Odisha news

ଆଇପିଏଲ୍‌-୨୧ : ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୨ ୱିକେଟରେ ପରାସ୍ତ କଲା ମୁମ୍ବାଇକୁ ଇଣ୍ଡିଆନ୍ସକୁ

0

ଚେନ୍ନାଇ : ହର୍ଷଲ୍ ପଟେଲଙ୍କ ୫ ୱିକେଟ୍ ସଫଳତାରୁ ଆଇପିଏଲ୍‌ର ଚତୁଃର୍ଦ୍ଦଶ ସଂସ୍କରଣ ଆରମ୍ଭ ହୋଇଛି। ଶେଷ ଓଭର ରୋମାଞ୍ଚ ସହିତ ଆଇପିଏଲ୍‌-୨୧ର ଉଦ୍‌ଘାଟନୀ ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୨ ୱିକେଟରେ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ହର୍ଷଲ୍ ପଟେଲ୍‌ ୧୫୯/୯ରେ ରୋକିଥିଲେ। କୋହଲି, ମ୍ୟାକ୍ସୱେଲ, ଡି’ଭିଲିୟର୍ସଙ୍କ ପାଳି ବଳରେ ଆର୍‌ସିବି ଶେଷ ବଲରୁ ୧ ରନ୍‌ ନେଇ ବିଜୟୀ ହୋଇଥିଲା।

କୋହଲିଙ୍କୁ ଟସ୍‌
ଇଂଲଣ୍ଡ ବିପକ୍ଷ ସିରିଜ୍ ସାରା ଟସ୍‌ ହାରି ଆସିଥିବା ବିରାଟ କୋହଲି କିନ୍ତୁ ଶୁକ୍ରବାର ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍ ଜିତିଥିଲେ। ରୋହିତ ଶର୍ମା କଏନ୍‌ ଫିଙ୍ଗିବା ପରେ କୋହଲି ଠିକଣା ଡାକ ମାରି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ନୂଆ ଦଳୀୟ ସମନ୍ବୟ ସହ ମଧ୍ୟ ଆର୍‌ସିବି ପଡିଆକୁ ଓହ୍ଲାଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍‌, କାଇଲ୍ ଜାମିସନ୍‌, ଡାନ୍ କ୍ରିଷ୍ଟିଆନ୍‌ଙ୍କ ଯୋଗଦାନ ଦଳକୁ ଦୃଢ଼ କରିଥିଲା। କୋଭିଡ୍‌-୧୯ ସଂକ୍ରମଣରୁ ମୁକ୍ତ ହୋଇଥିଲେ ମଧ୍ୟ ଦେବଦତ୍ତ ପଡିକଲଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନଥିଲା। ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ୍‌ ରଜତ ପଟିଦାର ଆର୍‌ସିବି ପାଇଁ ଆଇପିଏଲ୍ ପଦାର୍ପଣ କରିଥିଲେ। ୫ ଥର ବିଜେତା ମୁମ୍ବାଇ ଏହାର ଗତବର୍ଷ ଫାଇନାଲ୍‌ ଦଳରୁ ଦୁଇଟି ପରିବର୍ତନ କରିଥିଲା। ସଙ୍ଗରୋଧରୁ ବାହାରିପାରିନଥିବା କ୍ବିଣ୍ଟନ୍ ଡି’କକ୍‌ଙ୍କ ବଦଳରେ କ୍ରିସ୍‌ ଲିନ୍‌ ପାଳି ଆରମ୍ଭ କରିଥିଲେ।

ଅର୍ଦ୍ଧଶତକ ବିହୀନ ମ୍ୟାଚ୍‌
ମୁମ୍ବାଇ ପାଇଁ ପ୍ରଥମ ଚୌକା ଓ ଛକା ମାରିଥିଲେ ରୋହିତ ଶର୍ମା। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ୧୯ ରନ୍‌ରେ ରନ୍‌ ଆଉଟ୍ ହୋଇଯାଇଥିଲେ। ଅଷ୍ଟ୍ରେଲୀୟ ଖେଳାଳି କ୍ରିସ୍‌ ଲିନ୍‌ କିନ୍ତୁ ଗିୟର୍‌ ପକାଇବାରୁ ମୁମ୍ବାଇ ଭଲ ହାରରେ ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ୧୦ ଓଭରରେ ଦଳ ୧ ୱିକେଟ୍‌ ହରାଇ ୮୬ ରନ୍‌ ସଂଗ୍ରହ କରିଥିଲା। କିନ୍ତୁ ବାମହାତୀ ହରିୟାଣା ଦ୍ରୁତ ବୋଲର ହର୍ଷଲ୍ ପଟେଲ ପ୍ରଶଂସନୀୟ ବୋଲିଂ କରି ମୁମ୍ବାଇକୁ ଆଗକୁ ବଢ଼ିବାକୁ ଦେଇନଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ତେଜକୁ କାଇଲ୍ ଜାମିସନ୍‌ ଲିଭାଇ ଦେବା ପରେ ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, କିରଣ‌ ପୋଲାର୍ଡ, କ୍ରୁନାଲ୍‌ ପାଣ୍ଡ୍ୟା, ମାର୍କୋ ଜାନସେନଙ୍କୁ ହର୍ଷଲ ପଟେଲ୍‌ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଶେଷ ଓଭରରେ ହ୍ୟାଟ୍ରିକ୍‌ ସୁଯୋଗରୁ ବଞ୍ଚିତ ହୋଇଥିଲେ ମଧ୍ୟ ପଟେଲ୍‌ ୩ ୱିକେଟ୍ ନେଇଥିଲେ। ରାହୁଲ ଚହରଙ୍କ ରନ୍‌ ଆଉଟ୍ ସହିତ ମୁମ୍ବାଇ ପାଳି ୧୫୯/୯ରେ ସୀମିତ ରହିଯାଇଥିଲା। ତ୍ରୟୋଦଶ ଓଭର ପ୍ରାରମ୍ଭରୁ ୧୦୦ ରନ୍‌ ଅତିକ୍ରମ କରିଥିବାରୁ ମୁମ୍ବାଇ ୨୦୦ ରନ୍‌ ଛୁଇଁବା ସମ୍ଭାବନା ରଖିଥିଲା। କିନ୍ତୁ ଶେଷ ୧୦ ଓଭରରେ ୭୩ ରନ୍‌ ଯୋଡ଼ି ୮ ୱିକେଟ୍‌ ହରାଇଥିଲା। ଆର୍‌ସିବି ପାଳି ମଧ୍ୟ ବିନା ଅର୍ଦ୍ଧଶତକରେ ଶେଷ ହେବାରୁ ଏହି ମ୍ୟାଚ୍‌ରେ କେହି ୫୦ ରନ୍‌ ପୂର୍ଣ୍ଣ କରିପାରିନଥିଲେ।

ହ‌ର୍ଷଲଙ୍କ ଶ୍ରେଷ୍ଠ ବୋଲିଂ
ଘରୋଇ କ୍ରିକେଟ୍‌ରେ ଗୁଜରାଟ ଓ ହରିୟାଣା ପାଇଁ ଖେଳୁଥିବା ହର୍ଷଲ ପଟେଲ୍‌ ତାଙ୍କ ବାଙ୍ଗାଲୋର୍‌ ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ପଟେଲ୍‌ ନିଜ ଖେଳ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ୫ ୱିକେଟ୍‌ ସଫଳତା ପାଇଛନ୍ତି। ପୂର୍ବରୁ ସେ କୌଣସି ପ୍ରକାର ଟି-୨୦ ପ୍ରତିଯୋଗିତାରେ ୫ ୱିକେଟ୍ ସଫଳତା ପାଇନଥିବାରୁ ଖୁସି ଜାହିର କରିଛନ୍ତି। ଚମତ୍କାର ବୋଲିଂ ଚିତ୍ର ୪-୦-୨୭-୫ ପାଇଥିଲେ।

ଆର୍‌ସିବିର ଖରାପ ଆରମ୍ଭ
ମୁମ୍ବାଇର ୧୫୯ ରନ୍‌ ଜବାବରେ ଆର୍‌ସିବି ଖରାପ ଆରମ୍ଭ ପାଇଥିଲା। ଦେବଦତ୍ତ ପଡିକଲଙ୍କ ବଦଳରେ ୱାସିଂଟନ୍ ସୁନ୍ଦରଙ୍କୁ ନେଇ ପାଳି ଆରମ୍ଭ କରିଥିଲେ ବିରାଟ କୋହଲି। ସୁନ୍ଦର (୧୦) ଓ ପଟିଦାର (୮) ଶସ୍ତାରେ ଆଉଟ୍ ହୋଇଯିବା ପରେ ବିରାଟ କୋହଲି (୩୩, ୨୯ ବଲ୍‌) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍‌ (୩୯, ୨୮ ବଲ୍‌) ତୃତୀୟ ୱିକେଟ୍ ପାଇଁ ୫୭ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। କୋହଲିଙ୍କୁ ବୁମରା ଓ ମ୍ୟାକ୍ସୱେଲଙ୍କୁ ଦକ୍ଷିଣ ଆଫ୍ରିକୀୟ ମାର୍କୋ ଜାନସେନ୍‌ ଆଉଟ୍ କରି ମୁମ୍ବାଇକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହି ସମୟରେ ଆରସିବି ଭାଗ୍ୟ ଅଭିଜ୍ଞ ଏବି ଡି’ଭିଲିୟର୍ସଙ୍କ ଉପରେ ନିର୍ଭର କରୁଥିଲା। ଆଉ ଏହି ଦକ୍ଷିଣ ଆଫ୍ରିକୀୟ ତାରକା ଲଢ଼ିଥିଲେ ମଧ୍ୟ ଶେଷ ଓଭରରେ ୨୭ ବଲରୁ ୪୮ ରନ୍‌ କରି ରନ୍‌ ଆଉଟ୍ ‌ହୋଇଯିବାରୁ ରୋମାଞ୍ଚ ବଢ଼ିଥିଲା। ଆର୍‌ସିବି କିନ୍ତୁ ଶେଷ ବଲ୍‌ରେ ଏକ ଏକ ରନ୍‌ କରି ମ୍ୟାଚ୍‌ ଜିତି ଯାଇଥିଲା।

ଶତକୀୟ ମ୍ୟାଚ୍‌ରେ ଚହଲ ଫିକା
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ସ୍ପିନର ୟୁଜବେନ୍ଦ୍ର ଚହଲ ଶୁକ୍ରବାର ଆଇପିଏଲ୍‌ରେ ନିଜର ୧୦୦ତମ ମ୍ୟାଚ୍‌ ଖେଳିଛନ୍ତି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ହେଲେ ଏହି ଡାହାଣହାତୀ ‌ଲେଗ୍‌ ସ୍ପିନର ନିଜର ଶତକୀୟ ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏହି ମ୍ୟାଚ୍‌ରେ ସେ ୪ ଓଭରରେ ୪୧ ରନ୍‌ ବ୍ୟୟ କରିଥିଲା ବେଳେ ୱିକେଟ୍‌ ଶୂନ୍ୟ ରହିଥିଲେ। ୨୦୧୩ରେ ମୁମ୍ବାଇ ପକ୍ଷରୁ ଆଇପିଏଲ୍‌ ପଦାର୍ପଣ କରିଥିବା ଚହଲ ଆର୍‌ସିବି ପକ୍ଷରୁ ୯୯ ମ୍ୟାଚ୍‌ ଖେଳିଛନ୍ତି। ଏହି ଧନି କ୍ରିକେଟ୍‌ ଲିଗ୍‌ରେ ସେ ୧୨୧ ୱିକେଟ୍‌ ନେଇଥିଲା ବେଳେ ଗତ ବର୍ଷ ୨୧ ୱିକେଟ୍‌ ଅକ୍ତିଆର କରିଥିଲେ। ଏଥି ସହିତ ଚହଲ ମଧ୍ୟ ୨୦୦ତମ ଟି-୨୦ ମ୍ୟାଚ୍‌ ଖେଳିଲେ।

Ad2
Leave A Reply