Odisha news

ପ୍ରବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା : ଉପରୁ ସୂର୍ଯ୍ୟତାପ ଓ ତଳୁ ବୋଝେଇ ଲୁହା ସାମଗ୍ରୀର ଉତ୍ତାପ ମଝିରେ ବସି ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ପ୍ରବାସୀ

0

ବେତନଟୀ : କଥାରେ କୁହନ୍ତି ମଣିଷର କର୍ମ ମୁତାବକ ମୃତ୍ୟୁ ପରେ ଯମ କୁଆଡେ ଦଣ୍ଡ ଦେଇ ଥାଏ । କେତେବେଳେ ତେଲ କଢ଼େଇରେ ପକାଇ ଥାଏ ତ କେତେବେଳେ ନିଆଁରେ ପୋଡି ଥାଏ । ପୁଣି କେତେବେଳେ ଭାଲା ବର୍ଚ୍ଛାରେ ଲହୁଲୁହାଣ କରି ଥାଏ । ଏହାତ କିମ୍ବଦନ୍ତୀ ଓ ଲୋକକଥା । କିନ୍ତୁ ଏବେ ୧୮ ନମ୍ବର ଜାତୀୟ ରାଜପଥରେ ପ୍ରକୃତରେ ଯମ ଯନ୍ତ୍ରଣା ଭୋଗୁ ଥିବା ଲୋକ ମାନଙ୍କୁ ଦେଖିବାକୁ ମିଳୁଛି । ଏମାନେ ହେଲେ ବିଭିନ୍ନ ରାଜ୍ୟରୁ ଫେରୁ ଥିବା ପ୍ରବାସୀ ଶ୍ରମିକ ।

ଲକଡାଉନ ସାମାନ୍ୟ କୋହଳ ହେବା ପରେ ଏମାନେ କିଏ ଟ୍ରକ, ଟ୍ରଲର, ସାଇକେଲ କିମ୍ବା ରିକ୍ସରେ କୌଣସି ପ୍ରକାର ଘରେ ପହଞ୍ଚିବାକୁ ସଙ୍ଘର୍ଷ ଚଳାଇଛନ୍ତି । ମହରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ କିଛି ବସ ଅପରେଟର ଅସ୍ଥାୟୀ ପରମିଟ କରି ବସ ଜରିଆରେ ପ୍ରବାସୀ ମାନଙ୍କୁ ଘର ବାହୁଡାରେ ସହାୟତା କରୁଛନ୍ତି ।

କିନ୍ତୁ ଏମାନଙ୍କର ମୁଣ୍ଡପିଛା ଭଡାର ମାତ୍ରା ଏତେ ଅଧିକ ଯେ ତାକୁ ସମସ୍ତେ ବହନ କରିବା ପାଇଁ ସମର୍ଥ ହେଉ ନାହାଁନ୍ତି । ମୁଣ୍ଡ ପିଛା ୨୦ ହଜାର ଟଙ୍କାରୁ ନେଇ ଦୂରତା ଓ ଛାଡିବାର ଲକ୍ଷ୍ୟ ସ୍ଥଳକୁ ନେଇ ବସ ଅପରେଟର ମାନେ ଭଡା ମାଗୁ ଥିବାରୁ ସାଧାରଣ ଶ୍ରମିକ ଭାବେ କାର୍ଯ୍ୟ କରୁ ଥିବା ବ୍ୟକ୍ତି ମାନେ ଏହା ପ୍ରଦାନ କରି ବସରେ ଯାତ୍ରା କରିବା ପାଇଁ ସମର୍ଥ ହେଉ ନାହାଁନ୍ତି । ଅନ୍ୟ ପକ୍ଷରେ ସାମାନ୍ୟ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଚାଲୁ ଥିବା ବେଳେ ଏହାର ଡ୍ରାଇଭର ପ୍ରବାସୀ ମାନଙ୍କୁ ରୋଗ ସଂକ୍ରମଣ ଭୟରେ ଆଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି ।

ପ୍ରବାସୀ ମାନଙ୍କର ଆର୍ଥିକ ସ୍ଥିତିକୁ ଲକ୍ଷ୍ୟ କରି ସେମାନେ ବିଶେଷ କରି ଲମ୍ବା ଟ୍ରଲରରେ ଫେରୁ ଥିବାର ଲକ୍ଷ୍ୟ କରା ଯାଇଛି । ସାଧାରଣତଃ ଟ୍ରଲର ଗୁଡିକରେ ଲୁହା, ଟ୍ରେନ ଚକ, ଲୁହାପାତର ରୋଲ ଓ ଅନ୍ୟାନ ଧାତବ ଦ୍ରବ୍ୟ ବୋଝେଇ ହୋଇ ଥାଏ । ଏବେ ଗ୍ରୀଷ୍ମ ଉତ୍ତାପ ପ୍ରବଳ ରହିଛି । ଉପରୁ ମୁଣ୍ଡ ଫଟା ଖରା ପଡିବା ଦ୍ୱାରା ଟ୍ରଲର ଗୁଡିକରେ ଥିବା ଧାତବ ମାଲ ଗୁଡିକ ମଧ୍ୟ ପ୍ରବଳ ଗରମ ହୋଇ ଯାଉଛି । ତେବେ କୌଣସି ପ୍ରକାର ଘରକୁ ଫେରିବା ଲକ୍ଷ୍ୟରେ ଉପରୁ ସୂର୍ଯ୍ୟର ଉତ୍ତାପ ଓ ତଳୁ ତାତିଲା ମାଲର ଦୁଃଖକୁ ସହିତ ଏହା ଉପରେ ବସି ରହୁଛନ୍ତି ପ୍ରବାସୀ ଶ୍ରମିକ ।

ଦେହରୁ ଗମଗମ କରି ଝାଳ ବୋହି ଯାଉଛି । ମୁଣ୍ଡରେ ଗାମୁଛା ଖଣ୍ଡିଏ ପକାଇ କିଏ ତାପ ନିବାରଣ କରିବାକୁ ପ୍ରଚେଷ୍ଟା କରୁଛି ତ କିଏ ଗରମ ହୋଇ ଯାଇ ଥିବା ବୋଝେଇ ଧାତବ ସାମଗ୍ରୀ ଉପରେ ନିଜର ରବର ଚପଲ ଥୋଇ ତା ଉପରେ ବସି ସମୟ ବିତାଇବାକୁ ପ୍ରଚେଷ୍ଟା କରୁଛି । ତେବେ ଏଥି ମଧ୍ୟରୁ ଘରେ ପହଞ୍ଚିବା ବେଳକୁ ଅଧିକାଂଶ ଚର୍ମରୋଗ, ଅଂଶୁଘାତରେ ଶିକାର ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ଗୋଟିଏ ପଟେ ରାଜ୍ୟ ସରକାର ଶସ୍ତା ବାହାବା ପାଇବା ପାଇଁ ପ୍ରବାସୀ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନ, ବସ ଜରିଆରେ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଆର୍ଥିକ ଶଙ୍କଟ ହେତୁ ବାଧ୍ୟରେ ପଡି ଟ୍ରଲର ଗୁଡିକରେ ଯାତ୍ରା କରୁ ଥିବା ପ୍ରବାସୀ ମାନଙ୍କ ପାଇଁ ପ୍ରବଳ ଗ୍ରୀଷ୍ମ ସମୟରେ ପାଣି ମୁନ୍ଦାଏ କେଉଁଠି ବନେ୍ଦାବସ୍ତ କରି ନଥିବାର ଦେଖା ଯାଉଛି

Leave A Reply