ଶୁଭନାରାୟଣ ଶତପଥୀ : ଶକ୍ତ ଭାବେ ଉଠୁଥିବା ହାତର ହାଲୁକା ପ୍ରହାର । କଟମଟ ଚାହାଣି ପଛରେ ଥିବା ହୃଦୟରେ ସ୍ନେହର ଜୁଆର । କ୍ଷମା ମାଗି ସବୁ ପରିସ୍ଥିତିରେ ଖାପଖୁଆଇବାକୁ ଶିକ୍ଷା ଦେଉଥିବା ଗୁରୁ ଓ ସଂଯମତା ପାଇଁ ପ୍ରେରଣା ମିଳେ ତାଙ୍କଠାରୁ । ଆବେଗକୁ କଣଠେସା କରି ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉନଥିବା ମଣିଷ । କର୍ତବ୍ୟ, ନିଷ୍ଠା, ସାହାସ ଓ ଧର୍ଯ୍ୟର ପରାକାଷ୍ଠା ଦେଖାଇ ସମୟକୁ କରାୟତ କରୁଥିବା ଜୀବନ୍ତ ଇଶ୍ୱର । ତାଙ୍କର ଭଲ ପାଇବା, ସ୍ନେହ କରିବା ଅଦୃଶ୍ୟ । ସତେ ଯେମିତି ପରଦା ପଛର ସେ ମହାନାୟକ । ସେ ରହସ୍ୟମୟ । କାରଣ ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଦୂରଦୃଷ୍ଟିସଂପନ୍ନ । ବାସ୍ତବରେ ତାଙ୍କୁ ବୁଝିଲା ବେଳକୁ ଆମେ ବାପା ହୋଇସାରିଥାଉ । ଆଉ ସେତେବେଳକୁ ବହୁତ ଡେରି ହୋଇସାରିଥାଏ । ତାଙ୍କର ପ୍ରତିଟି ଅବଦାନ ଏବଂ ପଦକ୍ଷେପକୁ ବୁଝିପାରୁ ନଥିବା ପୁଅ ପରିପକ୍ୱ ନହେବାଯାଏଁ ବାପାଙ୍କୁ ବୁଝିବା ତା ପକ୍ଷେ କଷ୍ଟକର ହୋଇଥାଏ । କାରଣ ସ୍ୱାର୍ଥ ଠାରୁ ସେ ବହୁତ ଦୂରରେ ଓ ସେ ତ୍ୟାଗର ସର୍ବୋଚ୍ଚ ଶିଖରରେ । ସେ ଆମ ବାପା । ବାପାଙ୍କ ମାର୍ଗଦର୍ଶନ, ଅଦୃଶ୍ୟ ଆଶୀର୍ବାଦ ବିନା ଭଲ ମଣିଷ ହେବା ଅସମ୍ଭବ । ବାପା ଶିଖାନ୍ତି ଜୀବନର ମୂଲ୍ୟବୋଧ । ଜ୍ଞାନକୁ ପ୍ରସାରିତ କରିବାକୁ କୁହନ୍ତି । ଉଚ୍ଚ ଅଭିଳାଷର ଦୂର ଦିଗବଳୟରେ ଉଡିବାକୁ ଇନ୍ଧନ ଯୋଗାନ୍ତି । ଶିଖରସ୍ପର୍ଶର ବାଟ ବି ବତାନ୍ତି ।
ପ୍ରତିଟି ସଫଳତାର ଉସô ଖୋଜିଲେ ତାର ଚେର ବାପାଙ୍କ ପାଖରୁ ହିଁ ମିଳିବ । ସମାଜରେ ପ୍ରେମ ଶିଖାଇବା, ପ୍ରେମ ପ୍ରଦର୍ଶିତ କରାଉଥିବା ଲୋକ ଅନେକ, କିନ୍ତୁ ପ୍ରେମକୁ ଅପଦର୍ଶିତ ରୂପେ ଅନ୍ତରରେ ଚାପିରଖି ଜୀବନ ଦର୍ଶନ ଶିଖାଉଥିବା ବ୍ୟକ୍ତିତ୍ୱ ହିଁ ବାପା । ବାପାଙ୍କର ବିକଳ୍ପ ନାହିଁ । ସେ ନିଜ ଭିତରେ ମାଆର ମମତା, ଜେଜେଙ୍କ ଆଶିର୍ବାଦ, ଗୁରୁଙ୍କ ଶିକ୍ଷାକୁ ଧାରଣ କରଥାନ୍ତି । ବହୁମୂଖୀ ଦକ୍ଷତାର ଅଧିକାରୀ ହୋଇ ମଧ୍ୟ ତାଙ୍କ ମନରେ ଟିକେ ହେଲେ ଗର୍ବ ଅହଂକାର ନଥାଏ କି ଉତରାଧିକାରୀଙ୍କଠାରୁ ତିଳେମାତ୍ର ପ୍ରତ୍ୟାଶା ରଖିନଥାନ୍ତି । ଥାଏ ତ କେବଳ ଭଲମଣିଷ ଗଢିବାର ଏକ ନିରନ୍ତର ପ୍ରୟାସ । ଏହାର ଅନେକ ଦୃଷ୍ଟାନ୍ତ ଆମ ଚାରିପାଖରେ ଅଛି ।
ନିକଟ ଅତିତରେ ଚୀନ୍ର ଜଣେ ପିତା ୟୁ ହୁକାଙ୍ଗ ତାଙ୍କର ଭିନ୍ନକ୍ଷମ ଶିଶୁକୁ ପାଠପଢାଇବା ନିମନ୍ତେ ପିଠିରେ ବୋହି ପ୍ରତିଦିନ ୧୮ମାଇଲ ଦୁରରେ ଥିବା ସ୍କୁଲକୁ ନେଉଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ।
ଅନ୍ୟ ଏକ ଘଟଣା । ଯେଉଁଥିରେ ଭାରତର ଜଣେ ଯୁବ ପିତା ଅଦିତ୍ୟ, ଏକ ଭିନ୍ନକ୍ଷମ ଶିଶୁର ଲାଳନପାଳନ ପାଇଁ ଆଗଭର ହୋଇ ଆଇନତଃ ତାକୁ ପୋଷ୍ୟରୂପେ ଗ୍ରହଣ କରିଥିଲେ ।
ପୁରାଣ କଥାକୁ ବିଚାରକୁ ନେଲେ, ମନୁ ହେଉଛନ୍ତି ମାନବିକତାର ପିତା । ଯିଏ ପ୍ରଳୟକାଳରେ ମାନବ ଜୀବନକୁ ସୁରକ୍ଷା ପ୍ରଦାନ କରିଥିଲେ ସ୍ୱର୍ଗୀୟ ଜାହଜ ଏବଂ ବିଷ୍ଣୁଙ୍କ ମସô୍ୟ ଅବତାର ସାହାଯ୍ୟରେ । ଏହି ଘଟଣା ମଧ୍ୟ ବାଇବେଲ ବର୍ଣ୍ଣିତ ନୋଆଙ୍କ ଜାହଜ ସହ ସାମଞସ୍ୟ ରହିଛି ।
ଉପରୋକ୍ତ ଘଟଣାସବୁ ସ୍ପଷ୍ଟ କରେଯେ ଯେଉଁଠି ସବୁ ପ୍ରୟାସ ବିଫଳ ହୁଏ, ଅସହାୟତା ତାର ଚରମସୀମରେ ପହଂଚେ, ଚତଃୁପାଶ୍ୱର୍ରେ ଥିବା ମଣିଷମାନେ ଅସହାୟ ବୋଧ କରନ୍ତି, ତାଙ୍କର ଦକ୍ଷତା ସବୁ ନିଷ୍ଫଳ ହୁଏ, ସେତେବେଳେ ଜଣେ ପିତାଙ୍କ ଉପସ୍ଥିତି ହିଁ ଏସବୁ ବିପଦରୁ ସମସ୍ତଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରେ ।
ଏମୋରି ୟୁନିଭର୍ସିଟିର ଆନ୍ଥ୍ରୋପୋଲୋଜି ବିଭାଗର ପ୍ରଫେସର ଜେମସ ରିଲିଂ ୧୨୦ ଜଣ ପିତାଙ୍କୁ ନେଇ ଅନୁସନ୍ଧାନ କରି ଏହି ସିଦ୍ଧାନ୍ତରେ ଉପନୀତ ହେଲେଯେ, ଯେଉଁ ଅକ୍ସିଟୋକସିନ ବା ପ୍ରେମ ହରମୋନ ମାଆ ଓ ଶିଶୁଙ୍କ ମଧ୍ୟରେ ଘନିଷ୍ଠତା ବଢାଇଥାଏ, ସେହି ହରମୋନ ମଧ୍ୟ ପିତାଙ୍କଠାରେ ରହିଥାଏ । ଯାହା ଏକ ଶିଶୁ ଓ ତାର ପିତା ଉଭୟ ସେମାନଙ୍କ ବାସ୍ନା ଦ୍ୱାରା ଆକର୍ଷିତ ହୁଅନ୍ତି ।
ପରିବାର ଓ ଶିଶୁର ଭବିଷ୍ୟତ ଗଠନରେ ବାପାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ହୃଦୟଙ୍ଗମ କରନ୍ତି । ଅଧୁନା କରୋନା ସଂକ୍ରମଣ ଜନଜୀବନକୁ ବିପଦରେ ପକାଇଛି । ତଥ୍ୟରୁ ଜଣାଯାଏଯେ, କରୋନା ସଂକ୍ରମିତ ହୋଇ ୪୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତି ଅଧିକ ମୃତ୍ୟୁବରଣ କରୁଥିବା ବେଳେ ଅନ୍ୟ ଏକ ଖବରରୁ ଜଣାଯାଏଯେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂକ୍ରମିତ ହୋଇ ମୃତ୍ୟୁମୂଖରେ ପଡୁଛନ୍ତି । ଏଣୁ ଏହା ସ୍ପଷ୍ଟ, ବାପାମାନଙ୍କ ଜୀବନପ୍ରତି ବେଶି ବିପଦ ରହିଛି । ସେ ବିପଦଠାରୁ ବାପାମାନେ ଦୂରେଇ ରହିବା ଉଚିତ । କାରଣ ପରିବାରର ସମସ୍ତ ଦାୟିତ୍ୱ ତାଙ୍କୁ ନିର୍ବାହ କରିବାକୁ ପଡିଥାଏ ।
ସେ କର୍ମ ପାଇଁ ହେଉ ବା ପରିବାରର ଆବଶ୍ୟକତା ତାଙ୍କୁ ବାରମ୍ବାର ବାହାରକୁ ଯିବାକୁ ପଡେ । ଇତି ମଧ୍ୟରେ ଅନେକ ଶିଶୁ ପିତୃମାତୃହୀନ କିମ୍ବା ପିତା ବା ମାତାଙ୍କ ମୃତ୍ୟୁପରେ ବେସାହାରା ହେଉଛନ୍ତି । ଯଦିଓ । ସମ୍ବନ୍ଧରେ ସରକାର ବେଶ୍ ସମ୍ବେଦନଶୀଳ ଅଛନ୍ତି ଓ ସହାୟତାର ହାତ ବଢାଇବାକୁ ଯାଇ ସର୍ଭେ ଏଭଳି ପରିବାରର ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଅଣ ଆନୁଷ୍ଠାନିକ ଓ ଆନୁଷ୍ଠାନିକ ସେବା ପ୍ରଦାନ କରାଯାଉଛି ବା ଆର୍ଥୀକ ସହାୟତା ଦିଆଯାଉଛି ତାହା କେବେହେଲେ ଜଣେ ବାପାର ଶୂନ୍ୟସ୍ଥାନ ପୂରଣ କରିପାରିବ ନାହିଁ । ତେଣୁ ପରିବାର, ଶିଶୁଙ୍କ ଭବିଷ୍ୟତ ଓ ସେମାନଙ୍କ ପ୍ରେମ ଭଲପାଇବାକୁ ଗୁରୁତ୍ୱ ଦେଇ ସଂକ୍ରମଣଠାରୁ ଦୂରେଇ ରହିବାକୁ ବାପାମାନେ ନିଜ ପାଇଁ ଯତ୍ନବାନ ହେବା ଜରୁରୀ । ନଚେତ ସଂକ୍ରମଣର ଜାଲରେ ପରିବାରର ଅନ୍ୟାନ୍ୟ ସଦସ୍ୟ ମଧ୍ୟ ଛନ୍ଦି ହୋଇପାରନ୍ତି ।
ସମସ୍ତେ ଜାଣନ୍ତି ବାପା ତାଙ୍କ ଜୀବନକୁ ସନ୍ତାନ ପାଇଁ ଉସôର୍ଗ କରିବାକୁ ପଛାନ୍ତି ନାହିଁ । ବାପା ହେଉଛନ୍ତି ସନ୍ତନର ସୁରକ୍ଷା କବଚ ଓ ପରିବାର ହେଉଛି ଶିଶୁଙ୍କ ପାଇଁ ସର୍ବଶ୍ରେଷ୍ଠ ସ୍ଥାନ । ଏଣୁ ସନ୍ତାନ ପାଇଁ ବାପାଙ୍କ ଜୀବିତ ରହିବା ଏକାନ୍ତ ପ୍ରୟୋଜନ । ବାପାଙ୍କ ବିନା ଆଉ କିଏ ସନ୍ତାନର ସୁରକ୍ଷା ପ୍ରତି ତାଙ୍କ ଭଳି ଯତ୍ନଶୀଳ ହେବେ ? ଏହାକୁ ଦୃଷ୍ଟିରେ ରଖି ନିଜ ପରିବାରର ସୁରକ୍ଷା ନିମନ୍ତେ ବାପାଙ୍କୁ ଏ କଷଣ ବି ସହିବାକୁ ପଡିବ । କିନ୍ତୁ କରୋନା ଭଳି ଏକ ମହାମାରୀ ସମୟରେ ବାପାଙ୍କ ଜୀବନ ସୁରକ୍ଷିତ ରଖିବା ନିମନ୍ତେ ନିଜେ ବାପାମାନେ ଓ ତାଙ୍କର ସଂପର୍କୀୟ, ପରିବାର ସଦସ୍ୟମାନେ ଅଧିକ ଯତ୍ନଶୀଳ ହେଲେ କୋଭିଡ ପରବର୍ତି ହସଖୁସିର ମାହୋଲ ବାପା ଓ ପରିବାରକୁ ବେଶ୍ ଆତ୍ମତୃପ୍ତି ଦେବ । ସନ୍ତାନମାନଙ୍କର ସ୍ୱପ୍ନ ସାକାର କରିବା ନିମନ୍ତେ କରୋନା ବିରୁଦ୍ଧରେ ସବୁ ବାପାଙ୍କୁ ଲଢି ଜିତିବାକୁ ହେବ । ଏଣୁ ଏ ଦୁର୍ଦ୍ଦିନରେ କେହି ବାପାଙ୍କୁ ହରାଇବାର କ୍ଲେଶ ନ ଭୋଗନ୍ତୁ ।

Comments are closed.