ବେତନଟୀ : ୧୩ଟି ବଣୁଆ ହାତୀ ଶନିବାର ବିଳମ୍ବିତ ରାତିରେ ବଡାମପୁର ସେକ୍ସନ ଅଞ୍ଚଳରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି ଘଟାଇଥିବା ଜଣାଯାଇଛି l ମିଳିଥିବା ସୂଚନା ଅନୁସାରେ ବିଗତ କିଛିଦିନ ହେବ ବଡାମପୁର ସେକ୍ସନ ଅଧୀନରେ ୪ଟି ହାତୀ ରହି ଉତ୍ପାତ କରୁଥିଲେ l ଶନିବାର ରାତିରେ ଅଚାନକ ପୁଣି ଆଉ ୯ ଟିକିଆ ହାତୀପଲ ଗ୍ରାମ ପାର୍ଶ୍ୱ ଜଙ୍ଗଲକୁ ପଶି ଆସିଥିଲେ ଏବଂ ଏକତ୍ରିତ ହୋଇ ଅଚାନକ ବଡାମପୁର ସେକ୍ସନ ଅଧୀନ କୁରାଢିକ ଗାଁ ଭିତରକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିଲେ l ଉକ୍ତ ଗ୍ରାମର ମକରା ହାଁସଦା, ସ୍ତ୍ରୀ କୁନି ଓ ସାନ ଝିଅ ସହିତ ଘରେ ଶୋଇଥିବା ସମୟରେ ହଠାତ ହାତୀପଲ ଘରକୁ ପଶି ଆସିବାରୁ ପରିବାର ସଦସ୍ୟ ଭୟଭୀତ ହୋଇ ଜୀବନ ବିକଳରେ ପଡ଼ୋଶୀଙ୍କ ଘରକୁ ପଳେଇ ଯାଉଥିବାବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଥିଲେ l ହାତୀପଲ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଦେଇଥିବା ବେଳେ ଘରେ ଗଚ୍ଛିତ ଥିବା ଧାନ ଚାଉଳ ସବୁ ଖାଇଯାଇ ଥିଲେ l ମକରା ଜଣେ ଦିନ ମଜୁରିଆ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ହାତୀ ଉପଦ୍ରଵ ପାଇଁ ଘର ଭାଙ୍ଗିଯିବା ଓ ଗଚ୍ଛିତ ଶସ୍ୟ ଖାଇଯିବାରୁ ସେ ଆଜି ପୁରା ଅସହାୟ ହୋଇ ପଡ଼ିଛନ୍ତି l ବର୍ତ୍ତମାନ ବର୍ଷା ଋତୁ ସମୟରେ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ରହିବା ପାଇଁ ଅସୁବିଧା ହେବାକୁ ପଡ଼ିବ ବୋଲି ମକରା ହାଁସଦା କହିଛନ୍ତି l ପ୍ରକାଶ ଥାଉ କି ଏହି ଗାଁ ପାର୍ଶ୍ୱ ଜଙ୍ଗଲ ଓ ଗ୍ରାମ ଭିତରେ ବର୍ଷ ସାରା ହାତୀପଲ ବିଚରଣ କରିବା ସହ ଲୋକଙ୍କ ଘର ଭାଙ୍ଗୁଛନ୍ତି, ଫସଲ ନଷ୍ଟ କରୁଛନ୍ତି l ତେବେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। କୁରାଢିକ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବେତନଟୀ ବନାଞ୍ଚଳ ଅଧିକାରୀ ମନୱର ଖାନ ଏବଂ ବତାମପୁର ବନପାଳ ଦୀପକ ପାତ୍ର ଘଟଣାର ତଦନ୍ତ କରିଥିବା ଜଣାଯାଇଛି |