Odisha news

ନୃତ୍ୟ ମୁଦ୍ରାରେ ଗଣେଶ

0

ଡ଼ ପ୍ରତିଭା ମହାରଥୀ : ଜଣେ ଶ୍ରେଷ୍ଠ ଶିବଭକ୍ତ ହିସାବରେ ଲଙ୍କପତି ରାବଣକୁ କିଏ ବା ନ ଜାଣେ । ସ୍ୱରଚିତ ଶିବତାଣ୍ଡବ ବୋଲି ବୋଲି ଶିବଲିଙ୍ଗ ନିକଟରେ ଭକ୍ତିରେ ବିଭୋର ହୋଇ ପୂଜା କଲାବେଳେ ସ୍ୱୟଂ ଶିବ ଅନେକଥର ତା ସମ୍ମୁଖରେ ଆବିର୍ଭୁତ ହୋଇ ତାକୁ ଅନେକ ବର ପ୍ରଦାନ କରିଥାଆନ୍ତି ।

ସେହିପରି ଦିନକର କଥା । ରାବଣର ଆରାଧନାରେ ସନ୍ତୁଷ୍ଟ ହୋଇ ଶିବ ଆବିର୍ଭୁତ ହୁଅନ୍ତେ ରାକ୍ଷସରାଜ ରାବଣ ତାଙ୍କୁ ଏକ ଅଦ୍ଭୂତ ବର ଯାଚନା କରିଥିଲେ । ରାବଣ କହିଲେ, “ହେ ଭୂତଶ୍ରେଷ୍ଠ, ଆପଣ ଯଦି ମୋତେ ବର ଦେବାକୁ ଇଚ୍ଛା କରିଛନ୍ତି ତେବେ ଦୟାକରି ମାତା ପାର୍ବତୀଙ୍କ ସହିତ ମୋର ସୁବର୍ଣ୍ଣମୟୀ ଲଙ୍କାପୁରୀରେ ଅବସ୍ଥାନ କରନ୍ତୁ । ଫଳରେ ଆପଣଙ୍କ ଦର୍ଶନର ସୁଯୋଗ ପ୍ରତିଦିନ ମୋତେ ପ୍ରାପ୍ତି ହେବ । ଏହାଠାରୁ ବଳି ବଡ଼ ଆଶୀର୍ବାଦ ଆଉ କଣ ଥାଇପାରେ ।” ଏଥିରେ ଶିବ କିନ୍ତୁ ଅରାଜି ହୋଇ ଅନ୍ୟ କିଛି “ବର’ ମାଗିବାକୁ ରାବଣକୁ ପରାମର୍ଶ ଦେଲେ । ରାବଣ କିନ୍ତୁ ନିଜ ଜିଦ୍ରେ ଅଟଳ ରହି କହିଲା, “ପ୍ରଭୁ ମୁଁ ସୁରାସୁରଙ୍କ ଅଜେୟ ।

ତି୍ରପୁର ବିଜୟ କରି ସମସ୍ତ ଧନସମ୍ପଦ ଠୁଳ କରିଛି । କାମିନୀ, କାଞ୍ଚନ, ଧନରତ୍ନ, ଗଜ, ଅଶ୍ୱ, ରଥ, ଶକ୍ତି, ଐଶ୍ୱର୍ଯ୍ୟ, ବିଭବ ସବୁ କିଛି ଆୟତ୍ତ କରିଛି । କେବଳ ଆପଣଙ୍କ ଅନୁପସ୍ଥିତ ହିଁ ମୋତେ ବ୍ୟଥିତ କରୁଛି । ନିତି ଆପଣଙ୍କ ଦର୍ଶନ କରି, ପଦବନ୍ଦନା କରିପାରିଲେ ଏ ମୂଢ଼ ପାମରର ଜୀବନ ଧନ୍ୟ ହେବ ।” ରାବଣର ପି୍ରୟ ବାକ୍ୟରେ ସନ୍ତୁଷ୍ଟ ହୋଇ ଆଶୁତୋଷ ନିଜ ହୃଦୟ ଭିତରୁ ଜ୍ୟୋତିଃଲିଙ୍ଗ କାଢ଼ି ରାବଣକୁ ପ୍ରଦାନ କଲେ ଏବଂ କହିଲେ, “ବତ୍ସ! ଏହା ଆତ୍ମଲିଙ୍ଗ । ଏହାକୁ ନେଇ ଦକ୍ଷିଣାଭିମୁଖୀ ହୁଅ ଓ ଲଙ୍କାରେ ସ୍ଥାପନା କର । ଏହାକୁ ଦର୍ଶନ କରି ମୋର ଅର୍ଦ୍ଧନାରୀଶ୍ୱର ରୂପ ଦର୍ଶନ କରିବାର ସୌଭାଗ୍ୟ ଲାଭକର । କିନ୍ତୁ ସାବଧାନ! ଯାତ୍ରା ସମୟରେ ଏହାକୁ ପଥ ମଧ୍ୟରେ କୌଣସି ସ୍ଥାନରେ ଥରେ ତଳେ ରଖିଦେଲେ ପୁନଶ୍ଚ ଉଠାଇ ମୁଣ୍ଡାଇବାକୁ ସମର୍ଥ ହେବନାହିଁ ।” ରାବଣ ଆନନ୍ଦରେ ଗଦ୍ଗଦ୍ ହୋଇ ଶିବଙ୍କୁ ପ୍ରଣାମ କରି ଆତ୍ମଲିଙ୍ଗକୁ ମୁଣ୍ଡରେ ମୁଣ୍ଡାଇ ଲଙ୍କା ଅଭିମୁଖେ ଯାତ୍ରା କଲା ।

କିନ୍ତୁ ଏପଟେ ଦେବତାମାନଙ୍କର ଚିନ୍ତା ବଢ଼ିବାକୁ ଲାଗିଲା । ପରମେଶ୍ୱର ଶିବଙ୍କ ଉପସ୍ଥିତିରେ ଲଙ୍କା ଧ୍ୱଂସ ସାଧନ ସମ୍ଭବ ନୁହେଁ । ସେଥିପାଇଁ ଯେକୌଣସି ଉପାୟରେ ରାବଣର ଏହି ଯାତ୍ରାରେ ବିଘ୍ନ ଆଣିବାକୁ ହେବ । ତପସ୍ୱୀ ରାବଣ ବ୍ରହ୍ମତେଜା ଅଟନ୍ତି । ତାଙ୍କର କୌଣସି ଦୁର୍ବଳତା ନାହିଁ । କେବଳ ସେ ଜଣେ ଉତ୍ତମ ସଙ୍ଗୀତଜ୍ଞ ହୋଇଥିବାରୁ ଗୀଦ, ବାଦ୍ୟ, ନୃତ୍ୟ, ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ତାଙ୍କ ସମ୍ମୁଖରେ ଯଦି କେହି ନୃତ୍ୟକରେ ତେବେ ସେ ବିହ୍ୱଳ ହୋଇ ଶିବଙ୍କ ସତର୍କବାଣୀ ଭୁଲିଯାଇ ଆତ୍ମଲିଙ୍ଗକୁ ତଳେ ଥୋଇଦେବେ । ନୃତ୍ୟବିଶାରଦ ଶିବଙ୍କୁ ବାଦ୍ଦେଲେ କେବଳ ଶ୍ରୀଗଣେଶ ହିଁ ନଟଶ୍ରେଷ୍ଠ । ତେଣୁ ସମସ୍ତ ଦେବଗଣ ଜାନୁପାତି, କରଯୋଡ଼ି ଶ୍ରୀଗଣେଶଙ୍କୁ ଆରାଧନା କଲେ । ଶ୍ରୀଗଣେଶ ଆବିର୍ଭୁତ ହୁଅନ୍ତେ ଦେବଗଣ ତାଙ୍କୁ ସବୁ କଥା ବୁଝାଇ କହିଲେ ।

ଶ୍ରୀଗଣେଶ ରାବଣକୁ ପଦଚୁ୍ୟତ କରିବାର ଦାୟିତ୍ୱ ବହନ କରି ଦକ୍ଷିଣ ସମୁଦ୍ର ତଟରେ ପହଞ୍ଚôଗଲେ । ସମ୍ମୁଖରେ ନୃତ୍ୟମୁଦ୍ରାରେ ଶ୍ରୀଗଣେଶ ଠାକୁରଙ୍କୁ ଦେଖି ରାବଣ ବିଭୋର ହୋଇ ଗଣେଶଙ୍କ ସ୍ତୁତି ଗାନ କରିବାକୁ ଲାଗିଲା । ରାବଣ, ଏହି ସମୟରେ ଶିବଙ୍କ ସତର୍କ ବାଣୀକୁ ଭୁଲି ଆତ୍ମଲିଙ୍ଗକୁ ସମୁଦ୍ର ବେଳାରେ ଥୋଇଦେଇ କୋଡ଼ିଏଟି ହାତରେ ତାଳି ମାରି ଫୁଟ୍କି ବଜାଇ ଜାନୁପିଟି ଉନ୍ମତ୍ତ ପ୍ରାୟ ନୃତ୍ୟ କରିବାକୁ ଲାଗିଲା । ନୃତ୍ୟ ଗୀତ ଶେଷ କରି ଗଣେଶଙ୍କୁ ପ୍ରଣାମ କରି ଶିବପ୍ରଦତ୍ତ ଆତ୍ମଲିଙ୍ଗକୁ ତଳୁ ଉଠାଇବାକୁ ବାରମ୍ବାର ଚେଷ୍ଟା କରି ମଧ୍ୟ ବିଫଳ ହେଲା । ଏହା ଏତେ ଭାରି ହୋଇଗଲା ଯେ ମହାପରାକ୍ରମୀ ବଳଶାଳୀ ରାବଣ ମଧ୍ୟ ଏହାକୁ ହଲାଇ ପାରିଲା ନାହିଁ । ନିରାଶ ହୋଇ ରାବଣ ଦୁଃଖରେ ଲଙ୍କା ଫେରିଗଲା । ଏହି ଉପାୟରେ ଦେବତାମାନଙ୍କ ଉପକାର କରି ପ୍ରଭୁ ଗଣେଶ ସେମାନଙ୍କର ବିଘ୍ନ ବିନାଶ କରିଥିଲେ । ସବୁ ଦେବଦେବୀ ସମବେତ ହୋଇ ଆନନ୍ଦରେ ମହାବିନାୟକଙ୍କ ବନ୍ଦନା ଗାଇଉଠିଲେ । ସଙ୍ଗୀତ ଓ ନୃତ୍ୟର ଚମକ୍ରାରିତାକୁ ସମସ୍ତେ ସମସ୍ୱରରେ ସ୍ୱୀକାର କଲେ ।
ପୂର୍ବକାଳରେ ସ୍ୱୟଂ ମହାଦେବ ଗଣେଶଙ୍କୁ ପୂଜାକରି ତି୍ରପୁରାସୁରକୁ ବଧ କରିଥିଲେ ।

ଇନ୍ଦ୍ର ଏହି ପୂଜା ବଳରେ ବୃତ୍ତାସୁରର ବଧ କରିଥିଲେ । ଅହଲ୍ୟା ନିଜର ସ୍ୱାମୀଙ୍କୁ ଫେରି ପାଇଥିଲେ । ଦମୟନ୍ତୀ ନଳକୁ ପାଇଥିଲେ । ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କୁ ପାଇଥିଲେ । ହନୁମାନ ସୀତାଠାବ କରି ପାରିଥିଲେ । ଭଗୀରଥ ଗଙ୍ଗାକୁ ଧରାବତରଣ କରାଇ ପାରିଥିଲେ । ଗରୁଡ଼ ଅମୃତହରଣ କରିଥିଲେ । ଶ୍ରୀକୃଷ୍ଣ ଋକ୍ମିଣୀଙ୍କୁ ପାଇଥିଲେ ଏବଂ ଶାମ୍ବ କୁଷ୍ଠରୋଗରୁ ମୁକ୍ତ ହୋଇଥିଲେ । ଯୁଧିଷ୍ଠିର ରାଜ୍ୟ ପାଇଥିଲେ । ଆସନ୍ତୁ ବିଶ୍ୱବାସୀ ଆଜି ସେହି ଅଗ୍ରପୂଜ୍ୟ ଗଣନାଥଙ୍କୁ ଭକ୍ତିଭରା ହୃଦୟରେ ପୂଜା କରି ତାଙ୍କର ଆଶିଷ ଲାଭ କରିବା । ପ୍ରାର୍ଥନା କରିବା, କରୋନା ମହାମାରୀର ଆକ୍ରମଣରୁ ବିଶ୍ୱକୁ ଉଦ୍ଧାର କରନ୍ତୁ ପ୍ରଭୁ ସିଦ୍ଧି ବିନାୟକ ।

“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା
ଭିନ୍ନାଭିନ୍ନ ନକର୍ତ୍ତବ୍ୟୋ ପଞ୍ଚଦେବଂ ନମସ୍ତୁତେ ।”

 

Govt
Leave A Reply