ନୂଆଦିଲ୍ଲୀ: ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ଜି୨୦ ସମ୍ମିଳନୀ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଚାରିଦିନ ପାଇଁ ପ୍ରସ୍ତୁତ ହେଉଛି। ବିଦେଶୀ ଅତିଥିମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେତେକ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
ତେବେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଏବେ ବିଦେଶୀ ଅତିଥିଙ୍କ ଆଗମନ ଆରମ୍ଭ ହୋଇଛି। ଆଜି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଜି-୨୦ ରେ ଅତିଥି ଭାବରେ ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ଦିଲ୍ଲୀରେ ପହଞ୍ଚିଛନ୍ତି। ଏବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଆଗମନକୁ ଅପେକ୍ଷା କରାଯାଇଛି।
ଜି୨୦ ସ୍ୱତନ୍ତ୍ର ସଚିବ (ଅପରେସନ୍ସ) ମୁକ୍ତେଶ ପରଦେଶୀ କହିଛନ୍ତି, ଆୟୋଜକ ରାଷ୍ଟ୍ର ଭାବରେ ଭାରତ ଦ୍ୱିପାକ୍ଷିକ ବୈଠକ ପାଇଁ ଅନେକ ଅନୁରୋଧ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଶିଖର ସମ୍ମିଳନୀ ପାଇଁ ନିରୂପିତ ସ୍ଥାନ ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍ରେ ବିଶ୍ୱ ନେତାମାନଙ୍କୁ ଜଣଜଣ କରି ସ୍ବାଗତ କରିବେ। ଭରତ ମଣ୍ଡପମ୍ଠାରେ ଏକ ଡିଜିଟାଲ୍ ଅଭିଜ୍ଞତା ଜୋନ୍ ସୃଷ୍ଟି କରାଯାଉଛି, ଯାହାଦ୍ୱାରା ବିଦେଶୀ ନେତା, ପ୍ରତିନିଧି, ମନ୍ତ୍ରୀ ଓ ମିଡ଼ିଆ କର୍ମଚାରୀମାନେ ଡିଜିଟାଲ୍ କ୍ଷେତ୍ରରେ ଭାରତ କେତେ ଅଗ୍ରଗତି କରିଛି ତାହା ବୁଝିପାରିବେ ବୋଲି ପରଦେଶୀ କହିଛନ୍ତି।