ନାଟ୍ୟସାରଥି ଅଭୟ କୁମାର ଦାସ : ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀକୁ ନେଇ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ସହ ମୁହାଁମୁହିଁ ସ୍ଥିତି ଓ ମହାନଦୀର ସୁରକ୍ଷା ପାଇଁ ଅନେକ ଦାବି ପ୍ରତିବାଦ ଉଠୁଥିବାବେଳେ ଅନେକ ହୁଏତ ଜାଣିନାହାଁନ୍ତି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାର ଲାଇଫ ଲାଇନ “ଗୋବରୀ’ ନଦୀ ଆଜି ନିଜର କେବଳ ପରିଚୟ ମାଗୁନି ସୁରକ୍ଷା ଓ ପ୍ରତିଦାନକୁ ଆଶା କରି ଏକ ପ୍ରକାର ଚୁପ୍ ହୋଇ ବସିଛି କହିଲେ ଅତୁ୍ୟକ୍ତି ହେବନାହିଁ ।
ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଅବିଭକ୍ତ କଟକ ଜିଲ୍ଲା ସହ ଅନ୍ୟ ଜିଲ୍ଲାର ପରିସୀମା ଭିତରେ ଏହି ନଦୀଟି ଛୋଟିଆ ହୋଇଥିଲେ ବି ଏହାକୁ ଏଯାବତ୍ ନଦୀର ମାନ୍ୟତା ମିଳିନି । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ ପରି ବର୍ଷାରେ ବେଳେ ବେଳେ ଅଦିନିଆ ବନ୍ୟା ବିତ୍ପାତ ଦେଖାଉଥିବା ଏହି ଛୋଟ ନଦୀଟି ଖରାଦିନେ କ୍ଷୀଣ ସ୍ରୋତା ହୋଇ ପରିଶେଷରେ ଶୁଖିଲା ପଡ଼ିଥାଏ । ବର୍ଷା ଋତୁରେ ଏହି ନଦୀଟି ବିଶେଷକରି ସାଲେପୁର, ମାହାଙ୍ଗା ସହ ଅନ୍ୟାନ୍ୟ ଆଖପାଖ ବ୍ଲକବାସୀଙ୍କ ପାଇଁ ଦୁଃଖ ଦେଇଥାଏ ଏହି ନଦୀଟି । ପ୍ରତିବର୍ଷ ଏହି ନଦୀର ବନ୍ୟାରେ ମାହାଙ୍ଗା ଓ ସାଲେପୁର ବ୍ଲକର ପାଖାପାଖି ୭୦ ଭାଗ ଚାଷ ଜମି ପ୍ରଭାବିତ ହେଉଛି । ଆଜି ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ଅଭାବରୁ ଜଳ ନିଷ୍କାସନର ହୋଇପାରୁନି । ହଜାର ହଜାର ଏକ ଜମି ଜଳମଗ୍ନ ହେଉଛି ଓ ହଜାର ହଜାର କଚ୍ଚାଘର ଭାଙ୍ଗୁଛି ।
ପ୍ରତିବର୍ଷ କୋଟି କୋଟି ଟଙ୍କା ଡ୍ରେନେଜ ସଫେଇ, ବନ୍ଧ ଖନନ ମାଧ୍ୟମରେ ଖର୍ଚ୍ଚ ହେଉଥିବା ସରକାରୀ ତଥ୍ୟରେ ଦର୍ଶାଯାଉଥିବା ବେଳେ ପ୍ରକୃତରେ ଗୋବରୀର ପୁନଃରୁଦ୍ଧାର ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନି । ବରଦିଆ ଠାରେ ଡ୍ରେନେଜ କଟ୍ କାମ ଆରମ୍ଭ ହୋଇଛି କିନ୍ତୁ ତା ବି ସରିପାରିନି । ସୂଚନା ଅନୁସାରେ, କଟକ ଜିଲ୍ଲା ସାଲେପୁର ବ୍ଲକର ୫/୬ଟି ପଞ୍ଚାୟତ ଓ ମାହାଙ୍ଗା ବ୍ଲକର ୧୮ଟି ପଞ୍ଚାୟତ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କରିଛି ଗୋବରୀ । ଚାହାପଡ଼ା, ଜଳେଶ୍ୱରପୁର, ନୁର୍ତ୍ତାଙ୍ଗ, ମଉଦା, ଆନନ୍ଦପୁର, ଭଉଁରିଆ, ପଲ୍ଲିସାହି, ଉମର, ନାହାଙ୍ଗ, ମାହାଙ୍ଗା, ବରାହୀପୁର, ରାହାଣିଆ, କୁସୁପୁର, ଉଷୁମା, ହଳଦିଆ, ପୋଡ଼ାମରାଇ, ପାଇକରାପୁର, ଲଳିତଗିରି ପଞ୍ଚାୟତ ଦେଇ ଜାତୀୟ ରାଜପଥ ଅତିକ୍ରମ କରି ଗୋବରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବେଶ କରିଛି । ଏହି ନଦୀ କୂଳରେ ଅନେକ ତୀର୍ଥସ୍ଥାନ ଓ ସ୍ମୃତି ବିଜଡ଼ିତ କ୍ଷେତ୍ର ମଧ୍ୟ ରହିଛି । ଲଳିତଗିରି ପରି ବିଶ୍ୱପ୍ରସିଦ୍ଧ ବୌଦ୍ଧକ୍ଷେତ୍ର ଓ ଓଳାଶୁଣୀ ପାହାଡ଼ ରହିବା ସହିତ ପ୍ରତିବର୍ଷ ଓଳାଶୁଣୀ ଯାତ୍ରା ମଧ୍ୟ ଆୟୋଜନ ହେଉଛି । କିନ୍ତୁ ଏସବୁ ସତ୍ତ୍ୱେ ଆଜି ଯେତେବେଳେ ଦେଶ ନିଜର ସ୍ୱାଧୀନତାର ୭୩ ବର୍ଷ ପୂରଣ କରୁଛି ସେ ସମୟରେ ଗୋବରୀ ନଦୀର ମାନ୍ୟତା ପାଇନି ।
ସୂଚନା ପ୍ରଯୁକ୍ତିର ବୈପ୍ଳବିକ କ୍ରାନ୍ତୀ ଚନ୍ଦ୍ରରେ ଲୋକମାନଙ୍କୁ ରହିବା ପାଇଁ ଜମି ବିକ୍ରି କରାଯାଉଥିବାବେଳେ ଗୋବରୀ ନଦୀ କଥା ଚିନ୍ତା କଲାବେଳକୁ ଅନେକ ଦୁଃଖ ଆସୁଛି । ଡ୍ରେନେଜ କାର୍ଡ଼ ୫୬ ସୁକ, ଗୋବରୀ ଓ ମଇଜରାକୁ ସ୍ଥାୟୀ ଖନନ, ସୁଦୃଢ଼ ବନ୍ଧ ନିର୍ମାଣ ଓ ବନ୍ଧରେ ବୃକ୍ଷରୋପଣ କରିବା ସହ ଏହାର ସ୍ଥାୟୀ ସମାଧାନ କଲେ ମାହାଙ୍ଗା ବ୍ଲକର ୭୦ ପ୍ରତିଶତ ଜନସାଧାରଣ ବନ୍ୟା ଏବଂ ମରୁଡ଼ିରୁ ରକ୍ଷା ପାଇବେ । କଥାରେ ଅଛି ବେଙ୍ଗ ମୁତିଲେ ପାଣି ସେହିପରି ବର୍ଷାଦିନେ ଅସରାଏ ବର୍ଷା ହେଲେ ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇ ଚାଷକୁ କ୍ଷତି ପହଞ୍ଚାଉଛି ଏବଂ ଖରାଦିନେ ପାଣି ନଦୀରେ ରହୁ ନଥିବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି ।
ମାହାଙ୍ଗା ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳ ନିଷ୍କାସନ ନ ହେବା ଫଳରେ ହଜାର ହଜାର କୃଷକ କ୍ଷତି ସହୁଛନ୍ତି । ଗୋବରୀର ଜଳ ସେଚନ ବ୍ୟବସ୍ଥା କେବଳ ଧାନ, ମୁଗ, ବିରି, ଆଖୁ ପାଇଁ ନୁହେଁ ଅନେକ ପନିପରିବା ମଧ୍ୟ ଚାଷୀ ନଦୀ କୂଳରେ କରି ଦୁଇପଇସା ରୋଜଗାର କରିଥାଏ । ସେହିପରି ବ୍ୟବସ୍ଥା ଭିତରେ ବର୍ଷ ବର୍ଷ ଧରି ଅଟକି ରହିଥିବା ପାଟନାଳୀ ସମସ୍ୟାର ସ୍ଥାୟୀ ପ୍ରତିକାର ହୋଇଗଲେ ଅନେକ ସୁଫଳ ମିଳନ୍ତା । ଗୋବରୀକୁ ନେଇ ଅନେକ ସମ୍ଭାବନା ରହିଥିଲେ ବି ତାକୁ ଠିକ୍ ଭାବରେ ବ୍ୟବହାର କରାଯାଉନି । ବର୍ଷା ହେଲେ ବନ୍ୟାଜଳରେ ଉବୁଟୁବୁ ହେଉଥିବା ଗୋବରୀରେ ଅନ୍ୟ ଦିନ ମାନଙ୍କରେ ଅଣ୍ଟାଏ ପାଣି ବି ରହେନି । ଯଦି ଗୋବରୀର ପାଣିକୁ ସଠିକ୍ ନିୟନ୍ତ୍ରଣ କରାଯାଇପାରନ୍ତା ତାହେଲେ ଉଭୟ ମାହାଙ୍ଗା ଓ ସାଲେପୁର ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରନ୍ତା ।
ଗୋବରୀକୁ ନେଇ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ମାଷ୍ଟର ପ୍ଳାନ କିଛି କରାଯାଇ ପାରି ନଥିବାରୁ ଆଗାମୀ ଦିନରେ କେବଳ ବର୍ଷା ହେଲେ ଗୋବରୀକୁ ଚିହ୍ନି ହେବ, ନଚେତ୍ ଗୋବରୀ ଏକ ଶୁଷ୍କ ନାଳ ହୋଇ ରହିଯିବ ବୋଲି ବୁଦ୍ଧିଜିବୀ କମହଲରେ ଉଦ୍ବେଗ ପ୍ରକାଶ ପାଇଲାଣି । ଗୋଟିଏ ଜାତିର ଏକ ବୃତ୍ତିଗତ କ୍ଷେତ୍ର ପରିସୀମାର ଲୋକମାନଙ୍କ ଗୁଜୁରାଣ ହେଉଛି ଚାଷବାସ । ଓଡ଼ିଶା ଏକ ଚାଷୀ ପ୍ରଧାନ ରାଜ୍ୟ ହୋଇଥିବାରୁ ଚଷାପୁଅ ସ୍ୱାଭାବିକ ଭାବେ ମୁଣ୍ଡ ଛାଳ ତୁଣ୍ଡରେ ମାରି ମେହେନତି କରିଥାଏ ଦୁନିଆକୁ ଦାନା ଯୋଗାଇବା ସହ ନିଜେ ନିଜ ପରିବାରକୁ ଭରଣ ପୋଷଣ କରିବା । ତେଣୁ ଗୋବରୀ ନଦୀ ପ୍ରତି ଆନ୍ତରିକ ଉଦ୍ୟମ ଜାରି କରି ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହି ନଦୀଟି ଶସ୍ୟ ଶ୍ୟାମଳାର ବହୁତ ବଡ଼ ଉପଲବ୍ଧି ଆମ ସମସ୍ତଙ୍କୁ ଦେଇପାରିବ ।
ଏ କ୍ଷେତ୍ରରେ ଅଭିଯୋଗ, ରାଜନୀତି ବା ପରସ୍ପର ପ୍ରତି କାଦୁଅ ଫିଙ୍ଗା ଛାଡ଼ି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ପ୍ରଶାସନ ପାଖରେ ଆବେଦନ ଜଣାଇଲେ ଏହା ନଦୀର ମାନ୍ୟତା ପାଇବା ସହ ଆମ ଅଞ୍ଚଳର ଅଭିବୃଦ୍ଧି ଓ ପ୍ରଗତିରେ ଆମ ମାନଙ୍କର ବଳିଷ୍ଠ ଅବଦାନ ମଧ୍ୟ ରହିବ । ଗଣକବି ବୈଷ୍ଣବପାଣିଙ୍କ ମୂଲକ ଭାବେ ପରିଚିତ ମାହାଙ୍ଗା କୁଅାଁପାଳ ଅଞ୍ଚଳ, ପାଣିକବି ଭାବେ ପ୍ରଖ୍ୟାତ ଓ ନିଜ ଲେଖନୀରେ ଗାଁ ମାଟି ମୂଲକର ସବୁକିଛିର ବାସ୍ନାକୁ ନାଟକ ଭିତରେ ରୂପାନ୍ତରଣ କରୁଥିବା ବୈଷ୍ଣବ ପାଣି ତାଙ୍କ ଅନେକ ଲେଖନୀ ଭିତରେ ଗୋବରୀ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
Comments are closed.