ଠାକୁରମୁଣ୍ଡା -୩ /୧୧ : ବ୍ଲକ କୃଷି ଅଧିକାରୀ ଓ ଆପିକଲ(APICOL) ଦ୍ଵାରା ଠାକୁରମୁଣ୍ଡ ବ୍ଲକରୁ ଚୟନ କରାଯାଇ ତାଳିମ ପାଇଥିବା ୨୩ଜଣ କୃଷି ଉଦ୍ୟୋଗୀ ମାନଙ୍କୁ ନେଇ ବ୍ଲକ କୃଷି ଅଧିକାରୀଙ୍କ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଠାକୁରମୁଣ୍ଡ ବ୍ଲକ ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ ପୌରହିତ୍ୟ କରି କୃଷି ଉଦ୍ୟୋଗୀ ମାନଙ୍କୁ ସରକାରଙ୍କ ବିଭିନ୍ନ କୃଷି ବାଣିଜ୍ୟ ଯୋଜନା ସହିତ ସଂଯୋଗୀକରଣ ଓ ସବସିଡି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । କୃଷି ଉଦ୍ୟୋଗୀ ମାନଙ୍କର ବର୍ତମାନର ସ୍ଥିତି ଓ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା ଚାଷୀ ପଞ୍ଜୀକରଣ, କୃଷି ବାଣିଜ୍ୟ ବ୍ୟବସାୟ ଆରମ୍ଭ,ଆର୍ଥିକ ଅନ୍ତର୍ଭୂକ୍ତି, ଜୀବିକା ବିକାଶ ବିଷୟରେ ଆଲୋଚନା କରିଥିଲେ । କୃଷି ଉଦ୍ୟୋଗ ବିକାଶ ଯୋଜନାର ବ୍ଲକ ସମ୍ବଳ ପ୍ରଶିକ୍ଷକ ମନୋଜ କୁମାର ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ବର୍ତ୍ତମାନ ପର୍ଯ୍ୟନ୍ତ କୃଷି ଉଦ୍ୟୋଗୀ ମାନଙ୍କ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରି ଆଗାମୀ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ CYSD ର କର୍ମକର୍ତ୍ତା ଯୋଗ ଦେଇ ସେମାନଙ୍କ ସହଯୋଗରେ କିପରି ଉଦ୍ୟୋଗୀ ମାନେ କୃଷି ବାଣିଜ୍ୟ ପାଇଁ ଆଗେଇ ଆସିଛନ୍ତି ଓ ଭବିଷ୍ୟତରେ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସର୍ବ ଶେଷରେ ଆଗାମୀ ମାସ ପାଇଁ କାର୍ଯ୍ୟ ଯୋଜନା ଉପସ୍ଥାପନା କରିବା ସହ ମନୋଜ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।