୍ଗତଃ ଡାକ୍ତର ନଟବର ମହାପାତ୍ରଙ୍କ ସହଧର୍ମିଣୀ ସ୍ୱର୍ଗତ ସାରଦାମଣୀ ମହାପାତ୍ରଙ୍କ ୮୯ ବର୍ଷ ବୟସରେ ମହାପ୍ରୟାଣ ଘଟିଛି । ପିତା ସ୍ୱର୍ଗତଃ ଗୋପାଳ ଚନ୍ଦ୍ର ଦାଶ ଓ ମାତା ରତ୍ନମଣୀ ଦେବୀଙ୍କ ତୃତୀୟ ସନ୍ତାନ । ପୁରୀ ଗଉଡବାଡ଼ ସାହିରେ ତାର ବାଲ୍ୟବସ୍ଥା କଟିଥିଲା ତେବେ ମାତ୍ର ୧୩ ବର୍ଷ ବୟସରେ କଟକ ଜିଲ୍ଲା କସର୍ଦା ଗ୍ରାମର ଡାକ୍ତର ନଟବର ମହାପାତ୍ରଙ୍କ ସହିତ ବିବାହ ହୋଇଥିଲା । ସାରଦାମଣୀଙ୍କ ଜୀବନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ଆଧ୍ୟାତ୍ମିକ କବିତା ରଚନାରେ ନିମଗ୍ନ ଥିଲା । ମହାପ୍ରଭୁଙ୍କ କୃପାରୁ ପରଲୋକ ପରେ ସେ ବୈଷ୍ଣବାଗ୍ନି ପାଇବାର ଅହୋଭାଗ୍ୟ ପ୍ରାପ୍ତ ହୋଇଥିଲା । ବୋଉର ସଂସାର ଛାଡ଼ି ଯିବାର ଗୋଟେ ସନ ହେବାକୁ ଯାଉଛି । ଏଇ ଦେଖୁ ଦେଖୁ ଋତୁଚକ୍ର ପୁଣି ଥରେ ଘୁରି ଘୁରି ଆସି ଥମିବାକୁ ବସିଲାଣି । ଏବେ ଷଡ଼ ଋତୁ ସରିବା ଉପରେ । ହେଲେ ବୋଉକୁ ମନେ ପକେଇବାର ଋତୁ ବୋଲି ଗୋଟିଏ । ହେଇପାରେ ସେ ଆମ ପାଇଁ ଆମର ସପ୍ତମ ଋତୁ ଅବା ଆମର ଚିରନ୍ତନ ଋତୁ । ସମସ୍ତେ କହନ୍ତି “ସମୟ’ ସବୁ ଶୂନ୍ୟସ୍ଥାନକୁ ଆସ୍ତେ ଆସ୍ତେ ପୂରଣ କରେ; କ୍ଷତ ଯେତେ ଗଭୀର ହେଲେ ବି ସେ ତା ଉପରେ ମହରମ ଲଗାଏ; ଦାଗକୁ ଫିକା କରେ; ଦୁଃଖକୁ ଲାଘବ କରାଏ ଓ ଅଭାବର ଅନୁଭୂତିକୁ ଧୀରେ ଧୀରେ ଦେହସୁହା କରେଇନିଏ । ବୋଉର ଶାରୀରିକ ଅନୁପସ୍ଥିତି ମୋତେ ଖୁବ୍ ଅଲଗା ଅନୁଭୂତି ଦେଇଛି । ଏବେ ବି ମୁଁ ବୋଉକୁ ମୋ’ଠୁ ଅଲଗା କରିପାରିନାହିଁ । ଏବେ ବି ସେ ମୋ ସ୍ମୃତିରେ ବିଷୟବସ୍ତୁ ନୁହେଁ । ମୋତେ ଲାଗେ ବୋଉ ତା ଅନୁପସ୍ଥିତିରେ ମୋ ଭିତରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ସେ ବି ତାକୁ ଭରି ଦେଇଛି । ଯେତେ ଦୁଃଖ ଆସିଛି, ତାକୁ ଲାଘବ କରିଛି ସିଏ । ଅନେକ ସମୟରେ ମୁଁ ଅନୁଭବ କରିଛି ତାର ଉପସ୍ଥିତି, ତାର ଶବ୍ଦର ଗୁଂଜନ ଓ ପ୍ରତିଧ୍ୱନି । ତା’କୁ ଭାଷାରେ ପ୍ରକାଶ କରିବା ଅସମ୍ଭବ ।
ମୁଁ ଯେଉଁଠି ବି ଥାଏ ଓଡ଼ିଶା ଯେତେବେଳେ ଆସେ, ମୋର ପ୍ରଥମ ଉଦେ୍ଦଶ୍ୟ ଥାଏ ତା ସଙ୍ଗେ ସମୟ ବିତେଇବା । ଅଳ୍ପ କିଛି ବର୍ଷ ତଳେ ମୁଁ ପୁରୀରେ ଖଟ ଉପରେ ତା ପାଖରେ ବସିଥାଏ । ମୁଁ କହିଲି; “ବୋଉ, ତୁ ଚାଲିଯିବା ପରେ ମୋ ଜୀବନଟା ଖୁବ୍ ବଦଳିଯିବ । ତୋ ସଙ୍ଗେ କିଛି ଦିନ ରହିବାର ଯେଉଁ ଆସ୍ପୃହା ମୋ ଭିତରେ ଅଛି ସେ ବି ଉଭେଇଯିବ ।’ ବୋଉ ମୋ କାନ୍ଧ ଉପରେ ହାତ ପକେଇ କହିଲା “ତୁ କ’ଣ ଭାବିଛୁ ତୋ ବୋଉ ସବୁଦିନ ତୋ ପାଖରେ ଥିବ ।’ ଏତେ ସ୍ପଷ୍ଟ ଓ ଏତେ ମଧୁର ଥିଲା ତାର ସେଇ ବାକ୍ୟଟି ଯେ ମୋ ଅନ୍ତର ଛଳଛଳ ହୋଇଗଲା । ସେଇ ଗୋଟିଏ ବାକ୍ୟ ହିଁ ଥିଲା ଯଥେଷ୍ଟ । ତା’ର ଚାଲିଯିବାର କିଛି ମାସ ପରେ ସେଇ ଘଟଣାଟିର ପୁନରାବୃତ୍ତି ଘଟେ ମୋ ସ୍ୱପ୍ନରେ । ସତେ ଯେମିତି ସେ ମୋତେ ମନେ ପକେଇ ଦେବାକୁ ଚାହୁଁଥିଲା ଆମର ପୁରୁଣା କଥୋପକଥନ । ବୋଉର ଶାରିରୀକ ଅନୁପସ୍ଥିତି ପାଇଁ ମୁଁ ପ୍ରସ୍ତୁତ ନଥିଲି । ପରେ ମୁଁ ଅନୁଭବ କଲି ସେ ତା’ର ପ୍ରସ୍ଥାନ ପର୍ବର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ପ୍ରାୟ ବର୍ଷେ ବା ଦେଢ଼ ବର୍ଷ ଧରି । ତା’ର ଦେହ ଛାଡ଼ିବାର ଚାରି ମାସ ପୂର୍ବରୁ ପୁରୀ ଘରେ ସକାଳେ ସେ ଗାଧୋଇ ସାରି ତୁଳସୀରେ ପାଣିଦେବାକୁ ଠିଆ ହୋଇଥାଏ । ହାତରେ ପାଣି ଢ଼ାଳ । ମୁଁ ବାରଣ୍ଡାରେ ଠିଆ ହୋଇଥାଏ । ଅଣ୍ଟା ତାର ନଇଁ ପଡ଼ିଥାଏ । ମୁହଁକୁ ଟିକେ ଉପରକୁ କରି ସେ କହିଲା; “ବୁଝିଲୁ, ସମସ୍ତେ ତ ଆଖପାଖରେ ରହିଲେ । ମୋତେ ଦେଖିବାକୁ ଆସିଲେ । ମୋ କଥା ବି ବୁଝିଲେ । ତୁ ତ ସବୁକାଳେ ଦୂରରେ ରହିଲୁ । ତୁ ଭାବୁଥିବୁ ଯେ ତୁ ତୋ ବୋଉ ପାଇଁ କିଛି କରିପାରିଲୁନି । କିନ୍ତୁ ମନେ ରଖିଥା – ତୁ ତୋ ବୋଉ ପାଇଁ ଯାହା କରିଛୁ, ସେ ଆଉ କେହି କରିପାରିବେନି । କେବେ ବି ମନ ଉଣା କରିବୁ ନାହିଁ ।’ ଏତିକି କହି ସେ ତୁଳସୀ ଚଉରାରେ ପାଣିଦେବା ଆରମ୍ଭ କଲା । ମୁଁ ନିସ୍ତବ୍ଧ ଠିଆ ହେଇଥାଏ । ମୋ ଆଖିରେ ଆଖିଏ ମେଘ । ପରେ ଭାବିଲି କୌଣସି ବିନା ପ୍ରାସଙ୍ଗିକତା ଥାଇ ବୋଉ କ’ଣ ପାଇଁ ଏସବୁ କଥା କହିଲା । ମୋ ଅବଚେତନ ମନରେ ଥିବା ଦ୍ୱନ୍ଦ୍ୱକୁ ମୋ ବୋଉ ଛଡ଼ା ଆଉ କିଏ ବୁଝିପାରିଥାନ୍ତା । କେବେ ବି ତାକୁ ପଚାରି ପାରିଲିନି ଯେ ମୁଁ ତୋ ପାଇଁ କ’ଣ କରିଛି ଯାହା ଆଉ କେହି କରିପାରିବେନି । ମୁଁ ଜାଣେ ସେ ତା’ର ଯିବା ପୂର୍ବରୁ ଯାହାଙ୍କୁ ଯାହା କହିବା କଥା ସେ କହି ଦେଇଯାଇଛି । ମୁଁ ଯେବେ ପୁରୀ ଆସେ, ସନ୍ଧ୍ୟାବେଳେ ସେ ମନ୍ଦିରରୁ ଫେରିଲା ପରେ ମୁଁ ତା’ପାଇଁ ଭାଗବତ ପଢ଼େ । ମୁଁ କହେ; “ବୋଉ, ତୋ ପୁରାଣ ପଣ୍ଡା ପହଞ୍ଚôଗଲା ଏବେ । ରାତିରେ ଭାଗବତ ଓ ପୁରାଣ ପଢ଼ା ହେବ ।’ ପ୍ରତିଦିନ ତା’ ପାଇଁ କିଛି କିଛି ପଢ଼େ । ତା’ ପାଇଁ ବେଲପତ୍ରରେ କିଛି ଲେଖେ । ତା’ର ନିତିଦିନିଆ ଜୀବନ ସଙ୍ଗେ ଜଗନ୍ନାଥଙ୍କ ପରମ ସେବିକା ସ୍ୱର୍ଗତଃ ସାରଦାମଣୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ
ତା. ୦୮.୦୨.୨୦୨୧ ପାଇଁଯୋଡ଼ି ହେଇ ମୋତେ ଖୁବ୍ ଆନନ୍ଦ ମିଳେ । ମୋତେ ମଝିରେ ମଝିରେ ମୋ ଜୀବନରେ ସନ୍ନ୍ୟାସୀ ଯୋଗ ଅଛି ବୋଲି କୁହେ । ମୋ ପିଲାଦିନେ ମୋ ଜାତକ ଦେଖି ଏକଥା ନନା କହିଥିଲେ ବୋଲି କହେ । ମୁଁ ଯେତେବେଳେ କହେ ଯେ ମୋର ଗୁରୁ କେହି ନାହାନ୍ତି । ସେ କହେ, “ତୁ ଚେଷ୍ଟା କର, ନିଶ୍ଚେ ମିଳିବେ ।’ ସବୁ ଅନୁପସ୍ଥିତିର ଭିତରେ ଲୁଚି ରହିଥାଏ ଏକ ପ୍ରଗାଢ଼ ଉପସ୍ଥିତି । ଯେମିତି ସବୁ ଉପସ୍ଥିତି ଭିତରେ ବଞ୍ଚô ରହିଥାଏ ଏକ ଅଦ୍ଭୁତ୍ ଅନୁପସ୍ଥିତି । ନନାଙ୍କ ଚାଲିଯିବା ପରେ ଏଇ କଥାଟିକୁ ମୁଁ ଅନୁଭବ କରିଥିଲି । ବୋଉର ଦେହାନ୍ତ ପରେ ଖୁବ୍ ଶାଣିତ ହେଇଛି ଏଇ ଅନୁଭୂତି ମୋ ଭିତରେ । ମୋ ରକ୍ତରେ ଉଡୁଛି ଯେତିକି ଅଭାବ, ସେତିକି ଭାବର ପକ୍ଷୀ । ଏବେ ବି ତିଆରି କରୁଛି ମୋତେ ମୋ ବୋଉ ।
Next Post
Comments are closed.