ୟେସ୍ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ପ୍ରସଙ୍ଗ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ଥିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚିଠି ଲେଖିଛନ୍ତି। ଚିଠିରେ ଶ୍ରୀ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ସହଯୋଗ କରନ୍ତୁ। ଜମା ଅର୍ଥ ରାଶି ଉଠାଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ।


ସେହିପରି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଆରବିଆଇକୁ ଚିଠି ଲେଖିଛି। ଜଗନ୍ନାଥଙ୍କ ଟଙ୍କାକୁ ୟୋକୋ ବ୍ୟାଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି। ୟେସ ବ୍ୟାଙ୍କରୁ ୟୋକୋ ବ୍ୟାଙ୍କକୁ ସ୍ଥାନାନ୍ତରଣ କରିବାକୁ ଅନୁରୋଧ କରିଛି। ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି।


ୟେସ୍ ବ୍ୟାଙ୍କରେ କେବଳ ମହାପ୍ରଭୁଙ୍କ ଟଙ୍କା ନାହିଁ, ପୁରୀର ଅର୍ବାନ କୋ- ଅପରେଟିଭ୍ ବ୍ୟାଙ୍କର ଟଙ୍କା ମଧ୍ୟ ୟେସ୍ ବ୍ୟାଙ୍କରେ ରଖାଯାଇଛି। ଏଥିସହିତ ରାଜ୍ୟର ୧୧ଟି ସମବାୟ ବ୍ୟାଙ୍କ ୟେସ୍ବ୍ୟାଙ୍କ ସହିତ ଅନୁବନ୍ଧିତ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପୁରୀର ଅର୍ବାନ କୋ- ଅପରେଟିଭ୍ ବ୍ୟାଙ୍କର ପାଖାପାଖି ୧୧ କୋଟି ଟଙ୍କା ଏହି ବ୍ୟାଙ୍କରେ ଜମା ରହିଛି। ତେବେ ୟେସ୍ ବ୍ୟାଙ୍କର ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ୍ କଟକଣା ଲଗାଇବା ପରେ ଏବେ ଅର୍ବାନ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ମଧ୍ୟ ହୀନସ୍ତା ହେବାକୁ ପଡିଛି। ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଣକୁ ନେଇ କଟକଣା ଲାଗିବା ପରେ ଏହାକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଛି। ଗ୍ରାହକମାନେ ନେଟବ୍ୟାଙ୍କିଂ ଓ ଏନଇଏଫ୍ଟି ମଧ୍ୟ କରିପାରୁ ନାହାନ୍ତି। ତେବେ ଅର୍ବାନ ବ୍ୟାଙ୍କ ୟେସ୍ ବ୍ୟାଙ୍କ ସହିତ ଅନୁବନ୍ଧିତ ଥିବାରୁ ଏଭଳି ସ୍ଥିତି ଉପୁଜିଛି।
ଆହୁରି ମଧ୍ୟ ଜଣାପଡ଼ିଛି ଯେ, ରାଜ୍ୟର ୧୧ଟି ସମବାୟ ବ୍ୟାଙ୍କ ୟେସ୍ ବ୍ୟାଙ୍କ ସହ ଅନୁବନ୍ଧିତ। ଏବେ ୟେସ୍ ବ୍ୟାଙ୍କର ସ୍ଥିତିକୁ ନେଇ ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ଗ୍ରାହକମାନେ ମଧ୍ୟ ସମସ୍ୟା ଭୋଗିବେ। ପୁରୀର ଅର୍ବାନ ବ୍ୟାଙ୍କ୍ ସଭାପତି ଗୁଣଧର ଦାଶମହାପାତ୍ରଙ୍କୁ ପଚାରିବାରେ ଗ୍ରାହକଙ୍କ ଟଙ୍କା ସୁରକ୍ଷିତ ଥିବା କହିଛନ୍ତି।