Odisha news

ଭୋକର ଭୂଗୋଳ ଭାରତ!

0

ଗୋବିନ୍ଦ ସାହୁ : ଶିଶୁର ବୃଦ୍ଧି ଓ ବିକାଶ ନିମନ୍ତେ ଯଥାଯୋଗ୍ୟ ପୁଷ୍ଟିକର ଖାଦ୍ୟ ଗ୍ରହଣର ନିତାନ୍ତ ଆବଶ୍ୟକତା ରହିଛି । ଶାରୀରିକ, ମାନସିକ, ସାମାଜିକ ଓ ଆବେଗିକ ପ୍ରକ୍ରିୟା ଉପଯୁକ୍ତ ରୂପେ କାର୍ଯ୍ୟକ୍ଷମ ହେବାକୁ ହେଲେ ଚାହିଦା ମୁତାବକ ପୁଷ୍ଟିକର ଖାଦ୍ୟ ନିହାତି ଦରକାର । ଶୈଶବାବସ୍ଥାରେ ବିକାଶ ଦୃତ ଗତିରେ ହୋଇଥାଏ । ଶିଶୁକୁ ବର୍ଷେ ହେଲା ବେଳକୁ ଜନ୍ମ ସମୟର ଓଜନର ତିନିଗୁଣ ହୋଇଥାଏ । ପ୍ରଥମ ବର୍ଷ ଶିଶୁର ଶାରୀରିକ ବୃଦ୍ଧି ଦ୍ୱିତୀୟ ବର୍ଷ ଅପେକ୍ଷା ଅଧିକ ହୋଇଥାଏ । ଗବେଷକଙ୍କ ମତରେ ତିନି ବର୍ଷରେ ଶିଶୁର ୮୦ ପ୍ରତିଶତ, ଏପରିକି ପାଞ୍ଚ ବର୍ଷ ବୟସରେ ୯୦ ପ୍ରତିଶତ କ୍ରମବର୍ଦ୍ଧନଶୀଳ ମାନସିକ ବିକାଶ ଘଟିଥାଏ । ସେହି କାରଣରୁ ଅନ୍ୟ ଅବସ୍ଥା ଅପେକ୍ଷା ଶୈଶବାବସ୍ଥାରେ ମାନବ ଶିଶୁ ଅଧିକ ମାତ୍ରାରେ ପୁଷ୍ଟିକର ଖାଦ୍ୟ ଦରକାର କରିଥାଏ ।

ଅପପୁଷ୍ଟି ଶିଶୁର ଶାରୀରିକ ବୃଦ୍ଧିରେ ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ । କୁହାଯାଏ ସୁସ୍ଥ ଶରୀର ଦ୍ୱାରା ହିଁ ସୁସ୍ଥ ମନ ପାଇବା ସମ୍ଭବପର ଅଟେ । ଶାରୀରିକ ବୃଦ୍ଧି ବିନା ଉଭୟ ମାନସିକ ଓ ବୌଦ୍ଧିକ ଏପରିକି ଆବେଗିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୁଏ । ଅନେକ ସମୟରେ ଅକାଳ ମୃତୁ୍ୟର ମଧ୍ୟ କାରଣ ହୋଇଥାଏ । ବିଶ୍ୱର ସମୁଦାୟ ଅପପୁଷ୍ଟିରେ ଶିକାର ଶିଶୁ ମଧ୍ୟରେ ଏକ ତୃତୀୟାଂଶ ଏବଂ ସମୁଦାୟ ମୃତୁ୍ୟବରଣ କରୁଥିବା ଶିଶୁଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ଭାରତୀୟ ଶିଶୁ ଅଟନ୍ତି । ପିତାମାତାଙ୍କ ଅର୍ଥାଭାବ କାରଣରୁ ଶିଶୁମାନେ ଉଭୟ ପରିମାଣାତ୍ମକ ଓ ଗୁଣାତ୍ମକ ଦୃଷ୍ଟିରୁ ନିମ୍ନ ମାନର ଖାଦ୍ୟ ସେବନ ପାଇଁ ବାଧ୍ୟ ହୁଅନ୍ତି ।

ଗ୍ଲୋବାଲ୍ ନିଉଟ୍ରିସନ୍ ରିପୋର୍ଟ ୨୦୨୦ ଅନୁସାରେ ୨୦୨୫ ସୁଦ୍ଧା ବୈଶ୍ୱିକ ପୋଷଣ ଲକ୍ଷ୍ୟ ହାସଲ କରିବାରେ ସମ୍ଭାବ୍ୟ ବିଫଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ୨୦୧୨ରେ ବିଶ୍ୱ ସ୍ୱାସ୍ଥ୍ୟ ସଦନ ୨୦୨୫ ସୁଦ୍ଧା ମାତୃ ଓ ଶିଶୁପୋଷଣ ନିମନ୍ତେ ଛଅ ଗୋଟି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେଥି ମଧ୍ୟରୁ ୫ରୁ କମ ବୟସ୍କ ଶିଶୁଙ୍କ ନୁ୍ୟନବିକାଶ ବା ବୃଦ୍ଧିବାଧିତକୁ ୪୦ ପ୍ରତିଶତ, ୧୯ ରୁ ୪୯ ବର୍ଷୀୟ ମହିଳାଙ୍କ ରକ୍ତହୀନତାକୁ ୫୦ ପ୍ରତିଶତ, କମ ଓଜନ ବିଶିଷ୍ଟ ଶିଶୁଙ୍କ ଜନ୍ମକୁ ୩୦ ପ୍ରତିଶତ କମ କରିବା ସହିତ ଅପରିବର୍ତ୍ତନୀୟ ବାଳ୍ୟ ମେଦ ବହୁଳତା ଓ ଜନ୍ମର ପ୍ରଥମ ଛଅ ମାସ କେବଳ ମାତୃ ସ୍ତନ୍ୟପାନକୁ ୫୦ ପ୍ରତିଶତକୁ ବୃଦ୍ଧି ଏବଂ ଶିଶୁ ଅପକ୍ଷୟ ୫ ପ୍ରତିଶତ କମ କରିବାକୁ ଧାର୍ଯ୍ୟ କରାଯାଇଥିଲା ।

୨୦୦୦ ମସିହାରେ ବାଳକମାନଙ୍କ କ୍ଷେତ୍ରରେ କମ ଓଜନ ହାର ୬୬ ପ୍ରତିଶତ ଥିଲାବେଳେ ୨୦୧୬ ମସିହାରେ ଏହା ୫୮.୧ ପ୍ରତିଶତକୁ ହ୍ରାସ ପାଇଲା ଯାହା ଏସିଆ ମହାଦେଶରେ ସେହି ସମୟରେ ଯଥାକ୍ରମେ ୩୫.୬ ଓ ୩୧.୮ ପ୍ରତିଶତ ଥିଲା । ଏହା ସହ ୫ ବର୍ଷରୁ କମ ବୟସ୍କ ୩୭.୯ ପ୍ରତିଶତ ଶିଶୁ ବୃଦ୍ଧିବାଧିତ ଏବଂ ୨୦.୮ ପ୍ରତିଶତ ଅପକ୍ଷୟର ଶିକାର ଯାହା ଏସିଆ ମହାଦେଶରେ ଯଥାକ୍ରମେ ୨୨.୭ ଓ ୯.୪ ପ୍ରତିଶତ । ଏଥି ସହିତ ପ୍ରାୟ ଅଦେ୍ର୍ଧକ ପ୍ରଜନନକ୍ଷମ ନାରୀ ରକ୍ତହୀନତାର ଶିକାର ଏବଂ ୨୧.୬ ପ୍ରତିଶତ ମହିଳା ମେଦବହୁଳତାର ଶିକାର । ଅର୍ଥନୈତିକ ଦୃଷ୍ଟିରୁ ଅସ୍ୱଚ୍ଛଳ ପରିବାରର ମହିଳା ନିମ୍ନପୋଷଣ ଓ ସ୍ୱଚ୍ଛଳ ପରିବାରର ମହିଳା ଉଚ୍ଚପୋଷଣର ଶିକାର ଅଟନ୍ତି । ଏବଂ ଉଭୟ ଗୋଷ୍ଠୀ ଅପପୁଷ୍ଟି ଅନ୍ତର୍ଗତ । ଜଣେ ସୁସ୍ଥ ନାରୀ ହିଁ ସୁସ୍ଥ ଶିଶୁକୁ ଜନ୍ମ ଦେଇଥାଏ ।

କିଛି ଦିନ ତଳେ ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇଛି । ମୋଟ ଜନସଂଖ୍ୟା ଓ ଅପପୁଷ୍ଟିର ଅନୁପାତ, ପାଞ୍ଚବର୍ଷରୁ କମ ଶିଶୁଙ୍କ ଉଚ୍ଚତା ତୁଳନାରେ କମ ଓଜନ ଆଧାରରେ ଶିଶୁ ଅପକ୍ଷୟ, ପାଞ୍ଚବର୍ଷରୁ କମ ଶିଶୁଙ୍କ ବୟସ ତୁଳନାରେ କମ ଉଚ୍ଚତା ଆଧାରରେ ନୁ୍ୟନବିକାଶ ଏବଂ ଶିଶୁ ମୃତୁ୍ୟହାର ଭଳି ଚାରୋଟି ସଂକେତକ ଉପାଦାନକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ । ରିପୋର୍ଟ ଅନୁସାରେ ସର୍ଭେ ହୋଇଥିବା ୧୦୭ ଟି ରାଷ୍ଟ୍ର ମଧ୍ୟରେ ଭାରତର ସ୍ଥାନ ଶ୍ରୀଲଙ୍କା, ବାଂଲାଦେଶ, ମିଆଁମାର, ନେପାଲ ଓ ପାକିସ୍ତାନ ଭଳି ରାଷ୍ଟ୍ରମାନଙ୍କ ଠାରୁ ପଛରେ ୯୪ ନମ୍ବର ସ୍ଥାନରେ । ଗତ ବର୍ଷ ୧୧୭ ଟି ଦେଶ ମଧ୍ୟରେ ୧୦୨ ସ୍ଥାନରେ ଥିଲା ।

ଅବଶ୍ୟ ଉଚ୍ଚ ଆୟ ଏବଂ କମ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କୁ ସୂଚକାଙ୍କ ପ୍ରସ୍ତୁତରୁ ବାଦ ଦିଆଯାଇଛି । ଦେଶର ବିଶ୍ୱ କ୍ଷୁଧା ସୁଚକାଙ୍କରେ ପ୍ରାପ୍ତାଙ୍କ ଧାରା ବିଗତ ୨୦୧୨ ମସିହାରୁ ବିଶେଷ ପରିବର୍ତ୍ତନ ହୋଇନାହିଁ । ୨୦୧୨ ମସିହାରେ ଭାରତର ପ୍ରାପ୍ତାଙ୍କ ୨୯.୩ ଥିଲାବେଳେ ଏବର୍ଷ ତାହା ୨୭.୨ ରେ ପହଞ୍ଚି ସେହିବର୍ଷରୁ ଶୋଚନୀୟ ବା ସାଂଘାତିକ ଅବସ୍ଥାରେ ହିଁ ରହିଆସିଛି ।

କ୍ରମାଗତ ଭାବେ ଦେଶରେ ଖାଦ୍ୟଶସ୍ୟର ଉତ୍ପାଦନ ପ୍ରତିବର୍ଷ ପୂର୍ବବର୍ଷର ରେକର୍ଡ଼ ଭାଙ୍ଗୁଛି । ୨୦୧୯-୨୦ ଶସ୍ୟବର୍ଷରେ ଧାନ ଓ ଗହମ ଅମଳ ଯଥାକ୍ରମେ ୧୧୮.୪୩ ଓ ୧୦୭.୫୯ ମିଲିୟନ୍ ଟନ୍ ଥିଲାବେଳେ ୨୦୨୦-୨୧ ରେ ୧୧୯.୬ ଓ ୧୦୮ ମିଲିୟନ୍ ଟନ୍କୁ ଧାର୍ଯ୍ୟ ରଖାଯାଇଛି । ସମୁଦାୟ ଅମଳକୁ ୨୦୨୦-୨୧ ଶସ୍ୟବର୍ଷରେ ପୂର୍ବବର୍ଷରୁ ୧.୫ ପ୍ରତିଶତ ଅଧିକ ଅମଳ ସହ ୩୦୧ ମିଲିୟନ୍ ଟନ୍ରେ ଧାର୍ଯ୍ୟ କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶ ଶସ୍ୟ ଆମଦାନୀ ରାଷ୍ଟ୍ରରୁ ରତ୍ପାନୀକାରୀ ରାଷ୍ଟ୍ରରେ ପରିଣତ ହୋଇସାରିଛି । ୨୦୧୯ ସୂଚକାଙ୍କ ରିପୋର୍ଟ ପ୍ରକାଶ ହେଲା ବେଳକୁ ଦେଶରେ ବିଭିନ୍ନ ସ୍ଥାନରେ ଥିବା ମାଲଗୋଦାମ ମାନଙ୍କରେ ଧାନ ବ୍ୟତିତ ୬୮ ମିଲିୟନ୍ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ମହଜୁଦ ଥିଲା ।

ସେହିପରି ସେପ୍ଟେମ୍ବର ୨୦୨୦ ରେ ଧାନ ବ୍ୟତିତ ୭୦ ମିଲିୟନ୍ ଟନ୍ ଖାଦ୍ୟଶସ୍ୟ ମହଜୁଦ ରହିଛି । ଏହା ବ୍ୟତିତ ଗୋଟିଏ ଜନମଙ୍ଗଳମାରୀ ରାଷ୍ଟ୍ର ହିସାବରେ କ୍ଷୁଧା, ଅପପୁଷ୍ଟି ଓ ନୁ୍ୟନପୁଷ୍ଟିକୁ ପରାହତ କରିବା ଉଦେ୍ଦଶ୍ୟରେ ସରକାରୀ ସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ଅତି ନଗଣ୍ୟ ଦରରେ ଚାଉଳ ଓ ଗହମ ଯୋଗାଣ, ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ ମହିଳାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଣ ପ୍ରମୂଖ ଅନ୍ୟତମ ।

ଏତଦ୍ ବ୍ୟତିତ ଓଡ଼ିଶାରେ ଆହାର, କର୍ଣ୍ଣାଟକରେ ଇନ୍ଦିରା କେଣ୍ଟିନ୍ସ୍, ତାମିଲନାଡ଼ୁରେ ଅମ୍ମା ଉନଭଗମ୍, ରାଜସ୍ଥାରେ ଅନ୍ନପୂର୍ଣ୍ଣା ରଶୋଇ, ଆନ୍ଧ୍ରପ୍ରଦେଶରେ ଆନ୍ନା କେଣ୍ଟିନ୍ସ୍, ମଧ୍ୟପ୍ରଦେଶରେ ଦୀନଦୟାଲ ଅନ୍ତ୍ୟୋଦୟ ରଶୋଇ, ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ଡାଲ-ଭାତ, ମହାରାଷ୍ଟ୍ରରେ ଶିବ ଭୋଜନ ଭଳି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କ ପାଇଁ ରିହାତି ଦରରେ ଭୋଜନ ଯୋଗାଣ ନିମନ୍ତେ କାର୍ଯ୍ୟକ୍ରମ ସବୁ ଚାଲୁ ରହିଛି ।
ଶସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରାଚୁର୍ଯ୍ୟତା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନା ଥାଇ ସୁଦ୍ଧା ବିଶ୍ୱ ଦରବାରରେ ସଂପ୍ରତି ଭୋକର ଭୂଗୋଳ ହୋଇ ରହିବା ଦେଶ ପାଇଁ ଏକ ବିଡ଼ମ୍ବନାର ବିଷୟ ।

ଏହି ଲେଖାର ଉଦେ୍ଦଶ୍ୟ କାହାରିକୁ ନିନ୍ଦା କରିବାର କଦାପି ନୁହେଁ । ଆମକୁ ମାନସମନ୍ଥନ କରି ଆହୁରି କେଉଁ ମାଧ୍ୟମରେ ଖାଦ୍ୟଶସ୍ୟର ସଦବିନିଯୋଗ କରିହେବ ତାହାର ଉପାୟ ଖୋଜିବାକୁ ପଡ଼ିବ । ଅପେକ୍ଷା କରିବାକୁ ଅଛି ସେହି ଦିନକୁ ଯେବେ ଦେଶରେ କେହି ମଧ୍ୟ ଅପପୁଷ୍ଟି, ଭୋକ, ଅନାହାର ମୃତୁ୍ୟ ଅଥବା ଅକାଳ ମୃତୁ୍ୟର ଶିକାର ହେବେ ନାହିଁ । ଏବଂ ଦେଶର ମଥାରୁ ଭୋକର ଭୂଗୋଳର କଳଙ୍କ ଲିଭିବ ।

Nalco
Leave A Reply