ଯଦୁମଣି ପାଣିଗ୍ରାହୀ : ବିନୋଦ ବାବୁ ଓ ପୁରସ୍ତମ ବାବୁଙ୍କ ମଧ୍ୟରେ ଆଜି ବି ଉତ୍ତମ ବନ୍ଧୁତ୍ୱ ଅତୁଟ ରହିଛି । ଉଭୟ କଳାହାଣ୍ଡିରେ ଜଳସେଚନ ବିଭାଗରେ ଚାକିରି କରିବା ଓ ଗୋଟିଏ ସ୍ଥାନରେ ପରିବାର ସହ ଦୀର୍ଘ ବର୍ଷ ରହିବା ଅବକାଶରେ ସେମାନଙ୍କ ମଧ୍ୟରେ ସଂପର୍କର ଯେଉଁ ମଜବୁତ ମୂଳଦୁଆ ପଡିଥିଲା ତାହା କୌଣସି ପରିସ୍ଥିତିରେ ବି ଭାଙ୍ଗି ପଡିବାର ସମ୍ଭାବନା ନଥିଲା । ଉଭୟ ସେଠାରେ ପ୍ରାୟ ୨୫ ବର୍ଷ ଏକାଠି ରହିବା ପରେ ଗତ ପ୍ରାୟ ୨ ବର୍ଷ ତଳେ ଅଳ୍ପ କିଛି ମାସର ବ୍ୟବଧାନରେ ଉଭୟ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଏବେ ବିନୋଦ ବାବୁ ବାଲେଶ୍ୱରରେ ଘର କରି ରହୁଥିବା ବେଳେ ପୁରସ୍ତମ ବାବୁ ଭୁବନେଶ୍ୱରରେ ଘର କରି ନିଜ ନିଜ ପୁଅବୋହୂ ଓ ପରିବାର ସହ ବସବାସ କରୁଛନ୍ତି । ଉଭୟଙ୍କର ପୁଅଝିଅ ମାନେ ସେହି କଳାହାଣ୍ଡିରେ ଜନ୍ମ ହୋଇଥିଲେ ଓ ପାଠଶାଠ ମଧ୍ୟ ପଢିଥିଲେ । ସେଠରେ ରହଣି କାଳରେ ଉଭୟ ପରିବାର ମଧ୍ୟରେ ବେଶ ଘନିଷ୍ଠ ସଂପର୍କ ରହିଥିଲା ।

ପୁଅଝିଅଙ୍କ ଜନ୍ମ ଦିନ ପାଳନ, ପର୍ବପର୍ବାଣୀ, ଉତ୍ସବ ଅନୁଷ୍ଠାନ ବେଳେ ଉଭୟ ପରିବାରର ସଦସ୍ୟ ମାନେ ଗୋଟିଏ ରୋଷେଇରେ ଖାଇବା ଠାରୁ ଆରମ୍ଭ କରି ଦେହ ପା’ ଭଲମନ୍ଦ ଓ ବିପଦ ଆପଦରେ ଉଭୟ ଉଭୟଙ୍କୁ ସହାୟତାର ହାତ ବଢାଉଥିଲେ । ଚାକିରି ଥିବା କାଳରେ ଉଭୟ ସେମାନଙ୍କର ପୁଅଝିଅଙ୍କ ବିବାହ କାର୍ଯ୍ୟ ସଂପନ୍ନ କରାଇ ସାରିଥିଲେ । ତେବେ ଏହି ପ୍ରାୟ ୨ ବର୍ଷ ହେଲା ଉଭୟ ବନ୍ଧୁ ପରସ୍ପର କେହି କାହାକୁ ଭେଟିବାର ଆଉ ସୁଯୋଗ ପାଇନାହାନ୍ତି । କେବଳ ମୋବାଇଲ ଫୋନ୍ରେ ଉଭୟଙ୍କ ମଧ୍ୟରେ ଯାହା ଯୋଗାଯୋଗ ରହିଛି । ବିନୋଦ ବାବୁ ଅନେକ ଥର ଚିନ୍ତା କରିଛନ୍ତି ପୁରସ୍ତମ ବାବୁଙ୍କୁ ନିଜ ଘରଆଡେ ଟିକେ ଡାକିବାକୁ । ମାତ୍ର ନିଜ ବୋହୂ କଥା ଭାବିଲେ ସେ ପୁଣି ପଛାଇଯାନ୍ତି । ଘରକୁ କେବେ କେମିତି କୁଣିଆ ମୈତ୍ର ଆସିଲେ ବୋହୂ ତାଙ୍କର ରାଗରେ ଖାଲି ଗରଗର ହୁଏ । ରୋଷେଇବାସ ନକରି ମିଛରେ ଭେଲିଙ୍ଗି କାଢି ବିଛଣାରେ ଶୋଇ ରହେ ।

ବାଧ୍ୟ ହୋଇ ବଜାରରୁ ଚାହା ଜଳଖିଆ ଓ ରୁଟି, ତରକାରୀ କିଣି ଆଣି ବିନୋଦ ବାବୁ ନିଜ ସ୍ତ୍ରୀଙ୍କ ସହାୟତାରେ ବନ୍ଧୁ ଚର୍ଚ୍ଚା କରିଥାନ୍ତି । ଏପରିସ୍ଥଳେ ପୁରସ୍ତମ ବାବୁଙ୍କୁ ଘରକୁ ଡାକି ଲୋକ ହସା ହେବା ବ୍ୟତୀତ ଆଉ କିଛି ଲାଭ ମିଳିବନି ବୋଲି ବିନୋଦ ବାବୁ ମନରେ ଭାବି ପୁଣି ଚୁପଚାପ ରହିଯାନ୍ତି । ସାଙ୍ଗସାଥୀ ତ ଦୂରର କଥା ଏମିତିକି ତାଙ୍କ ଝିଅ-ଜ୍ୱାଇଁ ବି ବେଳେଅଧେ ବୁଲି ଆସିଲେ ସେମାନଙ୍କୁ ବି ବୋହୂଟା ଟିକେ ଚର୍ଚ୍ଚା କି ଆଦର କରେନି । ବରଂ ବାହାନା ଦେଖାଇ ସବୁ କଥାରେ ପଛଘୁଞ୍ଚା ଦେଇଥାଏ । ବାଧ୍ୟ ହୋଇ ଝିଅ-ଜ୍ୱାଇଁ ଆଠ ଦିନ ରହିବା ଜାଗାରେ ମାତ୍ର ୨/୩ ଦିନରେ ହିଁ ନିଜ ବାଟରେ ଚାଲିଯାଆନ୍ତି ।

ଓଡିଆ ଚଳଣି ଓ ପରମ୍ପରାରେ ଘରକୁ ଆସୁଥିବା ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନଙ୍କର ବିଶେଷ ସେବା ସକ୍ରାର କରାଯାଇଥାଏ । ସେମାନଙ୍କ ରହିବା ଓ ଖାଇବା ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଇଥାଏ । ଗରିବ ହେଉ କି ଧନୀ ଘରେ ବନ୍ଧୁବାନ୍ଧବ ପହଞ୍ଚିଗଲେ ଘରଟା ଯେମିତି ଚଳଚଞ୍ଚଳ ହୋଇଉଠେ । ସେମାନଙ୍କ ଚର୍ଚ୍ଚା କରିବାକୁ ସମସ୍ତେ ଯେମିତି ବ୍ୟଗ୍ର ଓ ତତ୍ପର ହୋଇଉଠନ୍ତି । ସାଧାରଣତଃ ଆମ୍ଭେ ମାନେ ଦୈନନ୍ଦିନ ଜୀବନରେ ଯାହା ଖାଇଥାନ୍ତି, ଘରକୁ ବନ୍ଧୁବାନ୍ଧବ ଆସିଲେ ରୋଷେଇବାସର ମାନ ତା’ଠାରୁ ଟିକେ ଉନ୍ନତ ଧରଣର ହୋଇଥାଏ । ବନ୍ଧୁବାନ୍ଧବଙ୍କୁ ଭଲ ଖାଇବା ପିଇବାକୁ ଦେଇ ଆମେ ଆତ୍ମସନ୍ତୋଷ ଲାଭ କରିଥାନ୍ତି ।

ସେମାନେ ଖାଇପିଇ ଶାନ୍ତି ହୋଇ ବାହୁଡିଗଲେ କେଡେ ଖୁସି ଲାଗେ କହିଲେ । କାହା ମନରେ କାଳେ କିଛି ଖରାପ ଧାରଣା ସୃଷ୍ଟି ହେବ କିମ୍ବା ପଛରେ କିଏ କାଳେ କିଛି କହିଦେବ, ଘରର ସମ୍ମାନରେ କାଳେ ହାନୀ ଘଟିବ, ଏହି ଡର ଆମ୍ଭ ମାନଙ୍କ ମନ ଭିତରେ ଥିବା କାରଣରୁ ବନ୍ଧୁ ଚର୍ଚ୍ଚାରେ ଆମ୍ଭେ ମାନେ କେବେ ବି ଅବହେଳା କରୁନା । ଥାଉ ନଥାଉ, ଧାରକରଜ ହେଉ ପଛକେ ବନ୍ଧୁ ଚର୍ଚ୍ଚାଟା ଆଗେ । ଏହି ଭାବ ଓ ଭାବନା ପ୍ରତ୍ୟେକ ଓଡିଆଙ୍କ ମନରେ ବଳବତ୍ତର ରହିଥିଲା । ବିବାହ, ବ୍ରତ, ଶୁଦ୍ଧିକର୍ମ, ପର୍ବ ପର୍ବାଣୀ ଓ ଉତ୍ସବ ଅନୁଷ୍ଠାନ ଆଦିରେ ଘରେ ଝିଅଝିଆଣି ଓ ବନ୍ଧୁବାନ୍ଧବ ଉପସ୍ଥିତ ନ ରହିଲେ ସବୁ ଯେମିତି ଫିକା ଫିକା ଲାଗେ ।

ସେଥିପାଇଁ ପର୍ବପର୍ବାଣୀ ଓ କର୍ମକାର୍ଯ୍ୟର ଦୁଇ ଚାରିଦିନ ଆଗରୁ ଘରେ ଆସି ପହଞ୍ଚିଯାନ୍ତି ବନ୍ଧୁବାନ୍ଧବ । ଘରଟା ଯେମିତି ପୂରି ଉଠେ । ସମସ୍ତଙ୍କ ସହଯୋଗରେ ସବୁ କାମ ହାଲୁକା ଲାଗେ । ଉତ୍ସବ ଅନୁଷ୍ଠାନ ଓ ପର୍ବାପର୍ବାଣୀ ଗୁଡିକରେ ବି ଝିଅଝିଆଣିଙ୍କ ଉପସ୍ଥିତି ହସଖୁସିର ଏକ ମାହୋଲ ସୃଷ୍ଟି କରିଥାଏ । ତେବେ ଆଜିକାଲି ଏଥିରେ କେମିତି ଗୋଟେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଲୋକଙ୍କ ମାନସିକତାରେ ଘୋର ପରିବର୍ତ୍ତନ ଘଟିଲାଣି । ଯାହାଫଳରେ ଘରେ ବନ୍ଧୁବାନ୍ଧବ ଓ ଝିଅଝିଆଣିଙ୍କ ଉପସ୍ଥିତି ଆଉ କାହାକୁ ଖୁସି ଦେବା ପରିବର୍ତ୍ତେ ବରଂ ଏକ ବିରକ୍ତିକର ପରିବେଶ ସୃଷ୍ଟି କରୁଥିବା ଅନେକ ଅନୁଭବ କରୁଛନ୍ତି । ସେଥିପାଇଁ ଧୀରେ ଧୀରେ ବନ୍ଧୁବାନ୍ଧବ ଓ ଝିଅଝିଆଣିଙ୍କ ଗହଳି ଚହଳି ଘର ମାନଙ୍କରେ କମି କମି ଯାଉଥିବା ପରିଲକ୍ଷିତ ହେଉଛି ।

ଆଜିକାଲି ସହର ବଜାରରେ ରହୁଥିବା ଲୋକେ କର୍ମକାର୍ଯ୍ୟ ସବୁ ନିଜ ଗାଁରେ କରିବା ପରିବର୍ତ୍ତେ କେଉଁ ହୋଟେଲ କି ମଣ୍ଡପରେ ସଂପନ୍ନ କରାଇବାକୁ ନିଷ୍ପତ୍ତି ନେଉଛନ୍ତି । ଏମାନେ ସର୍ବଦା ସ୍ଥାନାଭାବ ଓ କାର୍ଯ୍ୟବ୍ୟସ୍ତତାର ଦ୍ୱାହି ଦେଇ ମାତ୍ର କିଛି ଘଣ୍ଟାର ସମୟ, ନିର୍ଦ୍ଦିଷ୍ଟ କିଛି ଲୋକ ଓ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ବ୍ୟୟରେ କର୍ମକାର୍ଯ୍ୟ ଉଠାଇ ନେବାକୁ ଯୋଜନା କରୁଥିବା ବେଳେ ସେହି ଅନୁସାରେ ବଜେଟ ବି ପ୍ରସ୍ତୁତ କରୁଛନ୍ତି । ନିଜ ସ୍ତ୍ରୀ, ପିଲାଛୁଆ ଓ ଅଳ୍ପକିଛି ସଂପର୍କୀୟଙ୍କ ଉପସ୍ଥିତିରେ କାମ ଚଳେଇ ଦେଲେ ସବୁ କ୍ଷେତ୍ରରୁ ଯେ ଫାଇଦା ମିଳିବ ଏହା ସେମାନେ ବେଶ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି । ତେଣୁ ବିବାହ, ବ୍ରତ ଓ ପୂଜାପାର୍ବଣରେ ଦିନିକିଆ କାର୍ଯ୍ୟସୂଚୀ ପ୍ରସ୍ତୁତ ହେଉଛି । ସେହି ଅନୁସାରେ ବନ୍ଧୁବାନ୍ଧବ ଓ ଝିଅଝିଆଣିଙ୍କୁ ମଧ୍ୟ ଡାକରା ହେଉଛି । ବିବାହ ହେଉ ବ୍ରତଘର ଦିନେ ଦିନେ ସବୁ ସରିଯାଉଛି ।

ସକାଳେ ଆସିଥିବା ଲୋକର ସନ୍ଧ୍ୟା ବେଳକୁ ଦେଖାନାହିଁ । ଦୁଇ ଚାରିଦିନ ରହିବାର ପ୍ରଶ୍ନ ଉଠୁଛି କେଉଁଠି ? ଗାଁ ଗହଳିରେ ବନ୍ଧୁ ଚର୍ଚ୍ଚାର କିଛି କିଛି ପ୍ରଭାବ ଅନୁଭୂତ ହେଉଥିବା ବେଳେ ସହର ବଜାରରେ ଏହା ଯେମିତି ଲୁପ୍ତ ହେବାକୁ ବସିଛି । ସହରରେ ରହୁଥିବା ଲୋକେ ପ୍ରାୟତଃ ଆଉ ନିଜ ଘର ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସଂପର୍କ ରଖିବା ମତଲବରେ ନାହାନ୍ତି । ଅଧିକାଂଶ ପର୍ବପର୍ବାଣୀ ଓ ଉତ୍ସବ ଅନୁଷ୍ଠାନରେ ନିଜ ଗାଁକୁ ବି ଆସୁନାହାନ୍ତି । ଏମାନଙ୍କ ସଂକ୍ଷିପ୍ତ ଜୀବନରେ ଏସବୁର ଆଉ ସ୍ଥାନ ନାହିଁ ଯେମିତି । ଅଳ୍ପ କିଛି କର୍ମଜୀବୀଙ୍କ ବ୍ୟତୀତ ଅଧିକାଂଶ ମହିଳା ଆଉ ରୋଷେଇବାସ କି ଘରକାମ କରିବାକୁ ଅନିଚ୍ଛୁକ ।

ଫଳରେ ଟିଫିନ ଠାରୁ ଆରମ୍ଭ କରି ଲଞ୍ଚଓ ଡିନର ଯାଏଁ ଏମାନେ ବଜାର ଉପରେ ପ୍ରାୟତଃ ନିର୍ଭରଶୀଳ । ଏପରିସ୍ଥଳେ ଏମାନେ କି ପ୍ରକାର ବନ୍ଧୁ ଚର୍ଚ୍ଚା କରିପାରିବେ ତାହା ସହଜେ ଅନୁମେୟ । ଘରକୁ ବନ୍ଧୁବାନ୍ଧବ ଆସିବା କଥା ଶୁଣିଲେ ଏମାନଙ୍କ ମୁଣ୍ଡରେ ବଜ୍ର ପଡିଥାଏ । ଖାସ୍ ଏହି କଥା ଲାଗି ଏବେ କେହି ବି ଆଉ କାହା ଘରକୁ ଯିବାକୁ କି ସେଠାରେ ଦିନେ ଦି’ଦିନ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଧୀରେ ଧୀରେ ବନ୍ଧୁବାନ୍ଧବଙ୍କ ପ୍ରତି ଲୋକଙ୍କ ଧାରଣା ଖରାପ ହେଉଥିବା ବେଳେ ବନ୍ଧୁ ଚର୍ଚ୍ଚାର ପରିସର ସଙ୍କୁଚିତ ହୋଇଯାଉଛି । ଏଭଳି ମାନସିକତା ଆଦୌ ଭଲ ନୁହେଁ ।

LEAVE A REPLY

Please enter your comment!
Please enter your name here