ହାଟଡ଼ିହି:କେରଳ, ହାଇଦ୍ରାବାଦ, ଚେନାଇରୁ ଘରକୁ ଫେରି ପାରୁ ନାହାନ୍ତି ଶ୍ରମିକ ଓ ଛାତ୍ରଛାତ୍ରୀ, ଭୋକ ଉପାସରେ କାଟୁଛନ୍ତି ଦିନ, ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ହାଟଡ଼ିହି-27.03, କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସେଠାରେ ବିଇଡି କରୁଥିବା ୬୫ରୁ ଉର୍ଦ୍ଧ ଓଡିଆ ଛାତ୍ରଛାତ୍ରୀ ଘରକୁ ଫେରି ପାରୁନାହାନ୍ତି । ଗତ ଅଗଷ୍ଟ ମାସରୁ ଏହି ଛାତ୍ରଛାତ୍ରୀମାନେ ସେଠାରେ ଥିବାବେଳେ ମାର୍ଚ୍ଚରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା । କିନ୍ତୁ ପରୀକ୍ଷା ସମୟ ଘୁଞ୍ଚି ଘୁଞ୍ଚି ଯାଇଥିଲା । ଫଳରେ ଛାତ୍ରଛାତ୍ରୀମାନେ ସେଠାରେ ଅଟକି ଯାଇଥିବାବେଳେ ସେମାନେ ରହୁଥିବା କେରଳର ପୁର୍ଣ୍ଣାଟୁଗୁରା ଅଞ୍ଚଳରେ କରୋନା ସଂକ୍ରମଣ ଘଟୁଥିବାରୁ ଏହି ଛାତ୍ରଛାତ୍ରୀମାନେ ଆତଙ୍କିତ ହୋଇ ପଡିଛନ୍ତି । ସେମାନଙ୍କୁ ହଷ୍ଟେଲ ମିଳି ନଥିବାରୁ ସେମାନେ ଘର ଭିତରେ ଘର ଭିତରେ ନିଜେ ରୋଷେଇ କରି ଖାଉଥିବାବେଳେ କୌଣସି ସାମଗ୍ରୀ କିଣିବାପାଇଁ ବାହାରକୁ ଯାଇ ପାରୁ ନାହାନ୍ତି । ଏପରିକି ପିଇବା ପାଣି ପାଇବାରେ ନାନା ସମସ୍ୟା ଭୋଗ କରୁଛନ୍ତି ବୋଲି ଜଣାଇଛନ୍ତି ।
ଗତକାଲି ହାଇଦ୍ରାବାଦରେ ଅଟକି ରହିଥିବା କିଛି ପରୀକ୍ଷାର୍ôଥଙ୍କୁ ଓଡିଶା ସରକାର ଫେରାଇ ଆଣିବାର ବ୍ୟବସ୍ଥା କରୁଛନ୍ତି ବୋଲି ଖବର ଜାଣିବାପରେ କେନ୍ଦୁଝର ଜିଲ୍ଲାର ସ୍ୱାତୀ ସ୍ୱେଦେସ୍ନା ପହି, ଢ଼େଙ୍କାନାଳର ଶାନ୍ତି ମଲ୍ଲିକ, ପୁରୀର ମିତାଲୀ ଖାଟୋଇ, ନୟାଗଡର ଗୋମତୀ ପ୍ରୀୟ ଦର୍ଶନୀ ବେହେରା, ବାଲେଶ୍ୱରର ସ୍ମୃତିରେଖା ମିସ୍ତ୍ରୀ,ଙ୍କ ସମେତ ଜଗତସିହଂପୁର, ସମ୍ବଲପୁର, କଳାହାଣ୍ଡି ପ୍ରଭୃତି ଜିଲ୍ଲାର ଏହି ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ସେହିପରି କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଭାରତବର୍ଷରେ ୨୧ଦିନ ପାଇଁ ଲକଡାଉନ ଘୋଷଣା ହେବାପରେ ବିଭିନ୍ନ ସ୍ଥାନରେ କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି ।
ଫଳରେ ଓଡିଶାରୁ ଦାଦନ ଖଟିବାକୁ ଯାଇଥିବା ଶହଶହ ଶ୍ରମଜିବୀ ଏବେ ହାଇଦ୍ରାବାଦ, ଚେନାଇ, ତାମିଲନାଡୁ ପ୍ରଭୃତି ସ୍ଥାନରେ ନାନା ସମସ୍ୟାରେ ଦିନ କାଟୁଥିବା ନେଇ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି । ରାଜ୍ୟ ସରକାର ତଥା ଓଡିଶାର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ତୁରନ୍ତ ଓଡିଶା ଫେରାଇ ଆଣିବାରେ ପଦକ୍ଷେପ ନେବେ ବୋଲି ସେମାନେ ନିବେଦନ କରିଛନ୍ତି ।
ତାମିଲନାଡୁର ତିରିପୁର ଜିଲ୍ଲାରେ ଥିବା ଏକ କମ୍ପାନୀରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବଳଭଦ୍ରପୁର ଗ୍ରାମର ୨୧ଜଣ ଓ ଓଡିଶାର ବିଭିନ୍ନ ଜିଲ୍ଲାରୁ ୫୦ରୁ ଉର୍ଦ୍ଧ ପିଲା କାମ କରୁଥିବାବେଳେ ଆଜକୁ ୪ଦିନ ହେଲା କମ୍ପାନୀ ବନ୍ଦ ହୋଇଯାଇଛି । ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ଓ ଖାଦ୍ୟ ପଦାର୍ଥ ନଥିବାରୁ ସେମାନେ ନାନା ଆସୁବିଧାରେ କାଳ କାଟୁଛନ୍ତି ବୋଲି କହିଛନ୍ତି । ସେମାନଙ୍କୁ ତୁରନ୍ତ ଓଡିଶା ଫେରାଇ ଆଣିବାକୁ ସେମାନେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।
ସେହିପରି ହାଇଦ୍ରାବାଦର ତିପୁର ଜିଲ୍ଲା ଅଭିନାଶୀ ଠାରେ ୩୦ରୁ ଉର୍ଦ୍ଧ ଓଡିଶ ଶ୍ରମିକ କାମ କରୁଥିବାବେଳେ ୪ଦିନ ହେଲା କମ୍ପାନୀ ବନ୍ଦ ହୋଇଯାଇଛି । ନାଁ ବାହାରକୁ ବାହାରି ପାରୁଛନ୍ତି ନାଁ ସେମାନଙ୍କ ପାଖରେ ଖାଇବାକୁ ଖାଦ୍ୟ ପ୍ୟେୟ ଅଛି । ସେହିପରି ଡିମିରିଆ ଗ୍ରାମର ୧୫ରୁ ଉର୍ଦ୍ଧ ଯୁବକ ହାଇଦ୍ରାବାଦର କୋଣ୍ଡାପୁର ସ୍ଥିତ ହାଇଟେକସିଟିରେ କାମ କରୁଥିବାବେଳେ ସେମାନେ ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛନ୍ତି । ସେମାନେ ନାନା ଶଙ୍କଟ ଦେଇ ଗତି କରିବା ସହିତ ସରକାରଙ୍କୁ ଉଦ୍ଧାର କରି ଓଡିଶା ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।
ସେହିପରି ଚେନାଇର ପତାପାଇ ଠାରେ ରୟାଲ ଇଣ୍ଡିଆରେ କାମ କରୁଥିବା ୫୦ରୁ ଉର୍ଦ୍ଧ ଶ୍ରମିକ କାମ ବନ୍ଦ ହୋଇଯିବାପରେ ଖାଇବାକୁ ନପାଇ ନାନା ସମସ୍ୟାରେ ପଡିଯାଇଛନ୍ତି । ପାଖରେ କିଛି ଖାଦ୍ୟ ପଦାର୍ଥ ମିଳୁନଥିବା ବେହେଳେ ଅନେକ ଦୁରରୁ ସେମାନେ ରାଶନ ସମଗ୍ରୀ ଆଣିଥାନ୍ତି । କିନ୍ତୁ ଏବେ ଲକଡାଉନ ଯୋଗୁଁ ବାହାରକୁ ପୁଲିସ ଛାଡି ଦେଉ ନାହିଁ । ତେଣୁ ସେମାନଙ୍କୁ ସେଠାରୁ ଉଦ୍ଧାର କରାଯାଇ ଓଡିଶା ଫେରାଇ ଆଣିବାକୁ ସେମାନେ ସାମାଜିକ ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।