Odisha news

ହାତୀ ମୃତ୍ୟୁ ଉପତ୍ୟକା ପାଲଟିଛି ଆଠଗଡ଼ ବନଖଣ୍ଡ , ଆଜି ପୁଣି ଗୋଟିଏ ହାତୀର କ୍ଷତ ଵିକ୍ଷତ ମୃତ ଦେହ ଉଦ୍ଧାର।

0
ଆଠଗଡ଼ ତା ୧୪-୦୧-୨୩ ହାତୀ ମୃତ୍ୟୁ ପାଇଁ ବଦନାମ ଆଠଗଡ଼ ଵନଖଣ୍ଡ ରେ ଆଜି ପୁଣି ଗୋଟିଏ ଦନ୍ତା ହାତୀ ର ମୃତ୍ୟୁ ପରେ ମଧ୍ୟ ଆଠଗଡ଼ ବନବିଭାଗ ଚେତିବା ଭଳି ମନେ ହେଉନାହିଁ। ବଡ଼ମ୍ବା ରେଞ୍ଜ ରେ ହାତୀ କଙ୍କାଳ ମିଳିବା, ନରସିଂହପୁର ଜଙ୍ଗଲ ରେ ହାତୀ କୁ ପୋଡ଼ି ଦେବା ଏବଂ ଆଠଗଡ଼ ରେଞ୍ଜ ରେ ହାତୀ କୁ ପୋତି ଦାନ୍ତ ଗାଏବ କରିବା ଭଳି ଘଟଣା ରେ ବିଭାଗୀୟ ଅପାରଗତା ଦାଣ୍ଡ ରେ ପଡି ହାଟରେ ଗଡିଲା। କିନ୍ତୁ କ’ଣ ତଦନ୍ତ ହେଲା କାହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା ତା କେବଳ ମା ଗଙ୍ଗେଇ ଙ୍କୁ ଜଣା। ଆଠଗଡ଼ ର ଏହି ହାତୀ ମଡକ ଉପରେ ଜାତୀୟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବନ ବିଭାଗ କୁ ସମାଲୋଚନା ର ସରଵ୍ୟ ହେବାକୁ ପଡ଼ିଲା।
ଆଜି ପୁଣି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି।ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ କାଦୁଆ ନୂଆ ଗାଁ ସାଉରିଆ ଚାଷ ଜମିରେ ଗୋଟିଏ ବୟସ୍କ ଦନ୍ତା ହାତୀ ର କ୍ଷତଵିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି।ଗୋବରା ପଞ୍ଚାୟତ ଖଣ୍ଡୁଆଳୀ ଗ୍ରାମ ର ଗୋବିନ୍ଦ ସାହୁ ଙ୍କ ପୁଅ ଫଗୁ ସାହୁ (୭୫) ତାଙ୍କ ଆଖୁ ବିଲରେ ଗୁଡ଼ାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ର ଶୁଣ୍ଢରେ ଗଭୀର ଆଘାତ ଲାଗିଥିବା ବେଳେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହାର ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ କରିଥିବା ପ୍ରାଣୀ ଚିକିତ୍ସକ ଡା ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ର ଦୁଇ ଟି ଦାନ୍ତ ସହିତ ଗୁଡା ଯାଇଥିବା ବିଦ୍ୟୁତ ତାର ଜବତ କରାଯାଇଛି। ଜବତ ଦାନ୍ତ ଗୋଟିଏ ର ଲମ୍ବ ୫୦ ସେଣ୍ଟିମିଟର ଏବଂ ଆଉ ଗୋଟିଏ ର ଲମ୍ବ ୫୯ ସେଣ୍ଟିମିଟର ବୋଲି କୁହାଯାଇଛି। ଏଥିସହିତ ଆଖୁ ବିଲର ମାଲିକ ଫଗୁ ସାହୁଙ୍କୁ ଗିରଫ କରା ଯାଇଛି। ହାତୀ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରା ଯାଉଛି। ହାତୀ ସାଥୀ ଙ୍କ ଠାରୁ ଆରମ୍ଭ କରି ଟ୍ରାକର ନିଯୁକ୍ତ କରି ହାତୀ ମାନଙ୍କ ଗତିବିଧି ସହିତ ସେମାନଙ୍କର ସୁରକ୍ଷା କୁ ସୁନିଶ୍ଚିତ କରିବା ସହିତ ଯୋଜନା ପ୍ରସ୍ତୁତ ହେଉଛି। କିନ୍ତୁ ବାସ୍ତବରେ ଫଳ ଶୂନ। ବିଭାଗୀୟ ଅଧିକାରୀ ଙ୍କ ଅପାରଗତା ସହିତ କର୍ମଚାରୀ ମାନଙ୍କ ଉଦାସୀନତା ଯୋଗୁଁ ଏହି ଐତିହ୍ୟ ପ୍ରାଣୀ ର ଜୀବନ ବାଜି ଲାଗିଥିବା ସାଧାରଣ ରେ ଅଭିଯୋଗ ହୋଇଛି।ଏ ବାବଦରେ ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଆଠଗଡ଼ ଜନ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି।
Nalco
Leave A Reply