Odisha news

ମାଆ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର କୋଇଲାନଗରୀ ତାଳଚେର

0

ତାଳଚେର ତା ୦୩/୧୦ କୋଇଲା ନଗରୀ ତାଳଚେର ପାର୍ବଣର ଆଗମନରେ ଉତ୍ସବମୁଖର ହୋଇପଡିଛି ସମଗ୍ର ଖଣି ଅଂଚଳ । ମା’ ଜଗତଜନନୀ ଦୁର୍ଗାଙ୍କ ଆଗମନରେ ସମସ୍ତଙ୍କ ମନରେ ଖେଳିଯାଇଛି ଆନନ୍ଦ ଉଲ୍ଲାସ । ଏଗାରଟି ମଣ୍ଡପରେ ପୂଜା ପାଉଛନ୍ତି ଜଗତଜନନୀ ମା ଦୁର୍ଗା । ସୁଉଚ୍ଚତୋରଣ ସହ ଅତ୍ୟାଧୁନିକ ଆଲୋକସଜ୍ଜାରେ ମା ଙ୍କ ପୂଜାସ୍ଥଳୀ  ଅତ୍ୟନ୍ତ ମନୋରମ ଦେଖାଯାଉଛି । ମା’ ଦଶଭୂଜାଙ୍କ ମୃଣ୍ମୟୀ ପ୍ରତିମାକୁ ପଣ୍ଡିତ ବ୍ରାହ୍ମଣମାନେ ବିଧି ମୁତାବକପୂଜା କରି ଥିଲେ । ପୂଜା ଦେଖିବା ପାଇଁ ପୂଜାମଣ୍ଡପଗୁଡିକରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମହେଉଛି, ଏମ୍‌ସିଏଲର ଦେଉଳବଡା, ଲିଙ୍ଗରାଜ, ତାଳଚେର କଲୀୟରୀ, ଡେରା, ଅନନ୍ତ, ସାଉଥବଲଣ୍ଡା, ଭରତପୁର, ବଳରାମ, ହିଙ୍ଗୁଳା, ଜଗନ୍ନାଥ,  ନନ୍ଦିରା,  ଆଦି ପୀଠରେ ମା’ ଦଶଭୂଜା ପୂଜା ପାଉଛନ୍ତି । ପ୍ରତ୍ୟେକ ପୂଜା କମିଟି ଭିନ୍ନ ଭିନ୍ନ ଶୈଳୀରେ ତୋରଣ ନିର୍ମାଣ କରୁଥିବା ବେଳେ ଜଗନ୍ନାଥ କଲିୟରୀ ପୂଜା କମିଟି ଚଳିତ ବର୍ଷ ୯୦ ଫୁଟ ଉଚ୍ଚତା ଓ ୫୪ ଫୁଟ ଓସାରର ଏକ ତୋରଣ ନିର୍ମାଣ କରିଛି । ମା’ଙ୍କ ପୂଜା ସହିତ ସମସ୍ତ ଖର୍ଚ୍ଚକୁ ମିଶାଇ ଆନୁମାନିକ କୋଡିଏ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି ବୋଲି ଜଗନ୍ନାଥ କଲୀୟରୀ ପୂଜା କମିଟିର ସଭାପତି ଓ ସମ୍ପାଦକ ପ୍ରକାଶ କରିଥିଲେ ।

ସେହିପରି ସାଉଥବଲଣ୍ଡା ଦୁର୍ଗା ପୂଜା କମିଟି ୫୦ ବର୍ଷ ଫୁର୍ତି ଅବସରରେ ମା’ଙ୍କ ମନ୍ଦିର ସମ୍ମୁଖଭାଗରେ ଏକ ଆକର୍ଷଣୀୟ ସିମେଣ୍ଟ ଗେଟ ତିଆରି କରିଛନ୍ତି । ଏହାସହିତ ଦର୍ଶକମାନଙ୍କ ମନୋରଞ୍ଜନନିମନ୍ତେ ଚାରି ଦିନ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସଭାପତି ପ୍ରଦୀପ୍ତ କୁମାରବିଶୋଇ ଓ ସମ୍ପାଦକ କେଶବ କୁମାର ମିଶ୍ରଙ୍କ ସୂତ୍ରରୁ ପ୍ରକାଶ । ସେହିପରି ଭରତପୁର ପୂଜା କମିଟି ପକ୍ଷରୁଚଳିତ ବର୍ଷ ୯୦ ଫୁଟ୍ ଉଚ୍ଚତା ଓ ୧୦୦ଫୁଟ ଓସାର ବିଶିଷ୍ଟ ଏକ ବିଶାଳକାୟ ତୋରଣର ନିର୍ମାଣ କରାଯାଇଛି । ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ମଣ୍ଡପର ଚତୁଃପାଶ୍ୱର୍ରେ ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଓ ସୁରକ୍ଷାକର୍ମୀମାନଙ୍କୁ ନିୟୋଜନ କରାଯାଇଛି ବୋଲି ପୂଜା କମିଟିର ସଭାପତି ତଥା ଭରତପୁର କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଓ ପୂଜା କମିଟି ସମ୍ପାଦକ ପ୍ରକାଶ କରିଛନ୍ତି । ମଣ୍ଡପ ପାଖରେ ବହୁ ଉଠାଦୋକାନୀ ବିଭିନ୍ନ ଖେଳନା,ଘରସଜ୍ଜା ଉପକରଣ ଠାରୁ ଆରମ୍ଭ କରି ଫାଷ୍ଟଫୁଡ, ଚାର୍ଟ,ଗୁପଚୁପ୍ ପ୍ରଭୃତି ଖାଦ୍ୟ ବିକ୍ରି କରୁଥିବାର ଦେଖାଯାଉଛି । ତାହା ସହିତ ମୀନାବଜାର,ଦୋଳି ଇତ୍ୟାଦିର ଭରପୁର ମଜା ଦର୍ଶକମାନେ ଉଠାଉଛନ୍ତି । ଭିଡକୁ ନିୟନ୍ତ୍ରଣ କରିବା ତଥା ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପୋଲିସ,ପ୍ରଶାସନ, ଏମ୍‌ସିଏଲ୍ କର୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଜୟାଦଶମୀ ଦିନ ସାଉଥବଲଣ୍ଡା ସ୍ଥିତ ରାବଣପୋଡି ଅନୁଷ୍ଠାନ ପକ୍ଷରୁ ରାବଣ ପୋଡି ଉତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ଅଛି ।

Leave A Reply