Odisha news

ଅଧିନାୟକ ବିରାଟ କୋହଲି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ସହ ଯୋଗଦେଇ

ଚେନ୍ନାଇ:  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନ‌ାୟକ ବିରାଟ କୋହଲି ଗୁରୁବାର ନିଜ ଆଇପିଏଲ୍‌ ଦଳ ସହ ଯୋଗଦେଇ ବାଧ୍ୟତାମୂଳକ ୭ ଦିନିଆ ସଂଗରୋଧରେ ରହିଛନ୍ତି। ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁଥିବା ଆଇପିଏଲ୍‌ ଲାଗି ମଙ୍ଗଳବାରଠୁ ଦଳର ଅଭ୍ୟାସ ଶିବିର ଆରମ୍ଭ ହୋଇଯାଇଛି। ‘‘ଅଧିନାୟକ ବିରାଟ କୋହଲି ଚେନ୍ନାଇରେ ପହଞ୍ଚିଲେ’’ ବୋଲି ଆର୍‌ସିବି ପକ୍ଷରୁ ଟ୍ବିଟର୍‌ରେ ସୂଚନା ଦିଆଯିବା ସହ କୋହଲିଙ୍କ ମାସ୍କ ପିନ୍ଧା ଫଟୋକୁ ପୋଷ୍ଟ୍‌ ‌କରାଯାଇଛି। ୨୦୦୮ ପ୍ରଥମ ସଂସ୍କରଣରୁ ହିଁ ଆର୍‌ସିବି ଦଳର ନେତୃତ୍ବ ମଙ୍ଗ ଧରିଥିବା କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ ପରେ ସୋମବାର ପୁଣେ‌ର ଜୈବ ବଳୟ ଛାଡ଼ିଥିଲେ। ସେ ପ୍ରାୟତଃ ଗତ ଜାନୁଆରି ଶେଷ ଭାଗରୁ ଜୈବ ବଳୟ ଜୀବନ ବିତାଉଛନ୍ତି।

ଆର୍‌ସିବି ଉଦ୍‌ଘାଟନୀ ଦିବସରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ମୁମ୍ବାଇ ଆଇପିଏଲ୍‌ ଇତିହାସରେ ସର୍ବାଧିକ ସଫଳ ଦଳ ଭାବେ ୫ ଥର ବିଜେତା ହୋଇଥିଲା ବେଳେ ଆର୍‌ସିବି ଏବେ ବି ଟ୍ରଫି ତୋଳି ଧରିବାର ଅପେକ୍ଷାରେ ରହିଛି। ଆଗାମୀ ଆଇପିଏଲ୍‌ରେ କୋହଲି ମଧ୍ୟ ଆର୍‌ସିବି ପକ୍ଷରୁ ପାଳି ଆରମ୍ଭ କରିବେ ବୋଲି ଦଳର ନିର୍ଦେଶକ ମାଇକ୍‌ ହେସନ୍‌ ବୁଧବାର ସଂକେତ ଦେଇଛନ୍ତି।
ଅନ୍ୟପକ୍ଷରେ କୋହଲିଙ୍କ ଆଉ ଜଣେ ଆର୍‌ସିବି ଖେଳାଳି ଦକ୍ଷିଣ ଆଫ୍ରିକା ତାରକା ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲିୟର୍ସ ମଧ୍ୟ ଗୁରୁବାର ଦଳ ସହ ଯୋଗ ଦେଇଛନ୍ତି। ଏହି ୩୭ ବର୍ଷ ବୟସ୍କ ମହାନ୍‌ ବ୍ୟାଟ୍‌ସମ୍ୟା‌ନ୍‌ ୨୦୧୧ରୁ ଆର୍‌ସିବିର ଜଣେ ପ୍ରମୁଖ ଖେଳାଳି ରହି ଆସିଛନ୍ତି।
ତେବେ ଦଳର ମୁଖ୍ୟ ପ୍ରଶିକ୍ଷକ ସାଇମନ୍‌ କାଟିଚ୍‌ ଏବଂ ଦ୍ରୁତ ବୋଲର ନଭ୍‌ଦୀପ ସୈନି ସଂଗରୋଧରୁ ବାହାରି ଅଭ୍ୟାସ ଶିବିରରେ ସାମିଲ ହୋଇଛନ୍ତି।

Comments are closed.