ନୂଆଦିଲ୍ଲୀ: ସାରା ବିଶ୍ବବାସୀଙ୍କ ମନରେ ଡ଼ର ସୃଷ୍ଟି କରିଥିବା ଏବଂ ଅଦ୍ୟାବଧି ୩,୫୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସର ଅସଲ ରୂପ ଏବେ ସାମ୍ନାକୁ ଆସିଛି।୮୨ରୁ ଉର୍ଦ୍ଧ୍ବ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା କରୋନା ଭାଇରସର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ମାସ ମାସ ଧରି କରୋନା ଭାଇରସ ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନଙ୍କୁ ଶେଷରେ ଭାଇରସର ଅସଲ ରୂପ ମିଳି ପାରିଛି। ଚୀନ୍, ଯେଉଁଠାରୁ ଏହି ଭାଇରସ ଉତ୍ପତ୍ତି ହୋଇଥିଲା, ସେଠାକାର ବୈଜ୍ଞାନିକମାନେ ଭାଇରସ ରୂପ ଖୋଜି ବାହାର କରି ପାରିଛନ୍ତି।
ଡେଲି ମେଲର ରିପୋର୍ଟ ମୁତାବକ, ଚୀନର ବୈଜ୍ଞାନିକ ଟିମ୍ ପ୍ରଥମେ ଭାଇରସକୁ ନିଷ୍କ୍ରିୟ କରିବା ପରେ ତା’ର ଫଟୋ ଉଠାଇଥିଲେ। ସେମାନେ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ୍ ବିଶ୍ଲେଷଣ ପ୍ରାଣାଳୀ ସାହାଯ୍ୟରେ ଭାଇରସର ଅସଲ ଚେହେରା ସାମ୍ନାକୁ ଆଣିପାରିଛନ୍ତି। ଏହି ସଫଳତା ପରେ କରୋନା ଭାଇରସର ମୁକାବିଲା କରିିବା ଟିକେ ସହଜ ହେବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି। ଭାଇରସର ଆକାର ସାମ୍ନାକୁ ଆସିବା ପରେ ଏହାର ଗତିବିଧି ଉପରେ ନଜର ରଖିବା ଆହୁରି ସହଜ ହେବ ବୋଲି କୁହାଯାଇଛି।

ବୈଜ୍ଞାନିକମାନଙ୍କ ଟିମରେ ଥିବା ପ୍ରଫେସର ଲିୟୁ ଚୁଆଙ୍ଗଙ୍କ କହିବା ଅନୁଯାୟୀ, କରୋନା ଭାଇରସର ଆକାର ସହ ସେ ଶରୀରର କେଉଁ କେଉଁଁ କୋଷିକାକୁ ସଂକ୍ରମିତ ହୋଇଥିଲା, ତାହାର ଫଟୋ ଆମେ ସାମ୍ନାକୁ ଆଣିବାରେ ସଫଳ ହୋଇଛୁ। ଏହି ସଫଳତା ପରେ କରୋନା ସହ ଲଢ଼ିବା ଟିକେ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।