ନୂଆଦିଲ୍ଲୀ: ଦୁଇବର୍ଷ ତଳେ ପ୍ରଣୟ ଅନର କିଲିଂର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ମାରୁତି ରାଓ୍ଵ ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାରୁତି ରାଓ୍ଵଙ୍କୁ କୋର୍ଟରୁ ଜାମିନ୍ ମିଳିବା ପରେ ସେ ବାହାରକୁ ଆସିଥିଲେ। ମାରୁତି ରାଓ୍ଵ ନିଜ ଜ୍ୱାଇଁଙ୍କୁ ମାରିବା ପାଇଁ ସୁପାରି ଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ତେଲେଙ୍ଗାନାର ନାଲଗୋଣ୍ଡାରେ ହୋଇଥିବା ପ୍ରଣୟ ଅନର କିଲିଂ ଘଟଣାରେ ପୁଲିସ ସାତଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝିଅର ବାପା ମାରୁତି ରାଓ୍ଵ, ତାର ଦାଦା ଶ୍ରବଣ ସମେତ ସାତଜଣ ସାମିଲ ରହିଥିଲେ। ପୁଲିସ ଏହି ହତ୍ୟା ଘଟଣାକୁ ନେଇ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାପରେ ଝିଅର ବାପା ମାରୁତି ରାଓ୍ଵ ନିଜ ଜ୍ୱାଇଁ ପ୍ରଣୟଙ୍କୁ ମାରିବା ପାଇଁ ୧କୋଟି ଟଙ୍କାର ସୁପାରି ଦେଇଥିଲେ।

୨୩ବର୍ଷର ପ୍ରଣୟ ୨୦୧୮ ସେପ୍ଟେମ୍ବରରେ ଯେତେବେଳେ ନିଜ ଗର୍ଭବତୀ ପତ୍ନୀଙ୍କ ଚିକିତ୍ସା କରାଇ ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ସେହି ସମୟରେ ତାଙ୍କ ପଛପଟୁ ମାରଣାତ୍ମକ ଆକ୍ରମଣ କରାଯାଇଥିଲା। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ସମସ୍ତ ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ଏକ ସିସିଟିଭିରେ କୈଦ ହୋଇଯାଇଥିଲା। ଯାହାକୁ ଆଧାର କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏବଂ ଏହି ହତ୍ୟା ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଥିଲା।
ଝିଅ ଅମୃତା ବି ସ୍ୱାମୀ ପ୍ରଣୟଙ୍କ ହତ୍ୟା ପଛରେ ବାପା ଓ ଦାଦାଙ୍କ ହାତ ଥିବା ଅଭିଯୋଗ କରିଥିଲେ।