Odisha news

ମୁଁ ଜାଣି ନାହିଁ !

0

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ଜାଣି ନ ଜାଣିଲା ପରି ରହିବା ଠିକ ଚେଇଁ ଶୋଇଥିବା ପରି । ସ୍କୁଲରେ ଶିକ୍ଷକ ଶିବଧନୁ କିଏ ଭାଙ୍ଗିଲା ପ୍ରଶ୍ନର ଉତ୍ତରରେ ଛାତ୍ରଟିଏ ଭୟଭୀତ ହୋଇ ମୁଁ ଭାଙ୍ଗି ନାହିଁ ଉତ୍ତରରେ ଶିକ୍ଷକ ପୁନଶ୍ଚ କଡା ଗଳାରେ ପଚାରିବାରୁ ମୁଁ ଜାଣି ନାହିଁ ଶୁଣିବାକୁ ମିଳେ । ଏଠାରେ ଛାତ୍ରଟିର ସରଳତା ଓ ଅଜ୍ଞତାରରେ ଯେତିକି ବିସ୍ମିତ ହେବାକୁ ପଡେ, ତାଠାରୁ ବଳି ଆମ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ । ଠିକ ସେହିପରି ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ତାହାର କାରଣ ଶିକ୍ଷକ ପଚାରିଲେ କଦାପି ମୁଁ ଜାଣି ନାହିଁ ବୋଲି କହିବା ନାହିଁ । ସେ ସତକଥା କହିବ ଅଥବା ଭିନ୍ନ ବାହାନାର ଉଦାହରଣ ଦର୍ଶାଇବ । ତେଣୁ ଆଜିର ଶିକ୍ଷିତ, ଚତୁରଙ୍କ ଠାରୁ କୈାଣସି ପ୍ରଶ୍ନର ଉତ୍ତର ପାଇବା ମୁଁ ଜାଣି ନାହିଁ ବୋଲି ସାଧାରଣରେ ପରିଣତ ହୋଇଛି । ଏତିକି ଫରକ ଦେଖିବାକୁ ମିଳେ ଯେ ଶିଶୁଟିଏ ପ୍ରକୃତରେ ନ ଜାଣି ମୁଁ ଜାଣି ନାହିଁ ଉତ୍ତର ଦିଏ ।

ଆଉ ବଡ ଲୋକମାନେ ତାହାର ଓଲଟା । ଯେପରି ପ୍ରକୃତରେ ଜାଣି ନଥିବା ପ୍ରଶ୍ନର ଉତ୍ତର ମୁଁ ଜାଣି ନାହିଁ କହିବାକୁ କୁଣ୍ଠାବୋଧ ଓ ଲଜ୍ୟା ଅନୁଭବ କରୁଥିବା ବେଳେ ପ୍ରକୃତରେ ଜାଣିଥିବା ପ୍ରଶ୍ନର ଉତ୍ତରରେ ମୁଁ ଜାଣି ନାହିଁ କହିାବର ଦମ୍ଭ ଭିତରେ ପଳାୟନପନ୍ଥୀର ନିର୍ଲଜ ପଣିଆ ବେଶ ଉପଭୋଗ୍ୟ ହୁଏ । ଏପରି ମିଛ କହିବାକୁ ହାଲୁକା ମନେ କରିବା ଉଚିତ ନୁହେଁ । କାରଣ ମିଥ୍ୟା କହିବା ଏକ ରୋଗ ଓ ଅଜ୍ଞାନଙ୍କ ପ୍ରଧାନ ଶତ୍ରୁ । ତେଣୁ ଶ୍ଲୋକରେ କୁହାଯାଇଛି, ମିଥ୍ୟା ତ୍ୱଂ ପରମୋ ରୋଗୋ ମିଥ୍ୟାତ୍ୱଂ ପରମଂ ବିଷମ୍ , ମିଥ୍ୟାତ୍ୱଂ ପରମଃ ଶତ୍ରୁଃ ନାସ୍ତ୍ୟଜ୍ଞାନାତ୍ ପରଂ ତମଃ ।ା

ଦୈନଦିନ ଏପରି ଘଟଣାର ବହୁ ଉଦାହରଣ ଦେଖିବାକୁ ମିଳେ । ଦିନକୁ ଦିନ ଏହା ମହାମାରୀ ରୂପେ ବଢି ଚାଲିଛି । ଏଥିପାଇଁ ବ୍ୟସ୍ତ ବହୁଳ ଜୀବନ, ନିସଙ୍ଗ ଓ ସ୍ୱସ୍ୱାର୍ଥ ଜଡିତକୁ ଦୋଷ ଦେଲେ ବି ଅବିବେକୀ ସମ୍ପର୍କର ମୂଲ୍ୟ ବୁଝି ନପାରିବା ଓ ଖୋଲା ହୃଦୟର ବ୍ୟକ୍ତିତ୍ୱ ଆଦୈ ନୁହଁନ୍ତି ବୋଲି ଜଣା ପଡେ । ଏଥିରେ ଲାଭ ଓ କ୍ଷତି ହିସାବ ଅପେକ୍ଷା ଏକ ଅସୁସ୍ଥ ବାତାବରଣ ଯେ ସୃଷ୍ଟି କରୁଛି ଏହା ନିଶ୍ଚିତ । ସର୍ବସ୍ୱ ହାସଲ କରିବାର ନିଶା, ଅହରହ ଦୈାଡ ଭିତରେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ମାଡି ଯିବାର ଅହେତୁକ ମୋହ, ମନ ଭିତେରେ ଥିବା କାୟରତା ଓ ଭୟ ଯୋଗୁ ମୁଁ ଜାଣି ନାହିଁ କହିବାକୁ ଶ୍ରେୟ ମନେ କରନ୍ତି ।

ଏଥିଯୋଗୁ ପଶ୍ଚାତାପ କରୁଥିବାର ମଧ୍ୟ ଦେଖାଯାଏ ନାହିଁ । ବରଂ ଏହାକୁ ନିଜେ ଯେତେବେଳେ ଉତ୍ତରରେ ମୁଁ ଜାଣି ନାହିଁ ଶୁଣିବାକୁ ପାଇଲେ ଅସହ୍ୟ ହୋଇ ଧୈର୍ଯ୍ୟଚୁ୍ୟତ ହୁଅନ୍ତି । ଢଗରେ କୁହାଯାଏ, ଆପଣା ବେଳକୁ ଲୀଳାଖେଳା; ପାପହୁଏ ପରବେଳା । ଏହା ସେହି ସ÷ଆଣିଆ, ସ୍ୱାର୍ଥନ୍ୱେଷୀ ତଥା ସୁବିଧାବାଦୀ ଗୋଷ୍ଠୀଙ୍କ ଲାଗି ବେଶ ପ୍ରଜୁର୍ଯ୍ୟ ମନେ ହୁଏ । ଏସବୁ ସାଙ୍ଗ-ସାଥୀ, ସାହି-ପଡିଶା, ସ୍କୁଲ-କଲେଜରେ ସମସ୍ତେ ପ୍ରାୟ ଅଙ୍ଗେ ନିଭାଇଥିବେ ।

ଯେପରି ପରିବାରରେ ଜଣକୁ କୈାଣସି କଥାର ଉତ୍ତର ନ ଦେବାକୁ ଚାହୁଁଥିଲେ, ଚତୁରତାର ସହିତ ମୁଁ ଜାଣି ନାହିଁ କହି; ଭାଇ ଜାଣିଥିବ କୁହନ୍ତି । ଭାଇକୁ ପଚାରିଲେ, ବୋଉ ଜାଣିଥିବ । ବୋଉକୁ ପଚାରିଲେ, ପୁଅ ଜାଣିଥିବାର ଉତ୍ତର ଶୁଣି ଜଣେ ହସିବ ନା କାନ୍ଦିବ । ଏଠାରେ ଜଣାଯାଏ, ସେ କଥାକୁ ସେମାନେ ତୁମକୁ କହିବୁ ନାହିଁ ସିଧାସଳଖ ନ କହିପାରି ମୁଁ ଜାଣି ନାହିଁ କହି ଦୂରେଇ ଯିବାକୁ ସହଜ ମନେ କରନ୍ତି । ଯେଉଁଥିରେ ସମ୍ପର୍କକୁ ଖରାପ କରିବାକୁ ଚାହାନ୍ତି ନାହିଁ କି କାହାର ଆକ୍ରୋଶର ଶିକାର ହେବାରୁ ଦୂରେଇ ରୁହନ୍ତି । କିନ୍ତୁ ଏ କଥା ଭଲଭାବେ ଜଣା ପଡେ ଯେ ସେ ସବୁ ଜାଣିଶୁଣି ମୁଁ ଜାଣି ନାହିଁ କହୁଛି ବୋଲି ।

ସେପରି କ୍ଷେତ୍ରରେ କଣ୍ଟାବାଡରେ ଲୁଗା ପକାଇ କଜିଆ କରିବା ବି ବୁଦ୍ଧିମତ୍ତାର କାମ ନୁହେଁ । ଏପରି ହେଲେ ଲୋକେ ହସିବେ । ଏପରି କ୍ଷେତ୍ରରେ ଧୈର୍ଯ୍ୟର ସହିତ ଜଣେ ଅପେକ୍ଷା କରେ ତାଙ୍କୁ ତାଙ୍କରି ଭାଷାରେ ଜବାବ ଦେବା ପାଇଁ ଯେତେବେଳେ ସିଏ କୈାଣସି କଥା ପଚାରିବେ ଯେସାକୁ ତେସା ନୀତିରେ ମୁଁ ଜାଣି ନାହିଁ କହି । ଏହା ଏକ ପ୍ରତୀକ୍ଷିତ ପ୍ରକି୍ରୟା । ଏଥିରେ ମନୋବିଜ୍ଞାନ ସ୍ଥିତିରେ ଲଢେଇ ହୁଏ । ଯେତେବେଳ ପର୍ଯ୍ୟନ୍ତ ଏହା ବ୍ୟକ୍ତି କେନ୍ଦ୍ରିକ ହୋଇଥାଏ ବିଶେଷ କାହାର ଅସୁବିଧା ପ୍ରାୟ ହୋଇ ନଥାଏ । ଯେପରି ଏ ଶାଢୀ କେଉଁଠୁ ଆଣିଛୁରେ ମୁଁ ଜାଣି ନାହିଁ ସେ ଆଣିଛନ୍ତି ବା ଏହାର ଦାମ କେତେ ମୁଁ ଜାଣି ନାହିଁ ଏବଂ ଛାତ୍ରଙ୍କ ଭିତରେ ପରୀକ୍ଷା ଆବେଦନ କରିବାର ଶେଷ ତାରିଖ କେବେର ମୁଁ ଜାଣି ନାହିଁର ଉତ୍ତର ମିଳେ । ଏଠାରେ ପରସ୍ପର ପ୍ରତିଦ୍ୱନ୍ଦୀ ଓ ପ୍ରତିଯୋଗୀ ମନେ କରିଥାନ୍ତି । କିନ୍ତୁ ବହୁତ କ୍ଷେତ୍ରରେ ଏପରି ଅବକାଶ ନଥାଇ ବି ମୁଁ ଜାଣି ନାହିଁ ଶୁଣିବା ଅଡୁଆ ଲାଗେ ।

ଏହା ମନକୁ ବହୁତ କଷ୍ଟ ଦିଏ ଓ ଦୁଃଖ ଲାଗେ । ତେଣୁ ନିଜକୁ ବି ସବୁକଥା ଖୋଲି କହିବାରେ ବିରାମ ଦେବାକୁ ବାଧ୍ୟ କରେ । କିନ୍ତୁ ଆଜି ଏହି ଅଭ୍ୟାସଟି ବଦଅଭ୍ୟାସରେ ପରିଣତ ହେବାରେ ଲାଗିଛି । ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ସଦା ଚେଷ୍ଟିତ । ନିଜ ପେଟପାଟଣା ପାଇଁ ଅହରହ ବ୍ୟସ୍ତବିବ୍ରତ । କାହାରି ସୁଖ ଦୁଃଖରେ ସାମିଲ ହେବା, ଭଲମନ୍ଦ କଥା ପଚାରି ବୁଝିବାରେ କାହାକୁ ସମୟ ମିଳି ନଥାଏ କି ଆଗ୍ରହ ବି ରହୁ ନାହିଁ । ନିଜ ପାଇଁ ବଞ୍ଚିବା ତଥା ସୁଖ ସୁବିଧା ପାଇଁ ନିତି ଧାଁଧପଡ କରୁଥିବା ବ୍ୟକ୍ତି କାହାକୁ ଠିକଣାଟିଏ ଜଣାଇ ଦେବାରେ ବି ମୁଁ ଜାଣି ନାହିଁ ଆଗରେ ପଚାରନ୍ତୁ କହୁ ବାଟ କାଢି ଚାଲି ଯାଆନ୍ତି ।

ତେଣୁ ଢଗରେ କୁହାଯାଇଛି, ଆଲୋ ମାଇଁ; ଯାହା ପେଟକୁ ଯିଏ ଧାଇଁ । ଏପରି ପରିସ୍ଥିତିରେ ଅନ୍ୟାୟ, ଅନୀତି, ଦୁର୍ନୀତି, ହତ୍ୟା, ଧର୍ଷଣ ନିଜ ଆଖି ସାମ୍ନାରେ ହେଉଥିଲେ ବି ମୁଁ ଜାଣି ନାହିଁ, ଦେଖି ନାହିଁ, ଶୁଣି ନାହିଁ କହିବାରେ ତିଳେ ମାତ୍ର ବିଳମ୍ବ କରି ନଥାନ୍ତି । ଅବଶ୍ୟ ଏପରି କ୍ଷେତ୍ରରେ ବାହୁବଳୀଙ୍କ ଆକ୍ରୋଶରେ ଶିକାର ହୋଇ ଜୀବନକୁ ବିପଦରେ ପକାଇବାକୁ ମୂର୍ଖାମି ମନେ କରନ୍ତି । କିନ୍ତୁ ନିଜେ ଭୁକ୍ତଭୋଗୀ ହୋଇଥିଲେ ଦୁନିଆକୁ ଦୋଷ ଦେଇ ଆଙ୍ଗୁଳି ଉଠାଇଥାଆନ୍ତି । ମନେ ରଖିବାକୁ ହେବ କେଉଁ ରଙ୍ଗ ଶାଢୀ, ବହି ବା ଜିନିଷ କେଉଁଠି ମିଳୁଛିରେ ମିଛ ମୁଁ ଜାଣି ନାହିଁ କହିବାର ଅଭ୍ୟାସ ପରେ ଆଜି ଜାଣିଥିବା ସାକ୍ଷୀ ପ୍ରମାଣକୁ ମୁଁ ଜାଣି ନାହିଁ କହି ଦୂରେଇ ରହି ଇଶ୍ୱରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବାରେ ଦୋଷ କ୍ଷମା ହୋଇଯାଏ କି ? ଇଶ୍ୱର ବୋଧେ ଏମାନଙ୍କୁ କେବେ କ୍ଷମା ଦେଉ ନଥିବେ । ଏହା ମୁଁ ଜାଣି ପାରୁଛି !

Nalco
Leave A Reply