ଚିକିଟି,8/7():ଚିକିଟି ରେ ଦିନକୁ ଦିନ ସରକାରୀ ସ୍ୱାସ୍ଥ୍ୟ ସେବା ଭୁଶୁଡିବାରେ ଲାଗିଛି l ଚିକିଟି ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ବର୍ଷ ଧରି ଅଭିଜ୍ଞ ଡାକ୍ତର ଙ୍କ ଅଭାବ ସାଙ୍ଗକୁ ରୋଗୀଙ୍କୁ ପ୍ରତିଟି କ୍ଷେତ୍ର ରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର ନିତିଦିନିଆ ଘଟଣା ହୋଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ର କରବାଲୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକଙ୍କ ଭରସା ପାଲଟିଥିଲା l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେ ମେଡିକାଲ ଇନଚାର୍ଜ ସାଙ୍ଗକୁ ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ,ଜଣେ ଷ୍ଟାଫ ନର୍ସ, ଜଣେ ଏଏନଏମ ସାଙ୍ଗକୁ ଜଣେ ଲେବରୋଟାରି ଟେକନିସିଆନ ରହି ସୁଚାରୁରୂପେ ସ୍ୱାସ୍ଥ୍ୟ ସେବା ତୁଲାଇ ଆସୁଥିଲେ l ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗ୍ରାମାଞ୍ଚଳ ର ବହୁ ରୋଗୀ ନିର୍ଭର କରୁଥିବା ବେଳେ ଗତ ଏକ ମାସ ମଧ୍ୟରେ ମେଡିକାଲ ଇନଚାର୍ଜ ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡା ଙ୍କୁ ଛାଡିଦେଲେ ଅନ୍ୟ ସବୁ କର୍ମଚାରୀ ଙ୍କୁ ଅନ୍ୟତ୍ର ବଦଳି କରାଯାଇଛି l ଫାର୍ମାସିଷ୍ଟ ଙ୍କୁ ଗତ ପାଞ୍ଚ ଦିନ ହେଲା ଏଠୁ ନରେନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବଦଳି କରିନେବା ଫଳ ରେ କରବାଲୁଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ର ସାମ୍ନା କୁ ଆସିଛି l ରୋଗୀଙ୍କ ଭିଡ଼ କୁ ଆଖି ଆଗରେ ରଖି ସିକୁରିଟି ଗାର୍ଡ ଜଣକ ଫାର୍ମାସିଷ୍ଟ ଦାୟିତ୍ୱ ନିଭାଇବାକୁ ବାଧ୍ୟ ହେଉଛନ୍ତି l ରୋଗୀଙ୍କୁ ଇଞ୍ଜେକ୍ସନ ଦେବାଠୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଯାବତୀୟ କାମ ମେଡିକାଲ ଇନଚାର୍ଜ ଶ୍ରୀଯୁକ୍ତ ପଣ୍ଡା ଉପରେ ନ୍ୟସ୍ତ ରହୁଥିବା ରୁ ଦୂର ଦୂରାନ୍ତ ରୁ ଆସୁଥିବା ରୋଗୀ ବିରକ୍ତି ଅନୁଭବ କରୁଥିବା ପରିଲକ୍ଷିତ ହେଉଛି l ରକ୍ତ, ମଳ, ମୂତ୍ର ପରୀକ୍ଷା କରିବା ପାଇଁ ସପ୍ତାହ କୁ ଦୁଇ ଦିନ ଆସୁଛନ୍ତି ଲେବ ଟେକନିସିଆନ l ଫାର୍ମାସିଷ୍ଟ ଙ୍କ ବଦଳି ସମ୍ପର୍କ ରେ ସ୍ପଷ୍ଟୀକରଣ ପାଇଁ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଙ୍କ ସହ ଯୋଗାଯୋଗ ରେ ସେ କହିଛନ୍ତି ଖୁବ ଶୀଘ୍ର ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଫାର୍ମାସିଷ୍ଟ ସାଙ୍ଗ କୁ ଅନ୍ୟ କର୍ମଚାରୀ ଵି ଉପଲବ୍ଧ ହେବେ ବୋଲି l
