ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ଗୁରୁବାର ୪ ଜଣ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଅନ୍ତର୍ଗତ ପମ୍ପାସର ରେଜଂରେ ଶିକାରୀ ମାନେ ଜନ୍ତୁ ଶିକାର କରି ଆସୁଥିଲେ ।
ଗତ ମାସ ୨୦ ତାରିଖ ସକାଳ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପମ୍ପାସର ରେଜଂର ସୁଦୀପ୍ତା ପ୍ରଧାନ ସଦଳବଳେ ଜୁକୁବୁ ଜଙ୍ଗଲ ୪ ନମ୍ବର କମ୍ପାର୍ଟମେଟଂ ଲବଙ୍ଗୀ ବିଟ୍ ପାଖରେ ଶିକାର କରୁଥିବା ସମୟରେ ଦୁଇ ଜଣକୁ କାବୁ କରିଥିଲା ବନ ବିଭାଗ ଓ ଅନ୍ୟ ଚାରି ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଦୁଇ ଅଭିଯୁକ୍ତ ହେଲେ ପୁରୁଣାକୋଟ ଥାନା ହିଡିସିଙ୍ଗ ର ଗଗନ ଜେନା (୫୦) ଓ ଜୁକୁବୁ ଗ୍ରାମର ସୁମନ ପ୍ରଧାନ (୨୦) । ଦୁଇ ଅଭିଯୁକ୍ତଙ୍କ ପାଖରୁ ହରିଣ ମାଂସ ଜବତ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ, ଶିକାର ପାଇଁ ବ୍ୟବହୃତ ପାଉଡର, ୧୨ଟି ଅଫୁଟା ଗୁଳି ଓ ଗୋଟିଏ ହାଇମାକ୍ସ ଲାଇଟି ଜବତ କରିଥିଲା ବନ ବିଭାଗ ।
ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଥିବା ବେଳେ ଗୁରୁବାର ଫେରାର ଥିବା ୪ ଜଣ ଅଭିଯୁକ୍ତ ମାନେ ଗ୍ରାମରେ ଥିବା ଜାଣିପାରି ପୁରୁଣାକୋଟ ପୁଲିସ ଓ ବନ ବିଭାଗର ଟିମ ସେମାନଙ୍କୁ ସକାଳ ୭ ଘଟିକା ସମୟରେ ଗିରଫ କରିଥିଲେ ।
ଗିରଫ ଅଭିଯୁକ୍ତ ମାନେ ପୁରୁଣାକୋଟ ଥାନା ଜୁକୁବୁ ଗାଁର ବଳଭଦ୍ର ଜାନୀ (୨୮), ପ୍ରଶାନ୍ତ ଦେହୁରୀ (୨୬), ଉଦ୍ଧବ ଜାନୀ (୨୨), ମାଧବ ଦେହୁରୀ (୧୯) ଙ୍କୁ ଆଜି ଗିରଫ କରିଥିବା ବେଳେ ତାଙ୍କ ଘରେ ତଦନ୍ତ ସମୟରେ ଦୁଇଟି ଦେଶୀ ବନ୍ଧକୁ, ଶିକାର ପାଇଁ ବ୍ୟବହୃତ ବାରୁଦ, ଦୁଇଟି କଟୁରି, ଗୋଟିଏ ହାଇମାକ୍ସ ଲାଇଟ, ଶିକାର ପାଇଁ ବ୍ୟବହୃତ ଜାଳ, ୮ଟି ପଟା, ଗୋଟିଏ ଶିକାର ପାଇଁ ବ୍ୟବହୃତ ଫାସ ଜବତ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ସାତକୋଶିଆ ବନଖଣ୍ଡ ଅଧିକାରୀ ପି.ରାମସ୍ୱାମୀ ସୂଚନା ଦେଇଛନ୍ତି ।