ହାଟଡ଼ିହି-୨୦ /୭, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେ ଅଚଳାବସ୍ଥା ଦେଖା ଦେଇଛି । ବ୍ଲକର ଅର୍ଦ୍ଧାଧିକ ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିବାରୁ ବ୍ଲକର ଉନ୍ନୟନ କାର୍ଯ୍ୟରେ ଘୋର ବାଧା ଉପୁଜିଛି । ଜିଲ୍ଲାପ୍ରଶାସନ ସବୁ ଜାଣୁଥିଲେ ମଧ୍ୟ ନିରବ ରହିବା ଘଟଣାରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ହାଟଡିହି ବ୍ଲକଟି ଜିଲ୍ଲାର ସବୁଠାରୁ ବଡ ବ୍ଲକ ଭାବେ ପରିଗଣିତ । ଏହି ବ୍ଲକ ଅଧିନରେ ୩୧ଟି ପଞ୍ଚାୟତ ଥିବାବେଳେ ୨୧୭ଟି ଗ୍ରାମ ରହିଛି । ସମସ୍ତ ପଞ୍ଚାୟତ ଓ ଗ୍ରାମରେ ଉନ୍ନୟନ କାର୍ଯ୍ୟ ଗୁଡିକ ବ୍ଲକ ମାଧ୍ୟମରେ ହିଁ ହୋଇଥାଏ । କିନ୍ତୁ ହାଟଡିହି ବ୍ଲକରେ କର୍ମଚାରୀ ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି । ବ୍ଲକରେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖଣିକ୍ଷତିଗ୍ରସ୍ତ ବିଜୁ ପକ୍କାଘର, ମନରେଗା ଯୋଜନା କାର୍ଯ୍ୟ ଚାଲୁଥିବାବେଳେ ଅନେକ ପଞ୍ଚାୟତରେ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି ।
ବ୍ଲକର ଏବିଡିଓ ପଦବୀ ଦୀର୍ଘ ୧୦ବର୍ଷ ହେଲା ଖାଲି ପଡିଥିଲେବି ଏହାକୁ ପୁରଣ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଫଳରେ ବ୍ଲକର ବିଡିଓ କୌଣସି କାର୍ଯ୍ୟ ତଦାରଖ, କୋର୍ଟ କାର୍ଯ୍ୟରେ ଗଲେ କିମ୍ବା ଛୁଟିରେ ରହିଲେ ବ୍ଲକଟି ଏକ ପ୍ରକାର ଅଚଳ ହୋଇଯାଉଛି । ସେହିପରି ଏକାଉଣ୍ଟସ ଅଫିସର, ମତ୍ସ୍ୟଅଧିକାରୀ ପଦବୀ ଖାଲି ପଡିଥିବାବେଳେ ଗୋଟିଏ ବରିଷ୍ଠ କିରାଣୀ, ଦୁଇଟି କନିଷ୍ଠ କିରାଣୀ ପଦବୀ ଓ ୪ଟି ଚତୁର୍ଥଶ୍ରେଣୀ କର୍ମଚାରୀ ପଦ ଖାଲି ପଡିଛି । ୩୧ଟି ଯାକ ପଞ୍ଚାୟତ ପାଇଁ ୩୧ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତ ହେବାକୁ ଥିବାବେଳେ ୭ଟି ପଞ୍ଚାୟତର ନିର୍ବାହୀ ଅଧିକାରୀ ପଦବୀ ଖାଲି ପଡିଛି ।
ଫଳରେ ଜଣେ ଜଣେ ଅଧିକାରୀଙ୍କୁ ଦୁଇ ତିନୋଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ଫଳରେ ପଞ୍ଚାୟତରେ ବିକାଶ ମୁଳକ କାର୍ଯ୍ୟ ଗୁଡିକ ଠିକ ଭାବେ ହୋଇପାରୁନି । ରାଜ୍ୟ ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ କର୍ମଚାରୀ ଅଭାବ ସତ୍ତ୍ୱେ ପିଇଓ ଏବଂ ଜିଆରଏସ ମାନଙ୍କ ଦ୍ୱାରା ଅଧିକାଶଂ କାର୍ଯ୍ୟ କରାଯାଇ ଏହାକୁ ଚଳାଇ ଦିଆଯାଉଛି । ପିଇଓଙ୍କ ସଂଖ୍ୟା କମ ଥିବାରୁ ବର୍ତ୍ତମାନ ସମୟରେ କୋଭିଡ-୧୯ ସୁପରିଚାଳନା କ୍ଷେତ୍ରରେ ମଧ୍ୟ ବାଧା ଉପୁଜୁଛି । ଏହି ବ୍ଲକରେ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି କରିବା ଦିଗରେ ଜିଲ୍ଲା ପ୍ରଶାସନର ନୀରବତା ଅବଲମ୍ବନ କରିବା ପରିତାପର ବିଷୟ । ଜିଲ୍ଲାପାଳ ତୁରନ୍ତ ହାଟଡିହି ବ୍ଲକରେ ଗୁରୁତ୍ୱପୁର୍ଣ୍ଣ ବିଭାଗ ଗୁଡିକରେ କର୍ମଚାରୀ ନିଯୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।