Odisha news

ଜି-୨୦ ସମ୍ମିଳନୀ : ଦିଲ୍ଲୀରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

0

ନୂଆଦିଲ୍ଲୀ: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।  ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଏବେ ଦିଲ୍ଲୀରେ ଅବତରଣ କରିଛି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିମାନ। ଜି୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଚାରିଦିନ ପାଇଁ ପ୍ରସ୍ତୁତ ହେଉଛି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ତେବେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦେଖିଲେ ସେ ଯେଉଁ କାର‌୍ ଦିଲ୍ଲୀରେ ବ୍ୟବହାର କରିବେ, ତାହା ବୋଇଂ ସି-୧୭ ଗ୍ଲୋବ୍‌ମାଷ୍ଟର-୩ ବିମାନ ଯୋଗେ ଆମେରିକାରୁ ବୁହା ହୋଇ ଆସିଥିବା କୁହାଯାଉଛି। ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ତାଙ୍କ ବାସଭବନକୁ ଯିବେ ବୋଲି ଜଣାପଡ଼ିଛି।ଦ୍ବିପାକ୍ଷିକ ଆଲୋଚନାରେ ସ୍ୱଚ୍ଛ ଶକ୍ତି, ବାଣିଜ୍ୟ, ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଦୁଇ ନେତା ସମୀକ୍ଷା କରିବେ ବୋଲି କୁହାଯାଉଛି। ଦ୍ବିପାକ୍ଷିକ ଆଲୋଚନା ପରେ ରାଷ୍ଟ୍ରପତି ଆଇଟିସି ମୌର୍ଯ୍ୟ ହୋଟେଲକୁ ଯିବେ।

ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ। ବାଇଡେନ ଏବଂ ଆମେରିକାର ଅନ୍ୟ ପତିନିଧିମାନେ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି। ସେଠାକାର କର୍ମଚାରୀମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯିବ। ବାଇଡେନ ଯେଉଁ ଚତୁର୍ଦ୍ଦଶ ମହଲାରେ ରହିବେ, ସେଠାକୁ ଯିବା ପାଇଁ ସ୍ବତନ୍ତ୍ର ଆକ୍ସେସ୍ କାର୍ଡର ବ୍ୟବସ୍ଥା ରହିବ। ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଏହି ହୋଟେଲର ପ୍ରାୟ ୪୦୦ ପ୍ରକୋଷ୍ଠ ବୁକ୍ କରାଯାଇଛି।

Leave A Reply