Odisha news

ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣଚେତନା ସ୍ୱର

0

ଡକ୍ଟର  ଲକ୍ଷ୍ମଣ  ସାହୁ : ଗଣତାନ୍ତ୍ରିକ  ରାଷ୍ଟ୍ରରେ  ଗଣମାନଙ୍କ   ଦ୍ଵାରା  ଗଣତନ୍ତ୍ର   ବଞ୍ଚି  ରହେ ।  ଆଦିମ  କାଳର  ମଣିଷ   ବନ  ଜଙ୍ଗଲ  ଭିତରେ  ଜୀବନ  ବିତାଉଥିବା  ବେଳେ  ସ୍ୱାଧୀନ  ଭାବରେ  ବିଚରଣ  କରୁଥିଲେ  ।  ପରେ  ଗୋଷ୍ଠୀ  ,  ଗୋଷ୍ଠୀରୁ  ଦଳପତି ,  ଦଳପତିରୁ  ନିର୍ଦ୍ଧିଷ୍ଟ  ଅଞ୍ଚଳରେ  ବସତି  ସ୍ଥାପନ  କରି  ବଞ୍ଚି  ଶିଖିବା  ଆରମ୍ଭ  କଲା  ।  ଏହି  ଗୋଷ୍ଠୀ  ବା  ସଂଘବଦ୍ଧ  ଜୀବନ  ଗଣଚେତନାର   ଆଦ୍ୟ  ପରିପ୍ରକାଶ  ।   ନିଜର  ଅଭାବ,  ଅସୁବିଧାର  ଦୂରିକରଣ  କରିବା  ପାଇଁ  ଅଭିନବ  ପ୍ରୟାସ  ।  ହୁଏତ  ପ୍ରାଚୀନ  ଇତିହାସରେ  ଆଦି  ମାନବର  ମାର୍ମିକ  ଚିତ୍ର  ଘଟି  ନାହିଁ ,  ଅର୍ଥାତ୍  ଗୋଷ୍ଠୀ  ସଂଘର୍ଷ  ଘଟି  ନାହିଁ ।

ଗଣଚେତନାର  ସ୍ୱର  ଗଣ  ହୃଦୟରେ  ଜୀବନର  ସ୍ପନ୍ଦନ  ଖେଳାଇ  ନାହିଁ ,  ଗଣକୁ  ବିପ୍ଳବ  ମୁଖର  କରି  ନାହିଁ ,  ଗଣ  ହୃଦୟରେ  ଅଗ୍ନି  ସଂଯୋଗ  କରି  ଅଗ୍ନିମୁଖା  କରି  ନାହିଁ  ।  ବରଂ  ତାହା  ଗଣକୁ  ଶୀତଳ  ଚନ୍ଦନ  କରିଥିଲାବେଳେ , ସମୟର  ପରିବର୍ତ୍ତନରେ  ଧୀରେ ଧୀରେ  ସେଥିରେ  ଗଣ  ସ୍ୱରରେ  ପରିବର୍ତ୍ତନ  ଦେଖାଦେଲା ।   ସେହି  ଗଣଚେତନା  ହୋଇପାରେ  ଜୀବନ  ଭିତ୍ତିକ ,  ସମସ୍ୟା  କୈନ୍ଦ୍ରିକ  ବା  ସର୍ବୋପରି  ଧର୍ମକୈନ୍ଦ୍ରିକ  ।  ତଳେଇ  ଦେଖିଲେ  ବଞ୍ଚିବାର  ସମସ୍ୟା  ଯେତିକି  ନୁହେଁ ,  ଧର୍ମ  କ୍ଷେତ୍ରରେ  ଉଲ୍ଲେଖନୀୟ  ଆସନ  ପାଇବାର  ସମସ୍ୟା  ଅଧିକ  ଯେପରି  ଗଣଚେତନାକୁ  ପ୍ରଭାବିତ  କରିଥିଲା  ।  ଦଳପତିରୁ  ରାଜତନ୍ତ୍ର   ଓ  ରାଜତନ୍ତ୍ର  ଭିତରେ  ଜନଗଣ  ଗୈାଣ ପାଲଟେ  । ସେଠାରେ  ରାଜ  ବିଳାସ  ବ୍ୟସନ  ମୁଖ୍ୟ  ପାଲଟି  ଯାଇଛି ।

 ରାଜତନ୍ତ୍ରର  ପରିପୋଷକ  ସାମନ୍ତ  ସମାଜର  ପ୍ରାଧାନ୍ୟ  ଅଧିକ  ଉଗ୍ର  ତାହା  ଇତିହାସରୁ  ସ୍ପଷ୍ଟ  ।  ଏଥିରେ  କୈାଣସି  ପ୍ରକାର  ଗଣର  ସାମଗ୍ରୀକ  ସ୍ୱାର୍ଥ  ଦେଖାଯାଏ  ନାହିଁ  ।  ବରଂ  ଅତ୍ୟଧିକ  ମାତ୍ରାରେ  ରାଜତନ୍ତ୍ରର   ସ୍ୱେଚ୍ଛାଚାରିତା  ଓ  ଅନ୍ୟାୟ  ଅବିଚାର   ନିରୀହ  ନିରନ୍ନ  ଜନ  ଉପରେ  ପଡ଼ିଲା  ସେତିକିବେଳେ  ଧୀରେ  ଧୀରେ   ଗଣ  ଆନ୍ଦୋଳନ ମୁଣ୍ଡ  ଟେକିଲା  ।  କାରଣ  ରାଜତନ୍ତ୍ରର  ଅନ୍ଧାରୀ  ଶାସନ  ବିରୁଦ୍ଧରେ  ପଦୁଟିଏ  କହିବାକୁ  ମୁହଁ  ଖୋଲୁନଥିବା  ଜନ  ଅସନ୍ତୋଷ  କ୍ରମଶଃ  ବୃଦ୍ଧି ପାଇ  ଶେଷରେ  ଅସହ୍ୟର  ଚରମ  ସୀମାକୁ  ସ୍ପର୍ଶ କରି  ଦେଇଥିଲା  ।

ଜନ  ସମୂହର  ଅସହ୍ୟ  ବୋଧରୁ   ଗଣ  ହେଲା  ଜାଗ୍ରତ ।  ଅତୃପ୍ତ  ସୁପ୍ତ  ମନ  ଜାଗ୍ରତ ହୋଇ  ସମୂହ  ଗଣ  ଆନ୍ଦୋଳନରେ  ଧିରେ  ଧିରେ ସାମିଲ  ହେଲା  ।  ବିଶ୍ୱ  ଇତିହାସରେ  ଦେଖାଯାଇଥିବା  ଫରାସୀ  ବିପ୍ଳବ  ବା  ଋଷିଆର  ସମାଜବାଦୀ  ଆନ୍ଦୋଳନ  ଏହାର  ଜ୍ୱଳନ୍ତ  ପ୍ରମାଣ  ।  ଏହି  ଦୁଇ  ବିପ୍ଳବ  ବିପରୀତ  ମୁଖି  ପ୍ରତିକ୍ରିୟା  ଦର୍ଶାଇଲା  ।  ଅର୍ଥାତ୍   ଫରାସୀ  ବିପ୍ଳବ  ସାମନ୍ତବାଦୀ  ସମ୍ପତ୍ତି  ମୋହକୁ  ବିଲୋପ  କରିଥିବା  ବେଳେ ,  ଋଷୀୟ  ଗଣ  ବିପ୍ଳବ  ବିଲୋପ  କଲା  ବୁର୍ଜୁଆ  ସମ୍ପତ୍ତି  ବଣ୍ଟନ ।  ଏସବୁ  ସମ୍ପତ୍ତି  କାହାର  ବ୍ୟକ୍ତିଗତ  ସମ୍ପତ୍ତି  ନୁହେଁ ,  ବରଂ  ଏହା  ଜନସାଧାରଣଙ୍କ  ସମ୍ପତ୍ତି  ,  ଯାହା  ସମାଜର  ଏକ  ବିରାଟ  ଶକ୍ତି ।

 କିନ୍ତୁ  ଦେଖାଯାଉଛି  ସାଧାରଣ  ମଣିଷ  ସେହି  ସମ୍ପତ୍ତିରୁ  ବଞ୍ଚିତ  ହୋଇ  ଅସହାୟ  ଅବସ୍ଥାରେ  ଦିନ  କାଟୁଥିବା  ବେଳେ  ବୁର୍ଜ୍ଜୃଆ  ଶ୍ରେଣୀ  ସମାଜରେ  ତାର  ଆଧିପତ୍ୟ  ଓ  ପ୍ରଭାବ  ବିସ୍ତାର  କରିବାରେ  ସଫଳ  ହୋଇଥାଏ  ।  ଏକଥା  ସତ  ସ୍ୱାଧୀନତାର  ସ୍ୱାଦ  ଧନୀକ  ଗୋଷ୍ଠୀଙ୍କ  ପାଇଁ ।  କିନ୍ତୁ  ସାଧାରଣତ  ମଣିଷ  ପରାଧୀନ  ଭାବରେ  ଜୀବନ  କାଟେ,  ଯାହାର  କୈାଣସି  ବ୍ୟକ୍ତିତ୍ଵ  ନାହିଁ  ।  ଯାହା  କେବଳ  ସମାଜର  ଗଣନିର୍ବେଦ  ।  ତେଣୁ  ଗଣଜୀବନର  ସମସ୍ୟା  ସଚେତନ  କଳାକାର ,  କବି ,  ଲେଖକ  ନିଜର  ସୃଷ୍ଟି  ମାଧ୍ୟମରେ  ସେହି  ନିର୍ବେଦତାରେ  ସୃଷ୍ଟି  କରେ ,  ଚମତ୍କାର  ଗଣଜୀବନର   ବାସ୍ତବ  ଚିତ୍ର  ।  ସୁପ୍ତ  ଜନତାର  ନିଦ୍ରା ଭଙ୍ଗ  କରେ  ।  ତା’ର ହୃଦୟରେ  ସୃଷ୍ଟି  କରେ  ଜନଗଣ  ଜୀବନର  କାରୁଣ୍ୟର  ଇତିକଥା  ।

ସାଧାରଣ  ମଣିଷର  ଦୁଃଖ ,  ଅଭାବ ,  ସମସ୍ୟାକୁ  ସେ  ସମାଜ  ଆଗରେ  ଉପସ୍ଥାପନ  କରେ ।  କେବେ  ସେ  ଆଭିଜାତ୍ୟର  ସ୍ତବଗାନ  କରେନାହିଁ ,  କି  କ୍ଷମତାଶାଳୀ  ବ୍ୟକ୍ତି  ବିଶେଷଙ୍କ  ଜୟଗାନ  କରେ  ନାହିଁ  ।  କେବଳ  ଜନସମାଜର   ସମୂହ  ସମସ୍ୟା  ଗୁଡ଼ିକୁ  ସାମାଜିକ  କରଣ  କରିବା  ପାଇଁ  ପ୍ରୟାସ  ଜାରି  ରଖେ  ।  ସେସବୁ  ସମସ୍ୟା  କେବେ  ଶୀତତାପ  ନିୟନ୍ତ୍ରିତ  ପଞ୍ଚତାରକା  ହୋଟେଲ  ଉପଭୋକ୍ତା  ବ୍ୟକ୍ତି  ବିଶେଷଙ୍କ  ନୁହେଁ ,  ବରଂ  ଅବହେଳିତ ,  ଖଟିଖିଆ  , ଶ୍ରମିକମାନଙ୍କ  ଜୀବନର  ଅକୁହା  କଥା  ।  ଶ୍ରେଣୀ  ସମାଜରେ  ଥାଏ  ରାଜନୀତିକ  କଳାତ୍ମକ  ଦିଗ ,  ଯେଉଁଥିରେ  ନିରୀହ  ସାଧାରଣ  ମଣିଷର  କୈାଣସି  ପ୍ରକାର  ସ୍ଥାନ  ନଥାଏ  ।  ସାମନ୍ତ-ବାଦୀ  ସମାଜର  ବଡ଼ପଣ୍ଡା  ବୋଲାଉଥିବା  ଗଣପତିମାନେ  ସର୍ବହରା  ଶ୍ରମିକ ,  ମଳିମୁଣ୍ତିଆ  ଖଟିଖିଆ ,  ଦିନ  ମଜୁରିଆମାନଙ୍କ  ସାହିତ୍ୟିକ  ଓ  କଳାତ୍ମକ  କୃତି  ଯେତେ  ଜୀବନ୍ତ  ଓ  ମହତ୍  ହେଲେ  ମଧ୍ୟ  ତାକୁ  ସ୍ଥାନ ଦିଏ  ନାହିଁ  ।

କେବଳ  ବିପ୍ଳବୀ  ଲେଖକ  ଓ  କଳାକାର  ଗଣ  ସମସ୍ୟାକୁ  ସଠିକ୍  ଭାବରେ  ପ୍ରକାଶ  କରିବାରେ  ସମର୍ଥ  ହୋଇଥାଏ  ।  ବିପ୍ଳବୀ  ଲେଖକମାନଙ୍କ  ମୈାଳିକ  ଲକ୍ଷ୍ୟ  ହେଉଛି  ନିର୍ଯ୍ୟାତିତ  ମଣିଷକୁ  ଶକ୍ତି  ଯୋଗାଇଦେବା ,  ଅନ୍ଧକାର  ମଧ୍ୟରୁ  ଆଲୋକକୁ  ଆଣିବା ,  ସଂଗ୍ରାମର  ବୀଜ  ରୋପଣ  କରି  ସଂଗ୍ରାମୀ  କରାଇବା ।  ସମାଜରେ  ଯେପର୍ଯ୍ୟନ୍ତ  ବୈପ୍ଳବିକ  ଝଡ  ତୋଫାନ  ନଉଠିଛି ,  ମଣିଷ  ମଣିଷ  ଭିତରେ  ପାରସ୍ପାରିକ  ପ୍ରେମ  ଭାବ  ଦେଖା  ନଦେଇଛି ,   ସେପର୍ଯ୍ୟନ୍ତ  ସମାଜରୁ  ଶ୍ରେଣୀ-ବୈଷମ୍ୟ  ପୃଥିବୀରୂ  ଲୋପ  ପାଇବା  ସମ୍ଭବ  ହୋଇପାରିବ  ନାହିଁ  ।  ଯେଉଁ  ସ୍ରଷ୍ଟା  ନିଜକୁ  ଭଗବାନ   ମନେକରି  ବା  କେବଳ  ଉଚ୍ଚବର୍ଗ  ମାନଂକୁ   ପ୍ରଶଂସା  କରି  ବା  ସୁହାଇଲା  ଭଳି  ତା’ର  ସୃଷ୍ଟି  ସର୍ଜନା   କରେ  ଓ  ନିମ୍ନବର୍ଗର  ଲୋକଂକ  ଉପରେ  ପ୍ରଭୁତ୍ୱ  ଜାହିର  କରେ ,  ସେଭଳି  ଲେଖା  ସାଧାରଣ  ମଣିଷ   ପାଖରେ  ଆଦର  ପାଏ  ନାହଁ  କି  କାହା  ଉପରେ  ତାର  କୋୖଣସି  ପ୍ରଭାବ  ପଡିପାରେ  ନାହିଁ  ।  ଏପରିକି  ସେଭଳି  ଲେଖକର  ଓ  ଲେଖାର   କୋୖଣସି  ଭବିଷ୍ୟତ  ନଥାଏ  ।

  ସାହିତ୍ୟର  ସୃଷ୍ଟି  ସାଧାରଣ  ମଣିଷର  ହିତ  ପାଇଁ  ।  ସାହିତ୍ୟ  କେବେ  ଅଶୋଭନୀୟ  ନୁହେଁ  ।  ସତ୍ୟକୁ  ଉପସ୍ଥାପନା  କରିବା  ସାହିତ୍ୟର  ଧର୍ମ  ।  ସାଧାରଣ  ମଣିଷର  ଜୀବନ  ମରଣର  କଥାକୁ  ପ୍ରକାଶ  କରି  ମଣିଷକୁ  ବଞ୍ଚିବା  ଶିଖାଇବାର   ମହନୀୟ  ପ୍ରେରଣା  ଦିଏ  ।  ଯେଉଁ  ସାହିତ୍ୟ   ଅତୀତ ,  ବର୍ତ୍ତମାର  ବାସ୍ତବତାକୁ  ପୁଞ୍ଜି  କରି  ସର୍ଜନା  ହୁଏ  ଓ  ଆଗାମୀର  ବାର୍ତ୍ତା  ଦିଏ  ସେଭଳି  ସାହିତ୍ୟ  କାଳଜୟୀ  ପାଲଟେ  ।  ଯେଉଁ  ସାହିତ୍ୟ  ସାଧାରଣ  ମଣିଷର  ଭୂମି ,  ଶିଳ୍ପ ,  ସଂସ୍କୃତି , କଳା ,  ବାଣିଜ୍ୟ ,  ପରମ୍ପରା  ସହ  ସମସ୍ୟାକୁ  ଭିତ୍ତି  କରି  ଲେଖାଯାଇଥାଏ  ସେହି  ସାହିତ୍ୟ ହଁ  ସମାଜରେ  ତିଷ୍ଠି  ରହେ  ।  ଐତିହାସିକ  ଦୃଷ୍ଟିରୁ  ଦେଖିଲେ  କ୍ରୀତଦାସ  ପ୍ରଥା  ଓ  ସାମନ୍ତବାଦୀ  ଯୁଗର  ବା  ରାଜା  ମହାରାଜାଙ୍କ  ଦରବାର  ସାହିତ୍ୟ  କିଛି  ମୁଷ୍ଟିମେୟ  ବ୍ୟକ୍ତିଙ୍କ  ହସ୍ତରେ  ନ୍ୟସ୍ତ  ଥିବା  ଦ୍ଵାରା  ତାହା  କେବଳ  ସେ  ସମୟରେ  କିଛି  ସୁଖଭୋଗୀ  ବା  ଉପଭୋଗୀଙ୍କ   ଗୋଷ୍ଠୀଙ୍କର   ହୋଇ  ରହିଥିଲା  ।  କେବଳ  ତାହା  ପଣ୍ଡିତ  ବର୍ଗର ,  ଦରବାରରେ  ପରିବେଶିତ   ଆଲୋଚନାର  ବାହ୍ୟାଡମ୍ବର  ପାଲଟି  ରାଜନ୍  ବର୍ଗଙ୍କୁ  ଆମୋଦପ୍ରମୋଦରେ  ବିହ୍ୱଳ  କରୁଥିଲା  ।

ସମୟର  ପରିବର୍ତ୍ତନ  ସତ୍ତ୍ଵେ  ବି   ଖଟିଖିଆ  ଶ୍ରମିକ ,  କୃଷକ  ଓ  ସାଧାରଣ   ମଣିଷର  ପ୍ରଚେଷ୍ଟାରେ  ମୁଣ୍ଡ  ଟେକିଲା  କଳା ,  ସଂସ୍କୃତି ,  ପରମ୍ପରାକୁ  ଭିତ୍ତି  କରି  ସାହିତ୍ୟ ।  ତଥାପି  ଏମାନଙ୍କ  ସଂପର୍କରେ  କିଛି  କୁହାଗଲା  ନାହିଁ  ।  ସେମାନଙ୍କ    ଶ୍ରମ  ଦାନରେ  ମୂଲ୍ୟବୋଧ  ପ୍ରତି  ଦୃଷ୍ଟି  ଦିଆନଯାଇ  ଅଧିକ  ଭାବରେ   ଉପେକ୍ଷା  କରାଯାଉଥିଲା  ।  ଯୁଗ  ଚେତନାର   ବିପ୍ଳବୀ   ଲେନିନ୍  ଏକଦା  କହିଥିଲେ  କଳା  ହେଉଛି  ଜନ  ସାଧାରଣଙ୍କ  ସଂପତ୍ତି  ।  ତେଣୁ  ଏହାର  ସୁବିସ୍ତୁତ  ଚେର  ଏବିରାଟ  ଜନସାଧାରଣଙ୍କ  ଗଭୀରତମ  ହୃଦୟରେ   ପ୍ରବେଶ  କଲେ  ହୁଏତ  ସାଧାରଣ  ମଣିଷର  ଭାଗ୍ୟ  ଖୋଲିବ  ।  ଯେ  ପର୍ଯ୍ୟନ୍ତ  ସମାଜବାଦର  ଭାବନା  ଓ   ଦିନ  ମଜୁରିଆ  ଖଟିଖିଆ  ଶ୍ରମିକମାନଙ୍କ  ଶ୍ରମ  ମୂଲ୍ୟକୁ  ଅନୁଭବ  କରି  ନାହିଁ  ସେ  ପର୍ଯ୍ୟନ୍ତ  ତାହା  ସତ୍  ସାହିତ୍ୟ  ହୋଇପାରିବ ନାହିଁ  ।  ସତ୍  ସାହିତ୍ୟ ହଁ  ସ୍ୱାଧୀନ , ମୁକ୍ତ  ସାହିତ୍ୟ  ।  ମଣିଷ  ଜାତିର    ବୈପ୍ଳବିକ  ମୂଲ୍ୟବୋଧକୁ  ନେଇ  ଗଢ଼ିଉଠିଥିବା  ସାହିତ୍ୟହିଁ   ସର୍ବାଗ୍ରେ  ଆଦରଣୀୟ ,  ହୃଦୟସ୍ପର୍ଶୀ  ସାହିତ୍ୟ  ।

ଯେପର୍ଯ୍ୟନ୍ତ   ମଣିଷ  ମଣିଷ  ଭିତରେ  ଥିବା  ଶ୍ରେଣୀ  ପାଚେରିକୁ  ଭାଙ୍ଗି  ମାନବିକତାର  ସ୍ୱର  ଉତ୍ତୋଳନ  କରାଯାଇ  ନାହିଁ ,  ବିଶ୍ବାସକୁ  ବିଶ୍ବାସ  ସହିତ ,  ହୃଦୟକୁ  ହୃଦୟ  ସହିତ ,  ପ୍ରେମକୁ  ପ୍ରେମ  ସହିତ  ଯୋଡାଯାଇ  ନାହିଁ ,  ସେପର୍ଯ୍ୟନ୍ତ  ସମାଜରେ  ପରିବର୍ତ୍ତନ  ଆଣିବା  ସମ୍ଭବ  ନୁହେଁ  ।  ଜଣେ  ଦକ୍ଷ ସଚ୍ଚା  ସାହିତ୍ୟିକର  କଲମର  ଦାମ୍ଭିକ  ସର୍ଜନା  ଜନ  ସାଧାରଣଙ୍କ  ହୃଦୟରେ  ପ୍ରବେଶ  କରି  ଉଦ୍ଦୀପିତ  ଓ  ପ୍ରୋତ୍ସାହିତ  କରେ  ତାକୁ  ଜନ  ଉନ୍ମେଷକାରୀ  ସାହିତ୍ୟ  କୁହାଯାଇପାରେ  ।

 ଗଣ  ସମାଜ ହିଁ  ପ୍ରଗତିଶୀଳ  ଓ  ସୃଜନଶୀଳ  କଳା  ଓ  ସାହିତ୍ୟର  ସ୍ରଷ୍ଟା , ରକ୍ଷକ  ଓ  ପରିପୋଷକ  ।  ଗଣ  ସଂସ୍କୃତି   ସାହିତ୍ୟକୁ  ପ୍ରେରଣା  ଦିଏ ,  ଗଣ  ଜୀବନ ହିଁ  ସାହିତ୍ୟର  ପୁଞ୍ଜି  ପାଲଟେ ।  ସାହିତ୍ୟ  କେବେ  କୈାଣସି  ସମ୍ରାଟ  ବଂଶୀୟ ,  ଆଭିଜାତ୍ୟ  ଶ୍ରେଣୀୟ  ବ୍ୟକ୍ତି  ବିଶେଷଙ୍କ  ମନୋରଞ୍ଜନର  କାଠ  କଣ୍ଢେଇ  ନୁହେଁ ଯେ  ତାକୁ ନେଇ  ଖେଳାଯାଇ  ଶେଷରେ  ପରିତ୍ୟକ୍ତ  କରାଯାଇ  ପାରିବ !  ଏହା  ସକଳ  ଜଣଗଣଙ୍କ  ଆତ୍ମଲିପି ,  ଜୀବନ  ଯନ୍ତ୍ରଣାର  ଇସ୍ତାହାର  ।

ଯେଉଁ  ସ୍ରଷ୍ଟାମାନେ   ସାଧାରଣ  ମଣିଷର  ସୁଖ  ଦୁଃଖ ,  ଭଲ  ମନ୍ଦ ,  ହାନି  ଲାଭ ,  ଜୟ  ପରାଜୟ  ସହିତ  ସେମାନଙ୍କର  ଜୀବନ  ଜୀବିକାର୍ଜନରେ  ସକ୍ରୀୟ  ହୁଅନ୍ତି  ବାସ୍ତବ  ପକ୍ଷରେ  ସେମାନେ  ଉଚ୍ଚକୋଟୀର  ସର୍ଜନା  ସୃଷ୍ଟି କରିବାରେ  ସଫଳ  ହୁଅନ୍ତି  ଓ  ସୁଲେଖକ  ଭାବରେ  ଗଣ୍ୟ  ହୁଅନ୍ତି  ।  ଜନଗଣ  ସମାଜର  ଜୀବନ  ଯାତ୍ରା  ଓ  କଥାବସ୍ତୁ  ଯେଉଁ  ସାହିତ୍ୟରେ  ସ୍ଥାନ  ପାଇଥାଏ , ତାହାହିଁ  ପ୍ରକୃତ ସାହିତ୍ୟ  ପଦବାଚ୍ୟ  ହୂଏ  ।  ଏହା   କେବେ   ସୈାଖୀନ   ମନୋରଞ୍ଜନପୂର୍ଣ୍ଣ  ବିଳାସର  ସାହିତ୍ୟ  ନୁହେଁ ,  ବରଂ  ଏହାକୁ   ଜୀବନ  ରୂପକ  ସାହିତ୍ୟ  କୁହାଯାଏ  ।  ଏପରିକି  ଏହା  ରାଜକୀୟ  ଛଟା  ଓ  ଇଚ୍ଛାର  ସାହିତ୍ୟ  ନୁହେଁ ,  ବରଂ  ଏହା  ଗଣ  ଜୀବନର  ସଂଘର୍ଷ ,   ସମସ୍ୟାର  ସାହିତ୍ୟ  ।  ତେଣୁ  ସାହିତ୍ୟ  ଦ୍ଵାରା  ବିଶ୍ୱରେ  ଗଣ  ଚେତନାର  ଉନ୍ମେଷ   ଘଟିଛି  ।

ବିଶେଷକରି  ଫରାସୀ  ରାଷ୍ଟ୍ର  ବିପ୍ଳବ  ଓ  ରୁଷିଆରେ  ଜାର  ଶାସକଙ୍କ  ବିପକ୍ଷରେ  ମାର୍କସୀୟ  ଚେତନାର  ସମାଜବାଦୀ  ବିପ୍ଳବ  ଦ୍ୱୟ  ଗଣଚେତନାର  ଯଥାର୍ଥ  ଜନ୍ମଦାତା  ଭାବେ  ପରିଚିତ  ।  ଫରାସୀ  ବିପ୍ଳବରେ  ରାଜତନ୍ତ୍ରର  ବିଲୋପ  ଓ ରୁଷିଆର  ସମାଜବାଦୀ  ବିପ୍ଳବରେ  ଗୀର୍ଜା  ବା  ଚର୍ଚ୍ଚାର  ପ୍ରଭୃତ୍ୱ  ବିଲୋପ  ଗଣ ଚେତନାକୁ  ଅଧିକ  ଶାଣିତ  କରିଥିଲା  ।   ସାହିତ୍ୟର  ପ୍ରଧାନ  ଅମୋଘ  ଅସ୍ତ୍ର  ଗଣ  ଚେତନା  ।  ସମସ୍ୟା  ଚିତ୍ରଣ  ଭିତରେ  ଫୁଟି  ଉଠିଲା  ମାନବିକତାର  ସମ୍ବେଦନଶୀଳ ।  ଜନଗଣର  ବ୍ୟଥା  ଓ    ବିଫଳତା ,  ନୈରାଶ୍ୟ  ଓ  ଶୋଚନୀୟତା  ପାଲଟିଗଲା    ସାହିତ୍ୟର  ପୁଞ୍ଜି। ।    ଉଚ୍ଚ ଶ୍ରେଣୀର  ହୃଦୟରେ   ସୃଷ୍ଟି  ହେଲା    ସହାନୁଭୂତି  ।  ମହାତ୍ମା ଗାନ୍ଧୀଜୀଙ୍କ    ସ୍ୱାଧୀନତା  ଡାକରା  ଗଣଚେତନାର  ପ୍ରତିଫଳନ ।   ଗାନ୍ଧୀଜୀ  ଜନଗଣକୁ  ଭଲ  ପାଉଥିଲେ ,  ସେମାନଙ୍କ  ସହ  ମିଶୁଥିଲେ  ।

ଫଳରେ  ତାଙ୍କ  ଡାକରାରେ  ସମସ୍ତ  ଭାରତ  ବର୍ଷର  ଜନତା  ଦେଶମାତୃକାର  ସେବା  କରିବା  ପାଇଁ  ଆଗେଇ  ଆସିଥିଲେ  ।  ଗାନ୍ଧୀଜୀ  ଜନଗଣକୁ  କେବଳ  ଆନ୍ଦୋଳନ  ଦିଗରେ  ନୁହେଁ  ରାଜନୀତିକ ,  ସାମାଜିକ ,  ସାଂସ୍କୃତିକ  ଓ  ଅର୍ଥନୀତିକ  ଦିଗରେ  ସାମିଲ  କରିଥିଲେ ।  ଧର୍ମ  ନାମରେ  ରହିଥିବା  ସଂକୀର୍ଣ୍ଣ  ମନୋଭାବକୁ  ଦୂର  କରିବା  ପାଇଁ  ଆଗେଇ  ଆସିଥିଲେ  ।  ସମାଜରୁ  ଅସ୍ପୃଶ୍ୟତା  ଦୂରେଇ  ଦେବା ପାଇଁ  ନିମ୍ନ  ଜାତିକୁ  ହରିଜନ  ବୋଲି  ଆଖ୍ୟା  ଦେଉଥିଲେ  ।  ଅବହେଳିତ  ସର୍ବହରା  ମଣିଷ  ସମାଜରେ କିଭଳି  ମୁଣ୍ଡ  ଟେକି  ରହିବ  ସେଥିପାଇଁ  ମାନବ  ପ୍ରେମର  ବାର୍ତ୍ତା  ଦେଉଥିଲେ  ।

      ଭାରତ  ସ୍ୱାଧୀନତା  ପାଇବା  ପରେ  ଗାନ୍ଧିଜୀଙ୍କ   ଆଦର୍ଶନୀତି  ଆଉ  ରହିନାହିଁ  ।  ଅବହେଳିତ  ନିଷ୍ପେସିତ   ସର୍ବହରା  ଗୋଷ୍ଠୀ  ଉପଭୋଗୀ  ଉଚ୍ଚପଦସ୍ଥ  ଗୋଷ୍ଠୀର  ଦୟାର  ପାତ୍ର  ହୋଇଛି  ।  ଗଣତନ୍ତ୍ରର  ପୋଷାକ  ଭିତରେ  ଉପଭୋଗୀ  ଉଚ୍ଚପଦସ୍ଥ  ନେତା ,  ନେତ୍ରୀ ,  ଅମଲାତନ୍ତ୍ରର  ମୋହର  ।  ସ୍ୱାଧୀନତା  ପୂର୍ବବର୍ତ୍ତୀ  ଶୋଷଣ , ସ୍ୱାଧୀନତା  ପରବର୍ତ୍ତୀ  ଶୋଷଣ  କେବଳ  ଭିନ୍ନ  ରୂପ  ନେଇଛି  ।  କୁହାଯାଇପାରେ  ପୂର୍ବବର୍ତ୍ତୀ   ଶୋଷଣ  ପ୍ରତ୍ୟକ୍ଷ  ଓ  ପରବର୍ତ୍ତୀ  ଶୋଷଣ  ପରୋକ୍ଷ  ରୂପ  ହେଇଛି  ।  ବିଶେଷ  କରି  ଦୁର୍ନୀତିର  ଚେର  ଏତେ  ଗଭୀର  ଭିତରକୁ  ପ୍ରବେଶ  କରିଛି ,  ଫଳତଃ  ସାଧାରଣ  ଲୋକଙ୍କ  କଥା  ବୁଝିବାକୁ  କେହି  ନାହାନ୍ତି  ।  ସବୁ  ବଡ଼  ବଡ଼ିଆଙ୍କ  ଭିତରେ  ଦିଆନିଆ  ଭାବ ।  ରାଜନୀତି ,   ଚାକିରି , ଶିଳ୍ପ  ବ୍ୟବସାୟ  ଭିତରେ   ଖଟିଖିଆ , ମଜୁରିଆ , ଶ୍ରମିକ  ମଳି  ମୁଣ୍ତିଆଙ୍କ  କଥାକୁ  ପଚାରେ  କିଏ ।  ଏହାହିଁ  ସ୍ୱାଧୀନତା  ପରର  ଗଣଜୀବନର  କଥା ।

ନାନା  ସମସ୍ୟା   ଭିତରେ  ଗତି  କରୁଥିବା  ସମାଜର  ବାସ୍ତବ  ସ୍ଥିତି ।  ଗଣ  ପାଇଁ  ପ୍ରସାଶନିକ ,  ସାମ୍ବିଧାନିକ ,  ରାଜନୀତିକ  ବ୍ୟବସ୍ଥା  ଥାଇ  ମଧ୍ୟ  ଗଣ  ହୋଇଯାଇଛି  କକ୍ଷ-ଚ୍ୟୁତ  ଅସହାୟ  ଗ୍ରହ  ।  କେବଳ  ବନ୍ୟା , ମରୁଡି ବା  କୈାଣସି  ପ୍ରାକୃତିକ  ବିପର୍ଯ୍ୟୟ  ବେଳେ  ତଥା  ନିର୍ବାଚନ  ବେଳେ  କିଛି  ସ୍ୱର୍ଗରୁ  ପଡ଼ିଗଲା  ଭଳି  ବିନା  ଶ୍ରମରେ  ମିଳିଗଲେ  ସେମାନେ  କୃତାର୍ଥ  ହୋଇ  ପଡନ୍ତି ।  ସେତକ  ସରିଗଲେ  ପୁଣି  ଶେଷରେ  ଭାଗ୍ୟ  ଆଦରି  ପଡିଥାନ୍ତି ।  ଏକଥା  ସତ ଯେ  ଜନ  ହୃଦୟର  ଅସନ୍ତୋଷ  କେବେ  ପୂରଣ  ହୋଇପାରିବ  ନାହିଁ  ।  ତଥାପି  ଜନ  ସମୂହର  ସ୍ୱାର୍ଥ  ନିମନ୍ତେ  ଗଣ-ଚେତନାର  ଆବଶ୍ୟକ  ରହିଛି..!  ଜନ  ସଚେତନତା  ପାଇଁ  ନିରୋଳା  ସାହିତ୍ୟର  ଭୂମିକା  ଯଥେଷ୍ଟ  ଆବଶ୍ୟକ  ରହିଛି  ।  ସାଂପ୍ରତିକ  ସମସ୍ୟାକୁ  ନେଇ  ସତ୍ ସାହିତ୍ୟ  ସୃଷ୍ଟି  ହେଲେ  ସମାଜରେ  ଘୂରି  ବୁଲୁଥିବା  ରାକ୍ଷସର  ପତନ  ଘଟିବ ,  ଏ ଅଭାବନୀୟ ପରିସ୍ଥିତି  ଧୀରେ  ଧୀରେ  ଦୂରେଇ  ଯିବ.. ଓ  ସ୍ୱାଧୀନତାର  ସ୍ୱାଦ  ଚାଖିହେବ..

Leave A Reply