Odisha news

ନୀଳଗିରିରୁ ଫେରିଲା ଏକୁଟିଆ ପାଇଲଟ ଦନ୍ତା : ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଭୟର ବାତାବରଣ , ମାଡି ଆସୁଛନ୍ତି ୫୦ରୁ ଉର୍ଦ୍ଧ ଝାଡଖଣ୍ଡି ହାତୀ ପଲ , ସୀମାନ୍ତରୁ ୧୩ କି:ମି: ଦୂରରେ ରାଇବଣିଆ ପଟକୁ ମୁହାଁଇଛନ୍ତି

0

ବେତନଟୀ, ୪/୧୧ : ବେତନଟୀ ରେଞ୍ଜ ହୋଇ ନୀଳଗିରିକୁ ଯାଇ ଥିବା ପାଇଲଟ ଦନ୍ତା ହାତୀଟି ପୁଣି ଫେରି ଆସିଛି ଓ ମେରଦା ନିକଟସ୍ଥ ସରଡିହା ଜଙ୍ଗଲରେ ପହଞ୍ଚି ଥିବାର ଜଣା ପଡିଛି । ଅନ୍ୟ ପକ୍ଷରେ ବଡାମପୁର ବନପାଳ କ୍ଷେତ୍ରରେ ଥିବା ୬ଟି ଝାଡଖଣ୍ଡି ଦନ୍ତା ସହିତ ମିଶି ଥିବା ୧୫ଟି ଶିମିଳିପାଳ ହାତୀ ଏବେ ଏହି ଅଞ୍ଚଳର ଚାଷୀ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି । ପାଇଲଟ ଦନ୍ତାଟି ଏହି ଦଳ ସହିତ ମିଶିବା ପାଇଁ ଅଗ୍ରସର ହେଉଛି ବୋଲି ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ବଡ ବିପଦ ପୁଣି ମୟୂରଭଞ୍ଜ ମୁହାଁ ହୋଇ ଥିିବାର ଖବର ମିଳିଛି । ମୟୂରଭଞ୍ଜ ଜିଲ୍ଲାର ସୀମା ଠାରୁ ମାତ୍ର ୧୩ କି:ମି: ଦୂର ରୋହିଣୀ ନିକଟରେ ଅନ୍ୟ ୫୦ଟି ହାତୀ ପହଞ୍ଚି ଥିବାର ଜଣା ପଡିଛି । ଏହି ହାତୀ ଗୁଡିକ ପ୍ରଥମ ପର୍ଯ୍ୟାୟରେ ରାଇବଣିଆ ମୁହାଁ ହୋଇ ଥିବାର ସୂଚନା ମିଳିଛି ।

ଦେଉଳି ରେଞ୍ଜ ଅଧିକାରୀ ରବିନାରୟଣ ମହାନ୍ତି ଓ ଅନ୍ୟ ବନ କର୍ମଚାରୀ ମାନେ ଏହି ହାତୀ ଗୁଡିକ ଉପରେ ନଜର ରଖିଛନ୍ତି । ସବୁ ଠାରୁ ପରିତାପର ବିଷୟ ହେଲା ନିଜର ପାଚିଲା ଧାନକୁ ବଞ୍ଚାଇବାକୁ ଯାଇ ଏହି ହାତୀ ଗୁଡିକୁ ଯଥା ଶୀଘ୍ର ଓଡିଶା ପୁରାଇ ଦେବାକୁ ପଶ୍ଚିମବଙ୍ଗର ଗ୍ରାମବାସୀ ମାନେ ପ୍ରଚେଷ୍ଟା କରୁ ଥିବାର ଜଣା ପଡିଛି । ସବୁ ଥର ପରି ଏଥର ମଧ୍ୟ ପଶ୍ଚିମବଙ୍ଗବାସୀ ସଫଳ ହେଲେ ଦୁଇ ତିନି ଦିନ ମଧ୍ୟରେ ୫୦ଟି ହାତୀ ମୟୂରଭଞ୍ଜ ଦେଇ ଓଡିଶାରେ ପ୍ରବେଶ କରିବେ ।

ଘଟଣା ଯାହା ବି ହେଉ ଯଦି ଆସୁ ଥିବା ୫୦ଟି ହାତୀ ଓଡିଶାରେ ପଶିବା ସହିତ ଏଠାରେ ଥିବା ୨୨ଟି ହାତୀ ସହିତ ମିଶି ଗଲେ ମୋଟ ୭୨ଟି ହାତୀ ହୋଇ ଯିବେ ଓ ଏହା ଚାଷୀଙ୍କ ପାଚିଲା ଧାନ ପାଇଁ ବଡ ବିପଦ ହେବ ବୋଲି ଜଣା ପଡିଛି । ମୟୂରଭଞ୍ଜ ଜିଲ୍ଲାର ଚାଷୀ ମାନଙ୍କୁ ପାଚିଲା ଧାନ ସମୟରେ ପ୍ରମୁଖ ବିପଦର କାରଣ ସାଜିଛନ୍ତି ଝାଡଖଣ୍ଡି ହାତୀ ପଲ । ୨୦୧୦ ମସିହାରୁ ଆସୁ ଥିବା ଏହି ଝାଡଖଣ୍ଡି ହାତୀ ଦୀର୍ଘ ୧୦ ବର୍ଷ ଧରି ଦେଉଳି, ରାସଗୋବିନ୍ଦପୁର, ବେତନଟୀ, ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ଓ ନୀଳଗିରି ରେଞ୍ଜରେ ବ୍ୟାପକ କ୍ଷତି ଘଟାଇ ଥାଆନ୍ତି । ସାମାନ୍ୟ ଅସାବଧାନ ହେଲେ ଜୀବନ ମଧ୍ୟ ନଷ୍ଟ ହୋଇ ଥାଏ ।

Nalco
Leave A Reply